କନକ ବ୍ୟୁରୋ : ଗ୍ରାମାଞ୍ଚଳରେ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ଥିବା ସମସ୍ତ ଯୋଜନା ଦୁର୍ଗମ ଅଞ୍ଚଳରେ ଫେଲ୍‌ ମାରିଛି । ଗ୍ରୀଷ୍ମ ପୂର୍ବରୁ ଗାଁରେ ଜଳ କଷ୍ଟ ଦେଖା ଦେଲାଣି । ନଳକୂପ ନାହିଁ, କୂଅରୁ ପାଣି ସରିଯାଛି। ଜଳସ୍ତର କମ୍ ଥିବାରୁ ନଳକୂପରୁ ପାଣି ବାହାରୁ ନଥିବାରୁ ଲୋକେ ବର୍ଷ ବର୍ଷ ଧରି ଚୁଆ ପାଣି ପିଉଛନ୍ତି । କାହା ହାତରେ, ତ’ ଆଉ କିଏ ମୁଣ୍ଡେଇକି ଚାଲିଛି ଗରା । ଜମି ହୁଡ଼ା, ଆବଡ଼ାଖାବଡ଼ା ରାସ୍ତା ଦେଇ ଏମିତି କିଛି ଦୂର ଗଲେ ଚୁଆରୁ ପାଣି ଆଣି ଘରକୁ ଆସନ୍ତି ମହିଳା । ପ୍ରତିଦିନ ରାତି ପାହିଲେ ଏମିତି ଲମ୍ବା ଲାଇନ୍‌ ଲାଗେ।  କୋରାପୁଟ ବୈପାରିଗୁଡ଼ା ବ୍ଲକ ଚିପାକୁର ପଞ୍ଚାୟତର ଶିରାଘାଟ ଗାଁର । ପାଣି ଏଠିକାର ପ୍ରତ୍ୟେକଟି ଲୋକ ପାଇଁ ସାତ ସପନ ।  ୫ ବର୍ଷ ତଳେ ଏକ ନଳକୂପ ଖୋଳାଗଲା, ଯାହା ଏବେ ଅଚଳ। ଗୋଟିଏ କୂଅ ଅଛି ସେଥିରୁ ଅଳ୍ପ କିଛି ପରିବାର ପାଣି ନେଲେ ପାଣି ସରିଯାଏ। ପୁଣି ପାଣି ଝରି କୂଅରେ ଜମା ହେବାକୁ ବହୁତ ସମୟ ଲାଗିଥାଏ। ଯେଉଁଥିପାଇଁ ବାଧ୍ୟ ହୋଇ ଚୁଆ ପାଣି ବ୍ୟବହାର କରୁଛନ୍ତି ଗାଁ ଲୋକ।

Advertisment

ଅଧିକ ପଢ଼ନ୍ତୁ : ଚାଷୀକୁ ମଣ୍ଡି ଯନ୍ତ୍ରଣା,  କୋରାପୁଟ ବୈପାରୀଗୁଡ଼ାରେ ମଣ୍ଡିରୁ ଉଠୁନି ଧାନ

 ବର୍ଷା ଦିନେ ଚୁଆ ପାଣି ସମ୍ପୂର୍ଣ୍ଣ ଗୋଳିଆ ହୋଇଯାଏ।‌ ଦୂଷିତ ପାଣି ପିଇ ଲୋକ ଜ୍ବର, କାଶ, ଝାଡ଼ାବାନ୍ତି, ଭଳି ରୋଗର ଶିକାର ହେଉଉନ୍ତି । କାମଳ ରୋଗ ବ୍ୟାପୁଥିବା ଅଭିଯୋଗ ଆସିଛି। ଶିରାଘାଟ ଗାଁରେ ଜଳସ୍ତର କମ ଥିବାରୁ ନଳକୂପ ଖୋଳା ହେଲେ ମଧ୍ୟ ପାଣି ଆସୁନି। ଖରା ଦିନ ପୂର୍ବରୁ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଚିପାକୁର ପଞ୍ଚାୟତ । ଦୁର୍ଗମ ଅଞ୍ଚଳର ମଣିଷ ପାଇଁ ଅପହଞ୍ଚ ସରକାରୀ ଯୋଜନା! ପାଣି ଟିକେ ପାଇଁ କେତେ ହୀନସ୍ତା? ହେବାକୁ ପଡ଼ିବ। ତୁରନ୍ତ ଗାଁରେ ପାଣି ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି।