Khordha Photograph: (kanak news)
କନକ ବ୍ୟୁରୋ : ଖୋର୍ଦ୍ଧା ଅଟ୍ରିରେ ପର୍ଯ୍ୟଟକଙ୍କୁ ଲୁଟୁଛି ଓଟିଡିସି। ଦାୟିତ୍ବ ନେଉ ନେଉ ନିଜ ଅସଲ ରୂପ ଦେଖାଇଲାଣି। ବିକାଶ କରିବ କ’ଣ ଆମକୁ ଶୋଷଣ କରାଯାଉଛି। ଏମିତି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ଏଠାକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ। ଘାସ ଗଛଟିଏ ବି ଲାଗିନି, କିନ୍ତୁ ଅଟ୍ରିର ପ୍ରବେଶ ଶୁଳ୍କ ୩ ଗୁଣ ବଢ଼ାଇଛି ଓଟିଡିସି। ପୂର୍ବରୁ ୫ଟଙ୍କା ଥିବା ଟିକେଟ୍ର ମୂଲ୍ୟ ୧୫ ଟଙ୍କାରେ ପହଞ୍ଚିଛି। ପର୍ଯ୍ୟଟକଙ୍କ ବସିବା ପାଇଁ ଜାଗା ନଥିବା ସ୍ଥାନରେ କାହା ସ୍ବାର୍ଥରେ ୧୫ ଟଙ୍କା ଶୁଳ୍କ ନିଆଯାଉଛି? ବୋଲି ପ୍ରଶ୍ନ କରିଛନ୍ତି ପର୍ଯ୍ୟଟକ ।
ଖୋର୍ଦ୍ଧା ଜିଲ୍ଲା ବାଘମାରୀର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଅଟ୍ରି ଉଷ୍ମପ୍ରସବଣ। ପ୍ରକୃତିର ଅପରୂପ ବିସ୍ମୟକୁ ଦେଖିବାକୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଲାଗେ। କିଛି ଦିନ ପୂର୍ବେ ଏହାର ଦାୟିତ୍ବ ନେଇଛି ଓଟିଡିସି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମକର ମହୋତ୍ସବକୁ ଆସି ଅଟ୍ରିର ପୁନଃବିକାଶ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସୌନ୍ଦର୍ଯ୍ୟୀକରଣ ନାଁରେ ଖାଲି ରଙ୍ଗ ମରା ହୋଇଛି। ନା ବସିବାକୁ ଚେୟାକ ଖଣ୍ଡେ ଅଛି ନା ଖେଳିବାକୁ କୌଣସି ଖେଳ ଉପକରଣ। କେବଳ ଉଷ୍ମ କୁଣ୍ଡ ଦେଖାଇ ଓଟିଡିସି ୫କୁ ୧୫ କରିଥିବା କ୍ଷୋଭର ସହକାରେ କହିଛନ୍ତି ପର୍ଯ୍ୟଟକ। ଅଟ୍ରିର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକ ଯେତିକି ଆକୃଷ୍ଟ କରୁନି, ୩ ଗୁଣା ଟିକେଟ ଦର ବୃଦ୍ଧି ତା’ ଠୁ ଅଧିକ ମନ ଉଣା କରୁଛି। ଅନ୍ୟପଟେ ଅନଲାଇନ ପେମେଣ୍ଟରେ ଟଙ୍କା ଗ୍ରହଣ କରାଯାଉଛି। ଯାହା ପାଖେ ସ୍ମାର୍ଟ ଫୋନ ନାହିଁ ସେ କିପରି ଟଙ୍କା ଦେବ ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି ।
ଅଧିକ ପଢ଼ନ୍ତୁ---ଅଙ୍ଗନବାଡ଼ି ଚାଉଳ ଯୋଗାଣରେ ଅନିୟମିତତା ! ବାଟମାରଣା ନେଇ ଆସିଲା ଅଭିଯୋଗ
Follow Us