କନକ ବ୍ୟୁରୋ: କିଛି ଦିନ ତଳେ କନକ ନ୍ୟୁଜ୍ ଆପଣଙ୍କୁ ଦେଖାଇଥିଲା କେମିତି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ର ଅଧିକାଂଶ ଗାଁ ମୋବାଇଲ୍ ସେବା ପାଇଁ ହନ୍ତସନ୍ତ ହେବାର ଖବର ଆମେ ଦେଖିଥିଲୁ । ଏବେ ଆକାଂକ୍ଷୀ ବ୍ଲକରୁ ଆସିଛି ଏକ ଯନ୍ତ୍ରଣାର ଚିତ୍ର । ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ହରିଡ଼ାପଦା ଗାଁର ୯୦ ପରିବାର । ବାଧ୍ୟ ହୋଇ ଖୋଲା କୂଅର ଦୂଷିତ ପାଣି ବ୍ୟବହାର କରୁଛନ୍ତି । ସରକାର ଗ୍ରାମାଞ୍ଚଳର ଜଳକଷ୍ଟ ଦୂର କରିବାକୁ ଅନେକ ଯୋଜନା ତ’ କରୁଛନ୍ତି ହେଲେ ବାସ୍ତବରେ ତାହା କେତେ ଫଳପ୍ରଦ ହେଉଛି ଆସନ୍ତୁ ଦେଖିବା ଏହି ରିପୋର୍ଟରେ ।
ଏହା ବି ପଢ଼ନ୍ତୁ: ଗଞ୍ଜାମରେ ଗର୍ଜିଲା ବନ୍ଧୁକ, ଗୁଳିମାଡ଼ରେ ଯୁବକ ଆହତ
ଟିକେ ଦେଖିଲେ ଏ କୂଅର ପାଣିକୁ । ଦେଖିଲେ ଅପରିଷ୍କାର ଲାଗୁଛି । କିଛି ଗାଁ ପାଇଁ ଏମିତି ପାଣି ହିଁ ଏକମାତ୍ର ଭରସା । ସେମିତି ଏକ ଗାଁ ଢେଙ୍କନାଳ କଙ୍କଡ଼ାହାଡ଼ ବ୍ଲକ ଆଦିବାସୀ ବହୁଳ ହରିଡ଼ାପଦା । ଗାଁରେ ପ୍ରାୟ ୯୦ ପରିବାର ବସବାସ କରୁଥିବା ବେଳେ ଗାଁକୁ ପାଇପ ପାଣି ଆସିଛି । ହେଲେ ମାସରେ ଅଧିକାଂଶ ଦିନ ପାଣି ଆସେନି । ଗାଁରେ ୩ଟି ନଳକୂପରୁ ୨ଟି ଅଚଳ ଅବସ୍ଥାରେ । ଗୋଟିଏ ଚାଲୁଛି ସେଥିରୁ ସଠିକ ଭାବେ ପାଣି ବାହାରୁନି । ଫଳରେ ଲୋକେ ଦୂଷିତ କୂଅ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ।
ପିଇବା ପାଣିର ସମାଧାନ ପାଇଁ ଅନେକ ଥର ଆନ୍ଦୋଳନ କରିଛନ୍ତି ଗାଁ ଲୋକ । ମୌଳିକ ସୁବିଧା ଯୋଗାଇଦେବାକୁ ଗୁହାରି କରିଛନ୍ତି । ପ୍ରତିକାର ଦିଗରେ କୌଣସି ପଦକ୍ଷେପ ନିଆଯାଉନି । ଆଦିବାସୀ ଗାଁକୁ କାହିଁକି ଅଣଦେଖା? କରାଯାଉଛି ତାହା ଏବେ ପ୍ରଶ୍ନ ହୋଇ ଛିଡ଼ାହୋଇଛି ।
ଯଦି ପାଣି ଦେବାର ନାହିଁ ତାହେଲେ ପାଇପ୍ ସଂଯୋଗ ଦେଲ କାହିଁକି? ନା ସବୁ ସରକାରୀ ଯୋଜନା ଲୋକଦେଖାଣିଆ! ଯୋଜନା ଆରମ୍ଭ କରିଦିଅନ୍ତି, ତାପରେ ଭୁଲିଯାଆନ୍ତି ଆମ ବାବୁ । ନହେଲେ ପାଣି ଭଳି ସର୍ବନିମ୍ନ ମୌଳିକ ସୁବିଧା ଟିକେ ଯୋଗାଇଦେବାକୁ ଏତେ ଗୁହାରି କରିବାକୁ ପଡ଼ୁନଥାନ୍ତା ।
Follow Us