Dumerpali Bridge Photograph: (Kanak News)
କନକ ବ୍ୟୁରୋ : ସରକାର ବଦଳିଛି ବଦଳିଛନ୍ତି ଅଧିକାରୀ କିନ୍ତୁ ବଦଳିଲା ନାହିଁ ବରଗଡ଼ ଡୁମେରପାଳି ସେତୁର ଭାଗ୍ୟ । ବର୍ଷବର୍ଷ ଧରି ଭଙ୍ଗାଦଦରା ଅବସ୍ଥାରେ ପଡ଼ିରହିଛି ବ୍ରିଜ । ଆଉ ପ୍ରଶାସନ ପକ୍ଷରୁ ଖାଲି ଗାଡ଼ି ଚଳାଚଳ ନିଷେଧର ନାମଫଳ ଖାଇ ନିଜ କର୍ତ୍ତବ୍ୟ ସାରିଦେଇଛି ପ୍ରଶାସନ । ବିକଳ୍ପ ବ୍ୟବସ୍ଥା ନଥିବାରୁ ଏହ ଭଙ୍ଗା ପୋଲ ଦେଇ ଯାତୟାତ କରୁଛନ୍ତି ଲୋକେ ।
କଂକ୍ରିଟ ଛାଡ଼ି ଆଁ କରିଛି । ଲୁହା ଛଡ଼ ସବୁ ଦିଶୁଛି । ରାସ୍ତା ମଝିରେ ଫାଟ ହୋଇ, ବ୍ରିଜ ଦବି ବଙ୍କା ହୋଇଗଲାଣି । ବଡ଼ ବଡ଼ ଅକ୍ଷରରେ ଲେଖାହୋଇଛି, ଆଗରେ ବିପଦସଙ୍କୁଳ ପୋଲ ଏହି ରାସ୍ତାରେ ଗାଡ଼ି ଚଳାଚଳ ନିଷେଧ । ପ୍ରଶାସନର ସାଇନ୍ବୋର୍ଡକୁ ବେଖାତିର କରି ଲୋକେ ଗାଡ଼ି ଚଳାଚଳ କରୁଛନ୍ତି ।
ଅଧିକ ପଢ଼ନ୍ତୁ : ଆସନ୍ତାକାଲି ଟ୍ରିବ୍ୟୁନାଲରେ ହେବ ମହାନଦୀ ବିବାଦର ୫୦ତମ ଶୁଣାଣି, ତଥାପି ନ୍ୟାୟ ମିଳିବା ସମ୍ଭାବନା କ୍ଷୀଣ
ଡୁମେରପାଳି ସେତୁ । ବରଗଡ଼ ସହର ସହ ୬ ଖଣ୍ଡ ଗାଁକୁ ସଂଯୋଗ କରୁଛି । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବେପାର ବଣିଜ ପାଇଁ ଶତାଧିକ ଲୋକଙ୍କ ପାଇଁ ଏକମାତ୍ର ବିକଳ୍ପ ଏହି ଭଙ୍ଗା ବ୍ରିଜ । ବର୍ଷ ବର୍ଷ ଧରି ସେତୁଟି ଏମିତି ବିପଦସଙ୍କୁଳ ଅବସ୍ଥାରେ ପଡ଼ିରହିଛି । ଆଉ ଆମ ପ୍ରାଶାସନିକ ବାବୁଙ୍କ ସମାଧାନ ହେଉଛି, ସାଇନ୍ବୋର୍ଡ ମାରି ଛାଡ଼ିଦେଲେ । ଅର୍ଥାତ, ଆମେ ସତର୍କ କରାଇଦେଲୁ, ଏବେ ତମେ ନିଜ କଥା ବୁଝ ।
ଡୁମେରପାଳି ସମେତ ୫ଟି ଗାଁର ଲୋକ ନିରୂପାୟ ହୋଇ ପ୍ରତିଦିନ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି । କେତବେଳେ ଭୁଶୁଡ଼ିପଡ଼ିବ କିଛି ଠିକଣା ନାହିଁ । ନୂଆ ବ୍ରିଜ୍ ପାଇଁ ସରକାରୀ ବାବୁ, ନେତା ମନ୍ତ୍ରୀଙ୍କୁ କେତେ ଗୁହାରି କଲେଣି। କିନ୍ତୁ କାହାରି ଦୃଷ୍ଟି ପଡ଼ୁନି । କ’ଣ ଖାଲି ସାଇନ୍ବୋର୍ଡରେ କର୍ତ୍ତବ୍ୟ ଶେଷ ହୋଇଗଲା ? କିଛି ଅଘଟଣ ଘଟିଲେ କିଏ ଦାୟିତ୍ୱ ନେବ, ନାମଫଳକ ନା ପ୍ରଶାସନ ? ଦୁର୍ଘଟଣା ହେବା ପରେ କାର୍ଯ୍ୟ କରିବା ବୋଧେ ପ୍ରଶାସନର ନୀତି ? ବ୍ରିଜ୍ର ଅବସ୍ଥା ଆଉ ପ୍ରଶାସନର ପଦକ୍ଷେପ ଦେଖି ତ’ ସେଇଆ ହିଁ ଲାଗୁଛି ।
Follow Us