Paradeep Photograph: (kanak news)
କନକ ବ୍ୟୁରୋ : ଯିଏ ପରିବାର ର ଦାୟିତ୍ବ ନେବାକୁ ସ୍ବପ୍ନ ଦେଖୁଥିଲା, ଆଜି ସିଏ ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି । ସ୍ବପ୍ନ ଓ ଭବିଷ୍ୟତ ବନ୍ଧା ପଡ଼ିଛି ଲୁହା ଶିକୁଳିରେ । କାରଣ ହେଉଛି ନିଜ ମାନସିକ ଉପରୁ ନିୟନ୍ତ୍ରଣ ହରାଇବସିଛି ଝିଅ । ଚିକିତ୍ସା ପାଇଁ ଅର୍ଥ ନାହିଁ । ସରକାରଙ୍କ ଯୋଜନା ବି ଏମାନଙ୍କ ପାଇଁ ଅପହଞ୍ଚ ।
ଗୋଡ଼ରେ ଲୁହାର ବେଡ଼ି ପଡ଼ିଛି । କେତେବେଳେ ମନକୁ ମନ ହସୁଛି, କେତବେଳେ କାନ୍ଦୁଛି। ଆଉ କେତେବେଳେ ରାଗିଯାଉଛି । ଦୁନିଆ କ’ଣ ବୁଝିବାକୁ ସେ ଅସମର୍ଥ । ସେ ହେଉଛନ୍ତି ପାରାଦୀପ ନୂଆବଜାର ୧୪ ନମ୍ବର ୱାର୍ଡର ସଞ୍ଜୟଗାନ୍ଧି ବସ୍ତିରେ ରହୁଥିବା ଜ୍ୟୋସ୍ନା । ୩ ଭାଇଙ୍କର ଅଲିଅଳି ଭଉଣୀ । ଦଶମ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରି ପାରାଦୀପ କଲେଜରେ ନାମ ଲେଖାଇ ଉଚ୍ଚ ଶିକ୍ଷାର ସ୍ବପ୍ନ ଦେଖୁଥିଲେ । ହେଲେ ଦଇବର ନିଷ୍ଠୁରତା ଆଗରେ ଭବିଷ୍ୟତ ବନ୍ଧା ପଡ଼ିଗଲା । ମାନସିକ ନିୟନ୍ତ୍ରଣ ହରାଇ ବସିଲେ । ଏବେ ସେ ଭଲ ମନ୍ଦ ଜାଣିପାରୁନାହାନ୍ତି। ଏଣେତେଣେ ଦୌଡ଼ି ପଳାଉଥିବା ସହ ଅନ୍ୟକୁ କାମୁଡ଼ିବାକୁ ଗୋଡ଼ାଉଥିବାରୁ ଝିଅକୁ ଶିକୁଳିରେ ବାନ୍ଧ ରଖିଛି ମା’।
ଅଧିକ ପଢ଼ନ୍ତୁ--୨୦୧୨ ରିୟାଲିଟି ଶୋରୁ ଆରମ୍ଭ କରିଥିଲେ ସଙ୍ଗୀତର ଯାତ୍ରା, ୧୦ ବର୍ଷରେ ହାତେଇଥିଲେ ଅଦ୍ଭୁତପୂର୍ବ ସଫଳତା
ଦିନ ଥିଲା ହସଖୁସିରେ ଫାଟିପଡୁଥିଲା ନଳିନୀଙ୍କ ସଂସାର । ହେଲେ ବର୍ଷେ ତଳେ ପରିବାର ଉପରେ ଲଦି ହୋଇପଡ଼ିଲା ଦୁଃଖର ପାହାଡ଼। ସ୍ବାମୀଙ୍କର ହୃଦଘାତରେ ମୃତ୍ୟୁ ହେଲା ପରେ କଲେଜ ପଢ଼ୁଆ ଝିଅ ଜ୍ୟୋତ୍ସ୍ନା ହଠାତ ମାନସିକ ବିକୃତ ହୋଇଗଲା । ଚିକିତ୍ସା ପରେ ବି ଝିଅ ଠାରେ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ । ଝିଅ ଭଲ ହେବାକୁ ଆହୁରି ଭଲ ଚିକିତ୍ସା ଦରକାର ହେଲେ ସେଥିପାଇଁ ଟଙ୍କା ନାହିଁ ।
ନା ଜ୍ୟୋସ୍ନାଙ୍କୁ ଭତ୍ତା ମିଳୁଛି ନା ନଳିନୀଙ୍କୁ ମିଳୁଛି ବିଧବା ଭତ୍ତା । ପ୍ରାଶାସନିକ ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ବି କେହି ତାଙ୍କ କଥା ଶୁଣୁନାହାନ୍ତି । ସାହି ପଡ଼ିଶା ଯାହା କିଛି ସାହାଯ୍ୟ କରୁଛନ୍ତି, ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ସରକାରୀ ସ୍ତରରେ ସହାୟତା ଯୋଗାଇଦେଲେ ଅସହାୟ ପରିବାର ଉପକୃତ ହୋଇପାରିବ ।
Follow Us