minister Photograph: (Google)
କନକ ବ୍ୟୁରୋ: ରାଜ୍ୟରେ ଜଣେ ଜଣେ ମନ୍ତ୍ରୀଙ୍କ ହାତରେ ୨ ରୁ ୩ ଟି ବିଭାଗ ଥିବା ବେଳେ, ଆଇଏଏସ୍ ଅଧିକାରୀଙ୍କ କ୍ଷେତ୍ରରେ ବି ସେଇ ଏକା ଅବସ୍ଥା । ଜଣେ ଜଣେ ପ୍ରଶାସକଙ୍କୁ ମିଳିଛି ଏକାଧିକ ବିଭାଗର ଗୁରୁଦାୟିତ୍ୱ । ଏଭଳି ଧାରା ପ୍ରଶାସନିକ କାର୍ଯ୍ୟକାରିତାକୁ ଗୁରୁତର ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଥିବା ବେଳେ, ବିଷ୍ଣୁପଦ ସେଠୀଙ୍କୁ ପୁଣି ଭରସା ଏବଂ ପାଢ଼ୀ ଦଂପତିଙ୍କ ବିଭାଗ ବଦଳିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ନଜର ପକାନ୍ତୁ ଗତକାଲିର ଆଇଏଏସ୍ ଅଦଳବଦଳ ଚିଠି ଉପରେ । ଉନ୍ନୟନ କମିସନର ଦେଓରଞ୍ଜନ ସିଂଙ୍କ ପାଖରେ ପୂର୍ବରୁ ଯୋଜନା ଓ ସଂଯୋଜନ ବିଭାଗ ଥିବା ବେଳେ ଇସ୍ପାତ ଓ ଖଣି ବିଭାଗ ଏସିଏସ୍ ଭାବେ ମିଳିଛି ଅତିରିକ୍ତ ଦାୟିତ୍ୱ। ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ସହ ଦିଆଯାଇଛି ସଂସଦୀୟ ବ୍ୟାପାର ବିଭାଗ । ରୋଚକ କଥା ହେଉଛି, ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଉଭୟ ଦକ୍ଷିଣାଞ୍ଚଳ ଓ ଉତ୍ତରାଞ୍ଚଳ ଆର୍ଡିସି ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ମିଳିଛି ଅତିରିକ୍ତ ଦାୟିତ୍ୱ । ପୂର୍ବରୁ ହେମନ୍ତ ଶର୍ମାଙ୍କ ପାଖରେ ରହିଛି ୪ଟି ବଡ଼ ଦାୟିତ୍ୱ । ଗୃହ, ଶିଳ୍ପ, ସୂଚନା ଓ ଲୋକସଂପର୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସହ ଇପିକଲ୍ ଅଧ୍ୟକ୍ଷ । ଜଣେ ଜଣେ ପ୍ରଶାସକଙ୍କୁ ୩-୪ ଟି ଗୁରୁଦାୟିତ୍ୱ ମିଳିଥିବା ବେଳେ, ଏହା ଶାସନ କାର୍ଯ୍ୟକୁ ପ୍ରଭାବିତ କରୁଥିବା ମତ ପ୍ରକାଶ ପାଇଛି । ଗୋଟିଏ ପଟେ ସରକାର ସୁପ୍ରଶାସନର ଦ୍ୱାହି ଦେଇ ସଚିବ ମାନଙ୍କୁ ଜିଲ୍ଲାସ୍ତରୀୟ ଗସ୍ତ କରିବାକୁ ଏବଂ ଗାଁରେ ରାତି କଟାଇବାକୁ ନିର୍ଦ୍ଦେଶ ଦେଉଥିବା ବେଳେ, ଏହା ବାସ୍ତବରେ ଜଣଙ୍କ ପକ୍ଷରେ କେମିତି ସମ୍ଭବ ହେବ ତାକୁ ନେଇ ପ୍ରଶ୍ନ ଉଠିଛି ।
ଅଧିକ ପଢନ୍ତୁ: ବଣ୍ଡାଘାଟି ଆବାସ ଦୁର୍ନୀତି : ତଦନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନର ଆଶ୍ୱାସନ ଦେଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଲାଞ୍ଚ ଅଭିଯୋଗ ମାମଲାରେ ସିବିଆଇ ତଦନ୍ତର ସାମ୍ନା କରିଥିବା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ପୁଣି ଭରସା କରିଛନ୍ତି ସରକାର । ତାଙ୍କୁ ମିଳିଛି ଓଡ଼ିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ସହ କେବିକେ ମୁଖ୍ୟ ପ୍ରଶାସକ ଅତିରିକ୍ତ ଦାୟିତ୍ୱ । ସେପଟେ ମଣ୍ଡି ଅଚଳାବସ୍ଥା ଯୋଗୁଁ ଚାଷୀ ଅସନ୍ତୋଷ ବଢ଼ିବାରୁ ଅରବିନ୍ଦ ପାଢ଼ୀଙ୍କୁ କୃଷି ବିଭାଗରୁ ରାଜସ୍ୱ ବିଭାଗକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ବଦଳି କରାଯାଇଥିବା ଚର୍ଚ୍ଚା ହେଉଛି । ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ବଜାୟ ରଖିବେ ଅରବିନ୍ଦ । ନୂଆ କୃଷି କମିସନର ତଥା ସଚିବ ବନିଛନ୍ତି ସଚିନ ରାମଚନ୍ଦ୍ର ଯାଦବ । ସେହିପରି ଚର୍ଚ୍ଚା ହେଉଛି, ଗାଡ଼ି ପ୍ରଦୂଷଣ ପ୍ରମାଣପତ୍ର କଟକଣା ସରକାରଙ୍କ ଅକଳରେ ପକାଇବା ପରେ, ପରିବହନ ବିଭାଗରୁ ଉଷା ପାଢ଼ୀଙ୍କୁ ହଟାଇ ଏନ୍ବିଏସ୍ ରାଜପୁତଙ୍କୁ ପ୍ରମୁଖ ସଚିବ କରାଯାଇଛି। କେବଳ ବାବୁ ନୁହଁନ୍ତି ଏକାଧିକ ମନ୍ତ୍ରୀଙ୍କ ପାଖରେ ବି ରହିଛି ୨ରୁ ୩ବିଭାଗ ।
Follow Us