କନକ ବ୍ୟୁରୋ : ହକ୍ ମାଗିବାରୁ ଶ୍ରମିକଙ୍କୁ ମିଳିଲା ଦଣ୍ଡ । ବୌଦ୍ଧରୁ ଆସିଲା ସାଂଘାତିକ ଚିତ୍ର । ନିଜ ହକ ପାଇଁ ମୁହଁ ଖୋଲିଲେ ବୋଲି ଶ୍ରମିକ ହରାଇଲେ ଜୀବିକା । ଠିକା ସଂସ୍ଥାର ମନମାନି ଯୋଗୁଁ ଆଜି ୨୮ଟି ପରିବାରର ଚୁଲି ଜଳୁନି । ବୌଦ୍ଧ ଜିଲ୍ଲାରେ ନିର୍ମାଣଧୀନ ଏମଜିଏମ ବାଓ-ଫୁଏଲ୍ସ ପ୍ରାଇଭେଟ ଲିମିଟେଡରେ କାର୍ଯ୍ୟରତ ୨୨ଜଣ ସ୍ଥାନୀୟ ଶ୍ରମିକଙ୍କୁ ବିନା କାରଣରେ କାମରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି । ଶିଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଉପରେ ଜୋର ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ମୁଖ୍ୟମନ୍ତ୍ରୀଙ୍କ କଥାକୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି ଘରୋଇ କମ୍ପାନି। ବୌଦ୍ଧରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।
ବୌଦ୍ଧ ଜିଲ୍ଲାରେ ଏମଜିଏମ ବାୟୋ-ଫୁଏଲ୍ସ ପ୍ରାଇଭେଟ ଲିମିଟେଡର ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା 'ନିକିତା କନଷ୍ଟ୍ରକସନ' ସ୍ଥାନୀୟ ଶ୍ରମିକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ମଜୁରିକୁ ନେଇ ଶ୍ରମ ଅଧିକାରିଣୀଙ୍କୁ ଶ୍ରମିକମାନେ ଜଣାଇବା ପରେ ଘଟଣାରେ ହସ୍ତକ୍ଷେପ କରି ସେ ବାକି ୧୦୦ ଟଙ୍କା ଦେବାକୁ ଠିକା ସଂସ୍ଥା ଏଚଆରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶୋଷଣ ବିରୋଧରେ ସ୍ୱର ଉଠାଇବା ହିଁ ୨୮ ଜଣ ଶ୍ରମିକଙ୍କ ପାଇଁ କାଳ ହେଲା । କମ୍ପାନି ବାକି ଟଙ୍କା ଦେବ କଣ ସ୍ଥାନୀୟ ଶ୍ରମିକଙ୍କୁ କାମରୁ ବିଦା କରିଦେଲା । ଆଉ ବାହାର ରାଜ୍ୟରୁ ଶ୍ରମିକ ଆଣି ଏବେ ନିର୍ମାଣ କାର୍ଯ୍ୟ କରୁଛି ।
ଅଧିକ ପଢ଼ନ୍ତୁ---ଆଜିଠୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଗଞ୍ଜାମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
କିଛି ଦିନ ତଳେ ଖୋଦ ରାଜସ୍ୱ ମନ୍ତ୍ରୀ କହିଥିଲେ ଯେକୌଣସି ଶିଳ୍ପାଞ୍ଚଳରେ ୯୦ ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ବାଧ୍ୟତାମୂଳକ । କିନ୍ତୁ ବୌଦ୍ଧର ଏହି ଘଟଣା ଭିନ୍ନ କଥା କହୁଛି । ସ୍ଥାନୀୟ ଶ୍ରମିକଙ୍କୁ ଶୋଷଣ କରାଯାଉଛି, ଆଉ ପ୍ରତିବାଦ କଲେ ବାହାର ରାଜ୍ୟର ଶ୍ରମିକଙ୍କୁ ଅଣାଯାଉଛି । ଶ୍ରମିକଙ୍କ ପରିବାର ଏବେ ଭୋକ ଉପାସରେ ଦିନ କାଟୁଛନ୍ତି । ସବୁ ଜାଣି ଶ୍ରମ ବିଭାଗ କାହିଁକି ଚୁପ୍ ବୋଲି ସାଧାରଣରେ ଆଲୋଚନା ହେଉଛି । ଅନ୍ୟପଟେ ଶ୍ରମ ଅଧିକାରୀ କହିଛନ୍ତି ଘଟଣାର ତଦନ୍ତ ଚାଲିଛି । ସ୍ଥାନୀୟ ଶ୍ରମିକଙ୍କୁ ଶୋଷଣ କରିବା ଓ ହକ୍ ମାଗିଲେ କାମରୁ ବିଦା କରୁଥିବା ଠିକା ସଂସ୍ଥା ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସହ କାମ ଯୋଗାଇ ଦେବାକୁ ଦାବି ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/03/odisha-2026-02-03-17-55-47.png)