Photograph: (KANAKNEWS)
କନକବ୍ୟୁରୋ : ବଣଜଙ୍ଗଲ ଘେରା ସୁନ୍ଦରଗଡ ରେ ବର୍ଷତମାମ ଜାରିରହିଛି ହାତୀ-ମଣିଷ ଲଢ଼େଇ । ଗାଁମୁହାଁ ହାତୀପଲ ଘଉଡ଼ାବାକୁ ବନବିଭାଗ ଓ ଗ୍ରାମବାସୀ ନାକେଦମ୍ ଦେଉଛନ୍ତି। ଯେତେ ପନ୍ଥା ଅବଲମ୍ବନ କଲେ ହେଁ, ସବୁକିଛି ଫେଲ୍ ମାରୁଛି । ରାତିଅଧରେ ହାତୀପଲ ଗାଁରେ ପଶି ଘର ଭାଙ୍ଗୁଛନ୍ତି । ଏକରଏକର ଧାନ ଓ ପରିବା ଫସଲ ଖାଇବା ସହ ନଷ୍ଟ କରୁଛନ୍ତି ।
ବଢ଼ିବ ଜମି ବେଞ୍ଚମାର୍କ ମୂଲ୍ୟ! ରାଜସ୍ବ ବିଭାଗ ପକ୍ଷରୁ ସଂକଳ୍ପ ପତ୍ର ଜାରି
ବନବିଭାଗ କ୍ଷତିଗ୍ରସ୍ତ ପରିବାରକୁ କିଛିଟା ସହୟତା ଦେଇ କାମ ସାରିଦେଉଛି । କେମିତି ହାତୀପଲ ଗାଁ ଓ ଜନବସତିମୁହାଁ ନ ହେବେ, ତା’ର କୌଣସି ଠୋସ୍ ପଦକ୍ଷେପ ନିଆଯାପାରୁନି। ହାତୀପଲଙ୍କ ଭୟରେ ଜଙ୍ଗଲପାଖ ଗ୍ରାମବାସୀଙ୍କ ବର୍ଷର ଅଧିକାଂଶ ରାତି ଅନିଦ୍ରାରେ ବିତୁଛି। କିଛି ଗ୍ରାମବାସୀ ପାଳିକରି ରାତିରେ ଜଗୁଛନ୍ତି। ଅନେକ ପରିବାର ହାତୀଭୟରେ ଘରଛାଡ଼ି ଅନ୍ୟଗାଁରେ ଆଶ୍ରୟନେବାକୁ ବାଧ୍ୟ ହେଉଛନ୍ତି ।
ଝାଳବୁହା ପରିଶ୍ରମ କରି ଧାନ ଓ ପନିପରିବାରୁ ଭଲ ଦି’ ପଇସା ରୋଜଗାର କରିବାକୁ ଆଶା ରଖିଥିବା ଚାଷୀ ଅମଳବେଳକୁ ମୁଣ୍ଡରେ ହାତଦେଉଛି । ହାତୀ ଭୟରେ ଲାଠିକଟା ବ୍ଲକ୍ର ରୁଟୁକୁପେଡ଼ି, ଫିକଡ଼ଚୁନ୍ଦି, ବଡ଼ଦଲକି, ଡୋଲାକୁଦର, ପଟବେଡ଼ା, ବୁଢ଼ୀକୁଦର, ମୁଣ୍ଡାଯୋର, ନୂଆଗାଁ ଆଦିରେ ଚାଷୀ ବିଲ ପଡ଼ିଆ ପକାଇ ଦେଉଛନ୍ତି।
ଗତ ତିନିବର୍ଷ ମଧ୍ୟରେ ହାତୀପଲ ଯୋଗୁ ରାଉରକେଲା ବନଖଣ୍ଡର ୧୦୫୩ ଗ୍ରାମ ଓ ବସ୍ତିବାସିନ୍ଦାଙ୍କୁ କ୍ଷତିଗ୍ରସ୍ତ ହେବାକୁ ପଡିଛି । ହାତୀପଲ ଭାଙ୍ଗିଛନ୍ତି ୫୦୯ ଘର। ୧୧୩୨.୪୧ ଏକର ଜମିର ଧାନ ଓ ପନିପରିବା ଫସଲ ନଷ୍ଟ କରିଛନ୍ତି। ୯୧୬.୭୧୯ ଏକର ଧାନକ୍ଷେତ ହାତୀପଲ ଉଜାଡିଥିବାବେଳେ ୨୧୨.୬୮୧ ଏକର ପନିପରିବା ଫସଲ ଖାଇବା ସହ ନଷ୍ଟ କରିଛନ୍ତି।
ବନବିଭାଗ ତଥ୍ୟ ଅନୁଯାୟୀ, ହାତୀପଲ ୨୦୨୩ରେ ୧୭୭, ୨୦୨୪ରେ ୨୩୫ ଓ ୨୦୨୫ରେ ୯୭ ଘର ଭାଙ୍ଗିଛନ୍ତି। ଏଥିରେ ୨୮ରୁ ଅଧିକ ପରିବାର ଗୃହଶୂନ୍ୟ ହୋଇଛନ୍ତି। ସେମିତି ତିନିବର୍ଷରେ ୬୭୨ ଗାଁର ୨୧୨. ୬୮୧ ଏକର ପନିପରିବା ଫସଲ ଉଜୁଡିଯାଇଛି। ୩୮୧ ଗାଁର ଚାଷୀଙ୍କ ୯୧୬.୭୧୯ ଏକର ଧାନବିଲକୁ ହାତୀପଲ ନଷ୍ଟ କରିଛନ୍ତି। ସେମିତି ୨୦୨୩ରେ ୪୦୧.୦୫୭ ଏକର ଫସଲ ନଷ୍ଟହୋଇଛି।
ସେଥିରେ ରହିଛି ୩୨୧.୯୪୭ ଏକର ଧାନ ଓ ୭୯.୧୧ ଏକର ପନିପରିବା। ୨୦୨୪ରେ ୬୧୪.୧୧୧ ଏକର ଧାନ ଓ ପନିପରିବା ଫସଲକୁ ହାତୀପଲ ଉଜାଡ଼ିଛନ୍ତି। ଏଥିରେ ରହିଛି ୫୦୬.୮୨୧ ଏକର ଧାନ ଓ ୧୦୭.୨୯ ଏକର ପନିପରିବା। ୨୦୨୫ ନଭେମ୍ବର ଶେଷସୁଦ୍ଧା ୯୦.୯୫୧ ଏକର ଧାନ ଓ ୨୬.୨୮୧ଏକର ପନିପରିବା ଏମିତି ମୋଟ ୧୧୭.୨୩୨ ଏକର ଫସଲ ନଷ୍ଟହୋଇଛି।
Follow Us