କନକ ବ୍ୟୁରୋ: ଦିଲ୍ଲୀ ଦଙ୍ଗା ମାମଲାରେ ଦୀର୍ଘବର୍ଷ ହେବ ଜେଲରେ ଥିବା ଉମର ଖାଲିଦଙ୍କୁ ଜାମିନରେ ଛାଡ଼ିବାକୁ ଆମେରିକାର ୮ ଜଣ ସାଂସଦ ଦାବି କରିଛନ୍ତି । ଏନେଇ ସେମାନେ ଭାରତୀୟ ରାଜଦୂତଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ଉମର ଖାଲିଦଙ୍କୁ ଜାମିନ ପ୍ରଦାନ ଓ ଦିଲ୍ଲୀ ଦଙ୍ଗା ମାମଲାରେ ନିରପେକ୍ଷ ଯାଂଚ ସହ ସମୟ ଅନୁସାରେ ବିଚାର କରିବାକୁ ଦାବି କରିଛନ୍ତି । ଉମର ଖାଲିଦ ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ଓ ବେଆଇନ ଗତିବିଧି ଅଧିନିୟମ କ୍ରମରେ ୫ ବର୍ଷ ହେବ ଜେଲରେ ଅଛନ୍ତି ।
ଆମେରିକାର ଏହି ୮ ଜଣ ସାଂସଦ ମାମଲାର ଶୁଣାଣି ଆରମ୍ଭ ହେବା ପୂର୍ବରୁ ଦୀର୍ଘବର୍ଷ ହେବ ଉମରକୁ ଜେଲରେ ବନ୍ଦ ରଖିବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଚିଠି ଲେଖିଥିବା ଆମେରିକୀୟ ସାଂସଦଙ୍କ ନେତୃତ୍ୱ ନେଇଛନ୍ତି ଡେମୋକ୍ରାଟିକ ସାଂସଦ ଜିମ୍ ମେକଗବର୍ନ ଓ ଜେମି ରସ୍କିନ । ଚିଠିରେ ଦାବି କରାଯାଇଛି କି, ଉମର ଖାଲିଦଙ୍କ ମାମଲାର ଶୁଣାଣି ଶୀଘ୍ର କରାଯାଉ ଓ ତାଙ୍କୁ ଜାମିନ ପ୍ରଦାନ କରାଯାଉ ।
ଅଧିକ ପଢ଼ନ୍ତୁ : ୨୦୨୦ ଦିଲ୍ଲୀ ଦଙ୍ଗା: ୭ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ, CAAକୁ ନେଇ କରିଥିଲେ ବିରୋଧ
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବ ଛାତ୍ର ଉମର ଖାଲିଦ ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଷଡଯନ୍ତ୍ର କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି । ମେକଗବର୍ନ ଓ ରସ୍କିମଙ୍କ ବ୍ୟତୀତ ଚିଠି ଲେଖିଥିବା ସାଂସଦମାନଙ୍କ ମଧ୍ୟରେ ଡେମୋକ୍ରାଟିକ ସାଂସଦ କ୍ରୀସ ବାନ ହୋଲେନ, ପିଟର ବାଲ୍ଚ, ପ୍ରମିଲା ଜୟପାଲ, ଜେନ ସ୍କାବୋସ୍କି, ରାଶିଦା ତାଲିବ ଓ ଲୟର୍ଡ ଡାର୍ଗେଟ୍ ସାମିଲ ଅଛନ୍ତି ।
ଆମେରିକାର ସାଂସଦମାନଙ୍କ ଚିଠି ଭାରତୀୟ ଲୋକତାନ୍ତ୍ରିକ ସଂସ୍ଥାମାନଙ୍କ ପ୍ରତି ସମ୍ମାନ ଦେଖାଇଛି ମାତ୍ର ଶୁଣାଣି ପୂର୍ବରୁ ଉମରଙ୍କୁ ଦୀର୍ଘ ସମୟ ଧରି ଜେଲରେ ରଖିବା ଉପରେ ପ୍ରଶ୍ନ ଉଠାଇଛି । ସେମାନେ ଚିଠିରେ ଏହା ବି ଉଲ୍ଲେଖ କରିଛନ୍ତି କି ଏହା ଅର୍ନ୍ତରାଷ୍ଟ୍ରୀୟ ଆଇନର ବିରୋଧରେ ଯାଉଛି । ସେମାନେ ପ୍ରଶ୍ନ କରିଛନ୍ତି କି, କାହିଁକି ୫ ବର୍ଷ ହେବ ଏହି ମାମଲାର ଶୁଣାଣି ଆରମ୍ଭ ହୋଇପାରିନି । ଏଭଳି ଆଇନକୁ ନେଇ ଆମେରିକୀୟ ସାଂସଦମାନେ ଚିନ୍ତାପ୍ରକଟ କରିଛନ୍ତି । ଏନେଇ ମେକାଗବର୍ନ କହିଛନ୍ତି କି, କିଛିିଦିନ ତଳେ ସେ ୱାସିଟନରେ ଉମରଙ୍କ ପରିବାରକୁ ଭେଟି ଏନେଇ ଆଲୋଚନା କରିଥିଲେ ।
କେବଳ ଆମେରିକାର ଏହି ୮ ଜଣ ସାଂସଦ ନୁହେଁ, ଏହି ମାମଲାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ନ୍ୟୁୟର୍କର ମେୟର ଜୋହରାନ ମମଦାନୀ । ସେ ଉମର ଖାଲିଦଙ୍କ ପାଇଁ ଲେଖିଛନ୍ତି କି, ଆମେ ସମସ୍ତେ ଆପଣଙ୍କ ପାଇଁ ଚିନ୍ତା କରୁଛୁ । ସେ ଏନେଇ ଭାରତୀୟ ରାଜଦୂତଙ୍କୁ ଏକ ଚିଠି ଲେଖି ଉମରଙ୍କୁ ସମର୍ଥନ କରିବା ସହ ତାଙ୍କୁ ଜେଲରୁ ମୁକୁଳାଇବାକୁ ଦାବି କରିଛନ୍ତି ।
Follow Us