ED Raid Photograph: (Kanak News)
କନକ ବ୍ୟୁରୋ : ଗଞ୍ଜାମରେ ପଞ୍ଝା ମେଲାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୦୦ ଜଣିଆ ଟିମ୍ର ଏକକାଳୀନ ଚଢ଼ାଉ । ସ୍କାନରରେ ବିଜେଡି ନେତା ଓ ଦଳୀୟ ପୃଷ୍ଠପୋଷକ । ବାଲି, ମଦ ବ୍ୟବସାୟୀଙ୍କ ଘରେ ଛାପା ମାରିଲା ଇଡି । ଆଜି ସକାଳୁ ସକାଳୁ ପୂରା ଜିଲ୍ଲାକୁ ଇଡି ଟିମ୍ ଖେଦି ଯାଇଛନ୍ତି । ସମୟ ଯେତିକି ବଢ଼ିଲା, ଗୋଟିଏ ପରେ ଗୋଟିଏ ଟିମ୍ ଚଢ଼ଉ କରୁଥିବାର ଖବର ଆସିଲା ।
ବ୍ରହ୍ମପୁର ସହରର ୫ରୁ ୬ ସ୍ଥାନରେ ଚଢ଼ାଉ ହୋଇଛି । ଜୟପ୍ରକାଶ ନଗର, ଅମ୍ବିକା ନଗର, ବିଜିପୁର, ଲାଞ୍ଜିପଲ୍ଲୀ ସହ ସହର ଉପକଣ୍ଠ କନିଷିରେ ଚଢ଼ାଉ କରିଛି ଇଡି । ବାଲି, ମଦ ବ୍ୟବସାୟୀଙ୍କ ସହ ବିଜେଡି ପୃଷ୍ଠପୋଷକ ସାଜିଥିବା ଠିକାଦାରଙ୍କ ଘରେ ଘନ ଘନ ଚଢ଼ାଉ ହୋଇଛି । ସେହିପରି ଶେରଗଡ଼, ବୁଗୁଡ଼ା, ହିଞ୍ଜିଳି, ଆସ୍କା ଓ ଛତ୍ରପୁରରେ ବି ଚଢ଼ଉ ହୋଇଛି । ଗଞ୍ଜାମ ଜିଲ୍ଲା ଆସିକା-ଶେରଗଡ଼ର ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ଇଡି ରେଡ୍ କରୁଛି ।
ଅଧିକ ପଢ଼ନ୍ତୁ : ଅନୁଗୁଳର ବ୍ୟବସାୟୀଙ୍କ ଘରେ ଜିଏସଟି ରେଡ୍; ୧୨ ଘଣ୍ଟା ଧରି ଚାଲିଲା ଚଢ଼ାଉ
ଆଜି ସକାଳୁ ତିନୋଟି ଟିମ ତାଙ୍କ ଶେରଗଡ଼ ସ୍ଥିତ ପୈତୃକ ଘରେ ଚଢାଉ କରୁଛି । ହୃଷିକେଶ ପାଢୀ ଗଞ୍ଜାମ ଜିଲ୍ଲା ବିଜେଡିର ଉପସଭାପତି ମଧ୍ୟ ରହିଛନ୍ତି । ତେବେ ମନି ଲଣ୍ଡରିଂ ନା ଆଉ କେଉଁ କାରଣ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି, ତାହା ଜଣାପଡିନାହିଁ । ସେହିପରି ବ୍ରହ୍ମପୁରର ବ୍ୟବସାୟୀ ଘରେ ଇଡି ଚଢ଼ାଉ । ବିଜିପୁର କାଳୁଆସାହିର ବ୍ୟବସାୟୀ ବିଶ୍ୱନାଥ ପାତ୍ରଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି ।
Follow Us