କନକ ବ୍ୟୁରୋ : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡ଼ିଆରଡ଼ିଓ) ଅଧୀନରେ ପ୍ରତିରକ୍ଷା ଧାତୁ ଗବେଷଣା ପ୍ରୟୋଗଶାଳା (ଡ଼ିଏମଆରଏଲ) ଦ୍ୱାରା ପ୍ରତିରକ୍ଷା-ଗ୍ରେଡ୍ ଡ଼ିଏମଆର-୨୪୯ ଏ ଇସ୍ପାତ ପାଇଁ ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର ପାଇଁ ଲାଇସେନ୍ସିଂ ଚୁକ୍ତିନାମା ପ୍ରମାଣପତ୍ର ଆନୁଷ୍ଠାନିକ ଭାବରେ ସେଲ ରାଉରକେଲା ଇସ୍ପାତ କାରଖାନାକୁ ହସ୍ତାନ୍ତର କରାଯାଇଛି । ନଭେମ୍ବର ୧୫ ତାରିଖରେ ହାଇଦ୍ରାବାଦର ତମହଙ୍କାର ଅଡିଟୋରିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ପେଶାଲ୍ ପ୍ଳେଟ ପ୍ଲାଣ୍ଟ ବିଭାଗର ଜିଏମ ଇନ-ଚାର୍ଜ ଆର ଏସ ଶର୍ମା ଏବଂ ଡ଼ିଜିଏମ ଡି ଏସ ଦେ ଆରଏସପି ତରଫରୁ ଏହି ମର୍ଯ୍ୟଦାଜନକ ଡକ୍ୟୁମେଣ୍ଟ ଗ୍ରହଣ କରିଥିଲେ ।
ଉଲ୍ଲେଖନୀୟ ଯେ, ୨୪୯ ଏ ହେଉଛି ଏକ ବିଶେଷ, ଉଚ୍ଚ-ଶକ୍ତି, କଠିନ ଇସ୍ପାତ, ଯାହାକୁ ଦେଶର ନୌସେନା ପ୍ରୟୋଗ ପାଇଁ ଡ଼ିଆରଡ଼ିଓ ଦ୍ୱାରା ସତର୍କତାର ସହିତ ବିକଶିତ କରାଯାଇଛି, ଯାହା ନୌସେନା ଜାହାଜର ମାଂସପେଶୀ ଗଠନ କରିଥାଏ । ଏହା ଆମ ଦେଶକୁ ସୁରକ୍ଷା ଦେଉଥିବା ସ୍ୱଦେଶୀ ଯୁଦ୍ଧଜାହାଜ ଏବଂ ବୁଡ଼ାଜାହାଜ ନିର୍ମାଣରେ ଏକ ପ୍ରମୁଖ ଉପାଦାନ।
ଡ଼ିଏମଆରଏଲରେ ଏକ ପରୀକ୍ଷାଗାର ନମୁନାରୁ ଏକ ୪୦ ମିଲିମିଟର ମୋଟେଇଯୁକ୍ତ ସର୍ବୋତକୃଷ୍ଟ ରୋଲ ହୋଇଥିବା ହିଟ ଟ୍ରିଟେଡ ପ୍ଲେଟର ଯାତ୍ରା ଅତ୍ୟନ୍ତ ଅନନ୍ୟ । ଏଥିପାଇଁ ଡ଼ିଏମଆରଏଲର ପ୍ରଯୁକ୍ତି ସଠିକତା ଏବଂ ସେଲର ନିର୍ମାଣ ଦକ୍ଷତାର ଆବଶ୍ୟକତା ରହିଛି ଯେଉଁମଧ୍ୟରେ ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ କାଷ୍ଟ ହୋଇଥିବା ସ୍ଲାବ୍ ଠାରୁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ପ୍ରସ୍ତୁତ ଚୁଡାନ୍ତ ପ୍ଲେଟ ପର୍ଯ୍ୟନ୍ତ ବଳିଷ୍ଠ ପ୍ରକ୍ରିୟା ସାମିଲ ରହିଛି । ଏହା ଏହାର ସର୍ବୋତ୍ତମ ରୂପରେ "ଲ୍ୟାବ୍-ଟୁ-ଇଣ୍ଡଷ୍ଟ୍ରି" ମଡେଲ୍। ଏହା ଡ଼ିଏମଆରଏଲ ଏବଂ ସେଲର ଅଗଣିତ ବୈଜ୍ଞାନିକ, ଇଞ୍ଜିନିୟର, ଟେକ୍ନିସିଆନ୍ ଏବଂ କର୍ମଚାରୀଙ୍କ ଅକ୍ଳାନ୍ତ ପ୍ରୟାସର ଫଳାଫଳ, ଯେଉଁମାନେ ଏହି ଅସାଧାରଣ ଉତ୍ପାଦର ବିକାଶ, ପରୀକ୍ଷଣ, ରୋଲିଂ ଏବଂ ଗୁଣବତ୍ତା ସୁନିଶ୍ଚିତ ଉପରେ କାର୍ୟ୍ୟ କରିଛନ୍ତି ।
ସେଲ ଆରଏସପିକୁ ଉକ୍ତ ପ୍ରମାଣପତ୍ର ହସ୍ତାନ୍ତର ମଧ୍ୟ ପ୍ରତିରକ୍ଷାର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକ ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ଭାରତର ତ୍ୱରାନ୍ୱିତ ଯାତ୍ରାର ଏକ ଶକ୍ତିଶାଳୀ ପ୍ରତୀକ। ଏହା ଭାରତର ପ୍ରମୁଖ ଗବେଷଣା ଏବଂ ବିକାଶ ସଂସ୍ଥା ଡ଼ିଆରଡ଼ିଓ ଏବଂ ସେଲ ମଧ୍ୟରେ ସଫଳ, ସମନ୍ୱିତ ସହଭାଗୀତାକୁ ପ୍ରତିନିଧିତ୍ୱ କରେ ।
Follow Us