କନକବ୍ୟୁରୋ : ଉତ୍ତରାଖଣ୍ଡର ପ୍ରସିଦ୍ଧ ଗଙ୍ଗୋତ୍ରୀ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀଗଙ୍ଗୋତ୍ରୀ ମନ୍ଦିର କମିଟିର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କମିଟି ଅନୁଯାୟୀ, ଏହି ପ୍ରତିବନ୍ଧକ କେବଳ ଗଙ୍ଗୋତ୍ରୀ ମନ୍ଦିର ପରିସରରେ ସୀମିତ ରହିବ ନାହିଁ, ବରଂ ମାତା ଗଙ୍ଗାଙ୍କ ଶୀତକାଳୀନ ବାସସ୍ଥାନ ମୁଖବା ଗ୍ରାମରେ ମଧ୍ୟ କାର୍ଯ୍ୟକାରୀ ହେବ। ଶ୍ରୀଗଙ୍ଗୋତ୍ରୀ  ମନ୍ଦିର କମିଟିର ସଭାପତି ସୁରେଶ ସେମୱାଲ କହିଛନ୍ତି ଯେ କମିଟି ଧାର୍ମିକ ପରମ୍ପରା ଓ ବିଶ୍ୱାସ ସମ୍ବନ୍ଧୀୟ ଦିଗଗୁଡ଼ିକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନେଇଛି । 

Advertisment

ଅଧିକ ପଢନ୍ତୁ... ଏହି ଦେଶର ଅଜବ ପରମ୍ପରା ; ବଜେଟ୍ ଭାଷଣ ସମୟରେ ମଦ୍ୟପାନ କରନ୍ତି ଅର୍ଥମନ୍ତ୍ରୀ

 ସେ କହିଛନ୍ତି, ମନ୍ଦିର ଅଞ୍ଚଳର ପବିତ୍ରତା ଓ ପାରମ୍ପରିକ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ନିୟମ ପାଳନ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ସ୍ତରରେ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ ବୋଲି କମିଟି କହିଛି ।  ଅନ୍ୟ ଧାର୍ମିକ ସ୍ଥଳରେ ମଧ୍ୟ ଏପରି କଟକଣା ଲାଗୁ ହେବ କି ?

ଏହି ନିଷ୍ପତ୍ତି ପରେ, ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ତୀର୍ଥସ୍ଥଳରେ କଟକଣା ଲାଗୁ ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି। ଶ୍ରୀବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ ସୂଚିତ କରିଛନ୍ତି, ଆଗାମୀ ବୋର୍ଡ ବୈଠକରେ ଏଭଳି ପ୍ରସ୍ତାବ ଉପସ୍ଥାପନ କରାଯିବ। ସେ କହିଛନ୍ତି, କମିଟିର ଅଧିକାର କ୍ଷେତ୍ର ଅନ୍ତର୍ଗତ ମନ୍ଦିରରେ ପ୍ରବେଶ ବ୍ୟବସ୍ଥା ସମ୍ପର୍କରେ ଏକ ନୀତି ଉପରେ ମଧ୍ୟ ବିଚାର କରାଯିବ। ତେବେ ବୋର୍ଡ ବୈଠକ ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। । 

ଏଥିସହ ଅଣହିନ୍ଦୁଙ୍କ ପ୍ରବେଶକୁ ନିଷେଧ କରିବାକୁ ଦାବି  , ଉତ୍ତରାଖଣ୍ଡରେ ଧାର୍ମିକ ସ୍ଥଳରେ ପ୍ରବେଶ ପ୍ରସଙ୍ଗ ନେଇ ବିତର୍କ ଜାରି ରହିଛି। ହରିଦ୍ୱାରର ହର କି ପାଉଡ଼ି ଓ ଅନ୍ୟାନ୍ୟ ସ୍ଥାନରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ କରିବା ପାଇଁ ଅତୀତରେ ଦାବି ଉଠିଥିଲା ।  ଏହି ଦାବିକୁ ହରିଦ୍ୱାର ନଗର ନିଗମର ୧୯୧୬ ଉପ-ଆଇନ ସମର୍ଥନ କରିଥାଏ ।  ଯାହା ବ୍ରିଟିଶ ଯୁଗରୁ କାର୍ଯ୍ୟକାରୀ ହେଉଥିବା କୁହାଯାଉଛି। ଏହି ନିୟମଗୁଡ଼ିକୁ ଉଦ୍ଧୃତ କରି, ଗଙ୍ଗା ସଭା ସହିତ ଜଡିତ କିଛି ସଂଗଠନ ଓ ବ୍ୟକ୍ତି ଧାର୍ମିକ ପରମ୍ପରାକୁ ସୁରକ୍ଷା ଦେବାକୁ ନେଇ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ ଦାବି କରିଛନ୍ତି ।