କନକ ବ୍ୟୁରୋ : ଶ୍ରୀମନ୍ଦିର ପାଇଁ ଡ୍ରୋନ୍ ଚିନ୍ତା। ବାରଣ ସତ୍ତ୍ବେ ଶ୍ରୀମନ୍ଦିର ଚୁଡ଼ାରେ ମଧ୍ୟ ଉଡ଼ାଉଛନ୍ତି ଡ୍ରୋନ୍। ଗତକାଲି ରାତିରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇବାକୁ ନେଇ ଦୁଇ ଯୁବକଙ୍କୁ ଧରିଛି ପୁଲିସ । ଶ୍ରୀମନ୍ଦିର ଅନତି ଦୂର ଜହ୍ନିମୁଣ୍ଡିଆ ଛକ ନିକଟରୁ ଡ୍ରୋନ ଅପରେଟ୍ କଲା ବେଳେ ଦୁଇ ଯୁବକଙ୍କୁ କାବୁ କରିଥିଲା ସିଂହଦ୍ୱାର ଥାନା ପୁଲିସ। ଶ୍ରୀମନ୍ଦିର ଉପରେ ପୁଣି ଥରେ ଡ୍ରୋନ। ଗତକାଲି ଅପରାହ୍ନରେ ଡ୍ରୋନ ଉଡୁଥିବା ଖବର ପାଇ ଏସପି ପ୍ରତୀକ ସିଂ ସିଂହଦ୍ୱାର ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ସିଂହଦ୍ଵାର ପୁଲିସ ବିଶେଷ ଟିମ୍ ଦ୍ଵାରା ତଦନ୍ତ ଓ ଛାନଭିନ୍ କରି ସମ୍ପୃକ୍ତ ଡ୍ରୋନକୁ ଜହ୍ନିମୁଣ୍ଡିଆ ଛକରୁ ଜବତ କରିଥିଲା। ଏହି ଘଟଣାରେ ସିଂହଦ୍ଵାର ଥାନା ପୁଲିସ କଟକ କାଜିଡିହର ମଧୁସୂଦନ ଷଡ଼ଙ୍ଗୀଙ୍କୁ ଗିରଫ କରିଛି। ଅନ୍ୟ ଯୁବକଙ୍କୁ ନୋଟିସ ଦେଇ ଛାଡ଼ି ଦେଇଛି । ଏକ ବିବାହ ଉତ୍ସବର ଯୋଗ ଦେବା ପାଇଁ ଆସି ମଧୁସୂଦନ ଶ୍ରୀମନ୍ଦିର ଉପରେ ଏହି ଡ୍ରୋନ ଉଡାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଡିଜିସିଏ ଶ୍ରୀମନ୍ଦିରକୁ ନୋ ଫ୍ଲାଇଙ୍ଗ ଜୋନ ଭାବେ ଚିହ୍ନଟ କରିଛି। ତେଣୁ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଶ୍ରୀମନ୍ଦିର କିମ୍ବା ଏହା ଚତୁଃପାର୍ଶ୍ଵରେ ଡ୍ରୋନ ନଉଡ଼ାଇବା ପାଇଁ ଏସ୍ପି ପ୍ରତୀକ ସିଂ ଅନୁରୋଧ କରିଛନ୍ତି।
ଅଧିକ ପଢ଼ନ୍ତୁ : ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେବା ଘଟଣା, ଅଭିଯୁକ୍ତ ପ୍ରତୀକ୍ ମିଶ୍ରକୁ ବାନ୍ଧିଲା ସିଂହଦ୍ୱାର ଥାନା ପୁଲିସ
ତେବେ ଗତକାଲିକୁ ମିଶାଇ ନିକଟ ଅତୀତରେ ୮ରୁ ଅଧିକ ଥର ଶ୍ରୀମନ୍ଦିର ଉପରେ ପଇଁତରା ମାରିଲାଣି ଡ୍ରୋନ। ଫଳରେ ଶ୍ରୀମନ୍ଦିର ପାଇଁ ଏବେ ଡ୍ରୋନ ପାଲଟିଛି ଚିନ୍ତା। ପ୍ରତ୍ୟେକ ଥର କେବଳ ଡ୍ରୋନ ଜବତ ଏବଂ ଉଡ଼ାଇଥିବା ବ୍ୟକ୍ତିକୁ ନୋଟିସ୍ରେ ସୀମିତ ରହିଯାଇଛି ପୁଲିସ। ଡ୍ରୋନ ଆଇନ୍ ୨୦୨୧ ରୁଲ ୨୨ ଅନୁଯାୟୀ ରେଡ୍ କିମ୍ବା ୟେଲୋ ଜୋନ୍ରେ ଡ୍ରୋନ ଉଡ଼ାଇବା ନିଷେଧ ରହିଛି। ତେଣୁ ଆଇନକୁ କଡ଼ାକଡ଼ି କରିବା ସହ ଆଣ୍ଟି ଡ୍ରୋନ ଟେକ୍ନୋଲୋଜି କେବେ ଲାଗିବ ତାକୁ ସମସ୍ତଙ୍କ ଅପେକ୍ଷା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/22/puri-2026-01-22-19-08-18.jpg)