elephant Photograph: (kanak news)
କନକ ବ୍ୟୁରୋ : ଦିନକୁ ଦିନ ହାତୀ ମଣିଷ ଲଢ଼େଇ ତୀବ୍ର ହେବାରେ ଲାଗିଛି। କେତେବେଳେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ଜୀବନ। ଆଜି ସେମିତି ଢ଼େଙ୍କାନାଳରେ ଘଟିଛି ଦୁଃଖଦ ଘଟଣା । ହାତୀ ଦଳି ଦେବାରୁ ୩ଜଣଙ୍କର ମୃତ୍ୟୁ ହୋଇଛି । ଢ଼େଙ୍କାନାଳରୁ ଆସିଛି ହାତୀ ମଣିଷ ଲଢ଼େଇର ଛାତିଥରା କାହାଣୀ । ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବାବେଳେ ଦନ୍ତା ହାତୀର ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ ଘଟିଛି । ଆଉ ୩ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
କାଇମାଟି ଲୋଚାପଲି ଗାଁର ପ୍ରାୟ ୧୫ଜଣ ଲୋକ ଜଙ୍ଗଲରୁ କାଠ ସଂଗ୍ରହ କରିବାକୁ ଯାଉଥିଲେ । ହେଲେ ସେଠାରେ ପୂର୍ବରୁ ଛପି ରହିଥିବା ଦନ୍ତାଟି ହଠାତ୍ ଲୋକଙ୍କ ଆଡକୁ ମାଡି ଆସିଥିଲା। ଯିଏ ସାମନାରେ ପଡିଥିଲା ତାଙ୍କୁ ଦଳି ପକାଇଥିଲା । ହାତୀ ଆକ୍ରମଣରେ ଘଟଣାସ୍ଥଳରେ ୬ ଜଣ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ବାଟରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଇନ୍ଦୁମତି ପଧାନ, ତୁନୀ ବେହେରା ଏବଂ କୁନ୍ତଳା ପାଧାନ। ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ---ବ୍ରହ୍ମପୁର ଲାଞ୍ଜିପଲୀ କଲୋନୀରୁ ଜବରଦଖଲ ଉଚ୍ଛେଦ, କବଜାରେ ରହିଛି ୪୬ କ୍ୱାର୍ଟର୍ସ
ଗତ ୨ବର୍ଷ ଭିତରେ ଏହି ଜଙ୍ଗଲରେ ୯ଜଣଙ୍କର ମୃତ୍ୟୁ ହେଲାଣି। ଢେଙ୍କାନାଳ ଜିଲ୍ଲାରେ ୨୦୨୬ରେ ୧୧ ଜଣଙ୍କ ଜୀବନ ଯାଇଛି। ଏଥିପାଇଁ ବନବିଭାଗକୁ ଦାୟୀ କରିଛନ୍ତି ଗ୍ରାମବାସୀ । ହାତୀ ଆକ୍ରମଣରେ ରାଜ୍ୟରେ ୧୦ବର୍ଷରେ ୧୨ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ୨୦୧୪ରୁ ୨୦୨୫ ଭିତରେ ପାଖାପାଖି ୯ଶହ ହାତୀଙ୍କ ଜୀବନ ଯାଇଛି ।
Follow Us