କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣି ଥରେ ଗ୍ରିନଲ୍ୟାଣ୍ଡକୁ ଦଖଲ କରିବା ପାଇଁ ଶକ୍ତି ପ୍ରୟୋଗ କରିବାକୁ ଚେତାବନୀ ଦେଇଛନ୍ତି ।  ସେ ସ୍ୱୟଂଶାସିତ ଆର୍କଟିକ ଦ୍ୱୀପ ଉପରେ ଡେନମାର୍କର ସାର୍ବଭୌମତ୍ୱକୁ ହଟାଇବାକୁ ଉଦ୍ୟମ କରୁଛନ୍ତି । ସେ କହିଛନ୍ତି, ଆମେ ଗ୍ରିନଲ୍ୟାଣ୍ଡରେ କିଛି କରିବାକୁ ଯାଉଛୁ, ସେମାନେ ଏହାକୁ ପସନ୍ଦ କରନ୍ତୁ କି ନ କରନ୍ତୁ ଆମର କିଛି ଯାଏ ଆସେ ନାହିଁ । ଟ୍ରମ୍ପ୍ ହ୍ୱାଇଟ୍ ହାଉସରେ ଏକ ବୈଠକରେ କହିଛନ୍ତି, ଭେନେଜୁଏଲାରେ ଲାଭ ପାଇବାକୁ ଚାହୁଁଥିବା ତୈଳ ଅଧିକାରୀମାନଙ୍କ ସହିତ ଆଲୋଚନା ହୋଇଛି । 

Advertisment

ଗ୍ରିନଲ୍ୟାଣ୍ଡ ବିଷୟରେ ପଚରାଯିବାରୁ ଟ୍ରମ୍ପ୍ କହିଛନ୍ତି,ମୁଁ ସହଜ ଉପାୟରେ ଏକ ଚୁକ୍ତି କରିବାକୁ ଚାହୁଁଛି ବୋଲି, ଜାଣିଛ । କିନ୍ତୁ ଯଦି ଆମେ ଏହାକୁ ସହଜ ଉପାୟରେ ନ କରିପାରୁ, ତେବେ ଆମେ ଏହାକୁ କଠୋର ପଦକ୍ଷେପ ନେବାକୁ ପଡ଼ିବ । ଟ୍ରମ୍ପ୍ କହିଛନ୍ତି ଆର୍କଟିକରେ ରୁଷ ଏବଂ ଚୀନ୍‌ର ବଢୁଥିବା ସାମରିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଖଣିଜ ପଦାର୍ଥରେ ସମୃଦ୍ଧ ଏହି ଦ୍ୱୀପକୁ ନିୟନ୍ତ୍ରଣ କରିବା ଆମେରିକାର ଜାତୀୟ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି ।

ଆମେ ରୁଷ ଏବଂ ଚୀନ୍‌କୁ ଗ୍ରିନଲ୍ୟାଣ୍ଡ ଦଖଲ କରିବାକୁ ଦେବୁ ନାହିଁ । ଯଦି ଆମେ କଠୋର ପଦକ୍ଷେପ ଗ୍ରହଣ ନ କରିବୁ, ତେବେ  ରୁଷ ଏବଂ ଚୀନ୍‌ ଗ୍ରିନଲ୍ୟାଣ୍ଡ ଦଖଲ  କରିନେବେ । ତେଣୁ ଆମେ ଗ୍ରିନଲ୍ୟାଣ୍ଡ ବିରୋଧରେ ପଦକ୍ଷେପ କରିବୁ । ତାହା ଭଲ ଉପାୟରେ ହୋଇପାରେ ଅବା ଅଧିକ କଠୋର ମଧ୍ୟ ହୋଇପାରେ । ରୁଷ ଏବଂ ଚୀନ୍‌ ଗତ କିଛି ବର୍ଷ ମଧ୍ୟରେ ଆର୍କଟିକ ଅଞ୍ଚଳରେ ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିଛନ୍ତି, କିନ୍ତୁ ଉଭୟ ଦେଶ ଏହି ବିଶାଳ ବରଫାବୃତ ଦ୍ୱୀପ ଉପରେ କୌଣସି ଦାବି କରିନାହାନ୍ତି ।

ଆମେରିକାରର ଏକ ସାମରିକ ଘାଟି ଥିବା ଗ୍ରିନଲ୍ୟାଣ୍ଡକୁ ନିୟନ୍ତ୍ରଣ କରିବାକୁ ଟ୍ରମ୍ପ୍‌ଙ୍କ ଧମକ ନେଇ ଡେନମାର୍କ ଏବଂ ଅନ୍ୟାନ୍ୟ ୟୁରୋପୀୟ ସହଯୋଗୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକ୍ସେନ୍ ଚେତାବନୀ ଦେଇଛନ୍ତି, ଗ୍ରିନଲ୍ୟାଣ୍ଡ ଉପରେ ଆକ୍ରମଣ ସବୁକିଛି ଶେଷ କରିବ । ନାଟୋ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସୁରକ୍ଷା ସହମତି ମଧ୍ୟ ସମାପ୍ତ ହୋଇଯିବ । ୨୦୦୩ ମସିହାରେ ଇରାକ ଉପରେ ହୋଇଥିବା ବିବାଦୀୟ ଆକ୍ରମଣ ସମୟରେ ଆମେରିକାରର ସହଯୋଗୀ ପାଲଟିଥିବା  ଡେନମାର୍କର ଚେତାବନୀକୁ ଟ୍ରମ୍ପ୍ ଅଣଦେଖା କରିଛନ୍ତି ।

ଏହା ବି ପଢ଼ନ୍ତୁ: ପାକ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବାଦୀୟ ବୟାନ, କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରାଯାଉ

ଟ୍ରମ୍ପ୍ କହିଛନ୍ତି, ମୁଁ ମଧ୍ୟ ଡେନମାର୍କର ଜଣେ ପ୍ରଶଂସକ । ଆମ ମଧ୍ୟରେ ଭଳ ସମ୍ପର୍କ ରହିଛି । ୫୦୦ ବର୍ଷ ପୂର୍ବେ ସେଠାରେ ସେମାନଙ୍କର ଏକ ଡଙ୍ଗା ସେଠାରେ ପହଞ୍ଚିଥିଲା । ତାହାର ଅର୍ଥ ନୁହେଁ ଯେ, ‌ଡେନମାର୍କ ଗ୍ରିନଲ୍ୟାଣ୍ଡର ମାଲିକ । ସୂଚନାଯୋଗ୍ୟ, ଆମେରିକାର ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଆସନ୍ତା ସପ୍ତାହରେ ଡେନମାର୍କର ବୈଦେଶିକ ମନ୍ତ୍ରୀ ଏବଂ ଗ୍ରିନଲ୍ୟାଣ୍ଡର ପ୍ରତିନିଧିମାନଙ୍କ ସହିତ ସାକ୍ଷାତ କରିବେ । ଆମେରିକାର ଆଭିମୁଖ୍ୟ ନେଇ ଡେନମାର୍କ ମଧ୍ୟ କଡ଼ା ସ୍ବରରେ ଚେତାବନୀ ଦେଇଛି । ଗ୍ରିନଲ୍ୟାଣ୍ଡ ଉପରେ ଆମେରିକୀୟ ଆକ୍ରମଣ ହେଲେ ଡେନମାର୍କକୁ ନିଜକୁ ରକ୍ଷା କରିବାକୁ ପଡିବ ବୋଲି ଡେନମାର୍କର ସାଂସଦ ଏବଂ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ରାସମୁସ୍ ଜାର୍ଲୋଭ କହିଛନ୍ତି । ସେ ସ୍ୱୀକାର କରିଛନ୍ତି, ଯଦିଓ ଡେନମାର୍କ ସେନା ଆମେରିକାକୁ ଅଟକାଇ ପାରିବ ନାହିଁ, କିନ୍ତୁ ଏଭଳି ଆକ୍ରମଣ କଦାପି ଗ୍ରହଣୀୟ ନୁହେଁ ।  ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଜାରଲୋଭ କହିଛନ୍ତି, ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ, ଆମ ଉପରେ ସାମରିକ ଆକ୍ରମଣ ଗ୍ରହଣୀୟ ନୁହେଁ । ଯଦି ଏଭଳି ହୁଏ ତେବେ ଦୁଇଟି ନାଟୋ ଦେଶ ମଧ୍ୟରେ ଯୁଦ୍ଧ ବିନାଶକାରୀ ପରିସ୍ଥିତି ସୃଷ୍ଟି କରିବ । 

ଜାରଲୋଭ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ୍‌ ଗ୍ରିନଲ୍ୟାଣ୍ଡ ଉପରେ ଆକ୍ରମଣ କରିବାର ଧମକ ଦେବା ଅବା ଶତ୍ରୁତା ଆଚରଣ କରିବାର ଯଥାର୍ଥତା ନାହିଁ । କାରଣ ଆମେରିକାର ପୂର୍ବରୁ ଗ୍ରିନଲ୍ୟାଣ୍ଡରେ ପ୍ରବେଶ କରିସାରିଛି ।  ଦୁଇ ରାଷ୍ଟ୍ର ମଧ୍ୟରେ ଏକ ପ୍ରତିରକ୍ଷା ଚୁକ୍ତି ରହିଛି । ଏହା ଉଭୟଙ୍କୁ ଖଣି ଖନନ କରିବାକୁ ଅନୁମତି ପ୍ରଦାନ କରିଥାଏ ।  ଏପରିସ୍ଥଳେ ଆମେରିକା ପକ୍ଷରୁ ଏଭଳି କରାଯିବାର କୌଣସି ଆବଶ୍ୟକତା ନାହିଁ । ଆମେ ଆଶା କରୁଛୁ ସ୍ବାଭାବିକ ସ୍ଥିତି ଫେରି ଆସିବ । ସୂଚନାଯୋଗ୍ୟ, ଟ୍ରମ୍ପ୍ ପୂର୍ବରୁ ତାଙ୍କ ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ୨୦୧୯ରେ ଏହି ଦ୍ୱୀପକୁ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ତାଙ୍କୁ କୁହାଯାଇଥିଲା ଯେ ଏହା ବିକ୍ରୟ ପାଇଁ ନୁହେଁ । ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ​​ବିଜୟୀ ହେବା ପରେ ଟ୍ରମ୍ପ୍ ଗ୍ରିନଲ୍ୟାଣ୍ଡ କିଣିବା ପାଇଁ ତାଙ୍କ ପ୍ରଥମ କାର୍ଯ୍ୟକାଳର ପ୍ରସ୍ତାବକୁ ପୁନର୍ବାର ଦୋହରାଇ ଥିଲେ । ତେବେ ଏହାକୁ ପୁଣି ଥରେ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

ଏହା ବି ପଢ଼ନ୍ତୁ:  ଋଷକୁ ଚେକମେଟ୍ ଦେବାକୁ ଆମେରିକାର ମାଷ୍ଟରପା୍ଲାନ, ଭେନେଜୁଏଲା ତେଲକୁ କମ୍ ଦାମରେ ବିକିବ ୱାସିଂଟନ୍

ଜାରଲୋଭ କହିଛନ୍ତି, ଗ୍ରିନଲ୍ୟାଣ୍ଡ ବିକ୍ରୟ ପାଇଁ ନୁହେଁ । ଏହା ଆମ ପାଇଁ କିଣାବିକାର ବିଷୟ ନୁହେଁ ।  ଆମେ ୫୭,୦୦୦ ଡେନମାର୍କ ନାଗରିକଙ୍କୁ ଆମେରିକୀୟ ହେବା ପାଇଁ ବିକ୍ରି କରିପାରିବୁ ନାହିଁ ।  ନେଇ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡେରିକ୍ସେନ୍ ଚେତାବନୀ ଦେଇଛନ୍ତି, ଗ୍ରିନଲ୍ୟାଣ୍ଡ ଦଖଲ ପାଇଁ ଆମେରିକାର ସଶସ୍ତ୍ର ଆକ୍ରମଣ ୭୬ ବର୍ଷ ପୁରୁଣା ପଶ୍ଚିମ ସାମରିକ ମେଣ୍ଟର ଅନ୍ତ ଘଟାଇପାରେ । ନିଶ୍ଚିତ ଭାବରେ ଏକ ସାମରିକ ଆକ୍ରମଣ ନାଟୋର ଅନ୍ତ ହେବ, କାରଣ ଏହାପରେ ଡେନମାର୍କକୁ ନାଟୋର ଧାରା ୫ କୁ ପ୍ରବର୍ତ୍ତନ କରିବାକୁ ପଡିବ । ଏହି ଧାରା ଦେଶମାନଙ୍କୁ ସୁରକ୍ଷା ଦେବାକୁ ଶପଥ ସମ୍ପର୍କରେ ସୂଚିତ କରିଥାଏ । ଏହା ଆମେରିକା ଏବଂ ଅନ୍ୟ ସମସ୍ତ ଦେଶ ଡେନମାର୍କକୁ ସୁରକ୍ଷା ଦେବାରେ ସାହାଯ୍ୟ କରିବାକୁ ବାଧ୍ୟ ହେବେ । ଏହା ପରେ ଆମେରିକା ନିଜର ଭିଟୋ ଅଧିକାରର ପ୍ରୟୋଗ କରିବ । ପପରେ ନାଟୋ ଶେ ହୋଇଯିବ ।

ହ୍ୱାଇଟ୍ ହାଉସ୍ କହିଥିଲା  ଗ୍ରିନଲ୍ୟାଣ୍ଡ ଅଧିଗ୍ରହଣ ପାଇଁ "ବିଭିନ୍ନ ବିକଳ୍ପ" ଉପରେ ବିଚାର କରାଯାଉଛି । ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ ଏକ ବ୍ରିଫିଂ ସମୟରେ କହିଥିଲେ ଯେ ସାମରିକ ଶକ୍ତି ବ୍ୟବହାର ବିଚାର ବାହାରେ ନାହିଁ । ଲିଭିଟ୍ କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ୍ ସ୍ପଷ୍ଟ କରିଛନ୍ତି ଗ୍ରିନଲ୍ୟାଣ୍ଡ ଅଧିଗ୍ରହଣ ଆମେରିକାର ଏକ ଜାତୀୟ ସୁରକ୍ଷା ପ୍ରାଥମିକତା । ଆର୍କଟିକ୍ ଅଞ୍ଚଳରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ନିରୋଧ କରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି,ସେ ଆସନ୍ତା ସପ୍ତାହରେ ଡେନମାର୍କ ଏବଂ ଗ୍ରିନଲ୍ୟାଣ୍ଡର ଅଧିକାରୀମାନଙ୍କୁ ଭେଟିବାକୁ ଯୋଜନା କରୁଛନ୍ତି । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଟ୍ରମ୍ପ ଦ୍ୱୀପକୁ କିଣିବାକୁ ଚାହାଁନ୍ତି ଏବଂ ସାମରିକ ଶକ୍ତି ବ୍ୟବହାର କରିବାକୁ ଚାହାଁନ୍ତି ନାହିଁ । ଡେନମାର୍କ ଆମେରିକୀୟ ଅଧିକାରୀଙ୍କ ସହିତ ହେବାକୁଥିବା ବୈଠକକୁ ନିଷ୍ପତ୍ତିକୁ ସ୍ୱାଗତ କରିଛି ।