କନକ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ଦଙ୍ଗାର ମୁଖ୍ୟ ଅଭିଯୁକ୍ତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ରନେତା ଉମର ଖାଲିଦ, ଶର୍ଜିଲ ଇମାମ ଏବଂ ଅନ୍ୟ ୭ ଜଣଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି । ୨୦୨୦ ମସିହା ଫେବ୍ରୁଆରି ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ସହ ଜଡ଼ିତ ବହୁତ ବଡ଼ ଷଡ୍‌ଯନ୍ତ୍ର ମାମଲାରେ ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି ଗୁଲଫିଶା ଫାତିମା, ମୋହମ୍ମଦ ସଲିମ ଖାନ, ଶିଫାଉର ରେହମାନ, ଅତହର ଖାନ, ଖାଲିଦ ସୈଫି, ଶଦାବ ଅହମଦ ଓ ତସଲିମ ଅହମଦ। ଦିଲ୍ଲୀ ଦଙ୍ଗାରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

Advertisment

ଏହି ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି । ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ଅଭିଯୋଗ କରିଛି ଯେ ଉମର ଖାଲିଦ, ଶର୍ଜିଲ ଇମାମ ଓ ଅନ୍ୟ ୭ ଅଭିଯୁକ୍ତ ଏହି ଦଙ୍ଗାକୁ ଉସକାଇବା ସହ ବିଶାଳ ଷଡ୍‌ଯନ୍ତ୍ର ରଚନା କରିଥିଲେ । ଏହି ମାମଲା ବେଆଇନ କାର୍ଯ୍ୟକଳାପ ନିୟନ୍ତ୍ରଣ ଆଇନ (ୟୁଏପିଏ) ଅଧୀନରେ ରୁଜୁ ହୋଇଛି, ଯେଉଁଥିରେ ଆତଙ୍କବାଦୀ କାର୍ଯ୍ୟକଳାପ, ହିଂସାକୁ ପ୍ରୋତ୍ସାହନ ଏବଂ ଷଡ୍‌ଯନ୍ତ୍ର ସହ ଜଡ଼ିତ ଅଭିଯୋଗ ଅନ୍ତର୍ଭୁକ୍ତ । ପୁଲିସର ମୁଖ୍ୟ ପ୍ରମାଣରେ ହ୍ୱାଟ୍‌ସଆପ ଚାଟ, ସିସିଟିଭି ଫୁଟେଜ ଏବଂ ସାକ୍ଷୀଙ୍କ ବୟାନ ଅନ୍ତର୍ଭୁକ୍ତ ରହିଛି ।

ଅଭିଯୁକ୍ତମାନଙ୍କ ଓକିଲମାନେ ଯୁକ୍ତି କରିଥିଲେ ଯେ ସେମାନଙ୍କ ମହକିଲମାନେ ନିରୀହ, ଏବଂ ସେମାନଙ୍କ ବିରୋଧରେ ପୂର୍ଣ୍ଣାଙ୍ଗ ପ୍ରମାଣ ନାହିଁ । ଦୀର୍ଘ ସମୟ ଧରି ହେପାଜତରେ ରହିଥିବା, ବିଚାର ପ୍ରକ୍ରିୟାରେ ବିଳମ୍ବ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଜାମିନ ମିଳିଥିବା ଆଧାର ଦର୍ଶାଇ ‌ସେମାନେ ଜାମିନ ଦାବି କରିଥିଲେ । ତେବେ ହାଇକୋର୍ଟ ଏହି ଯୁକ୍ତିଗୁଡ଼ିକୁ ଗ୍ରହଣ କରିନଥିଲେ ଏବଂ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ୨୦୨୦ ଫେବ୍ରୁଆରି ୨୩ରୁ ୨୫ ତାରିଖ ମଧ୍ୟରେ ଘଟିଥିବା ଏହି ଦଙ୍ଗା ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି) ବିରୋଧୀ ଆନ୍ଦୋଳନ ସହ ଜଡ଼ିତ ଥିଲା ।