କନକ ବ୍ୟୁରୋ : ଦୀର୍ଘ ୮ ବର୍ଷ ହେଲା ଅଧପନ୍ତରିଆ ଅବସ୍ଥାରେ ପାନୀୟ ଜଳଯୋଗାଣ ପ୍ରକଳ୍ପ। ବିଶୁଦ୍ଧ ଜଳଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି। ପିଇବା ପାଣି ପାଇଁ ଡହଳବିକଳ ସ୍ଥିତି ଉପୁଜିଛି। ଗୋଟିଏ ନଳକୂପରୁ ବାହାରୁଥିବା ଦୂଷିତ ପାଣି ୭ଶହ ପରିବାରର ଶୋଷ ମେଣ୍ଟାଉଛି। ଅଧାଗଢ଼ା ଅବସ୍ଥାରେ ଛିଡ଼ା ହୋଇଛି ଟାଙ୍କି। ଟାଙ୍କି ଉପରେ ଲତା ଚରିଗଲାଣି। ଆଖପାଖ ବଣବୁଦାରେ ଭର୍ତ୍ତି। ବିଶୁଦ୍ଧ ଜଳଯୋଗାଣ ପାଇଁ ଟଙ୍କା ବ୍ୟୟବରାଦ ହୋଇ ଘରକୁ ଘର ପାଇପ ବିଛାଗଲା। ଟଙ୍କା ଖର୍ଚ୍ଚ ହେଲା କିନ୍ତୁ ଲୋକଙ୍କୁ ମିଳିଲାନି ଶୁଦ୍ଧ ପାନୀୟ ଜଳ ।
କୌଣସି ଉପାନ୍ତ ନୁହେଁ, ଗଜପତି ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୂର ମୁଖ୍ୟ ରାସ୍ତା କଡ଼ରେ ଥିବା କାଶୀନଗର ବ୍ଲକର ମିନିଗାଁରେ ଲାଗି ରହିଛି ପିଇବା ପାଣିର ସମସ୍ୟା। ଗାଁରେ ବୋରିଂ ଓ ଟାଙ୍କି ନିର୍ମାଣ ପାଇଁ ଅନୁଦାନ ଆସି କାମ ଆରମ୍ଭ ହୋଇଥିଲା। ଦୀର୍ଘ ୮ ବର୍ଷ ପରେ ପ୍ରକଳ୍ପ ଅଧପନ୍ତରିଆ। ଗୋଟିଏ ନଳକୂପକୁ ଭରସା କରି ଚଳୁଛନ୍ତି ୭ ଶହରୁ ଅଧିକ ଲୋକ ।
ଅଧିକ ପଢ଼ନ୍ତୁ :ଗଜପତିରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ଜଣେ ବି ଶିଶୁ ରୋଗ ବିଶେଷଜ୍ଞ ନାହାନ୍ତି
ଗାଁରେ ଥିବା ୩ଟି ନଳକୂପରୁ ୨ଟି ଅଚଳ। ଗୋଟିଏରୁ ଗୋଳିଆ ପାଣି ବାହାରୁଛି। ଅନ୍ୟ ବିକଳ୍ପ ନପାଇ ସେଇ ପାଣି ବାଧ୍ୟ ହୋଇ ବ୍ୟବହାର କରିବାକୁ ପଡ଼ୁଛି। ଖରାଦିନେ ନଳକୂପ ପାଣି ଯଥେଷ୍ଟ ନହେଲେ ପୋଖରୀ ପାଣି ବ୍ୟବହାର କରୁଥିବା କହିଛନ୍ତି ଗାଁ ଲୋକ। ଏନେଇ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନି। ବାବୁ କହୁଛନ୍ତି, ମେଗା ପ୍ରକଳ୍ପ ପାଇଁ ଅନ୍ୟ ସବୁ ପ୍ରକଳ୍ପ ବନ୍ଦ କରିଦିଆଗଲା। ଏଥିରେ ସାଧାରଣ ଜନତାଙ୍କ ଭୁଲ୍ କ’ଣ? ବିଭାଗୀୟ କର୍ମଚାରୀଙ୍କ ଅବହେଳା ପାଇଁ ଶୋଷିଲା ଗାଁ! ସରକାରଙ୍କ ଏଥିପ୍ରତି କେବେ ଦୃଷ୍ଟି ପଡ଼ିବ, ଆଉ ଗାଁ ଲୋକ ମୁନ୍ଦାଏ ଶୁଦ୍ଧ ପାଣି ପାଇବେ ତାକୁ ହିଁ ଅପେକ୍ଷା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/06/a2-2026-03-06-18-15-01.jpg)