vegetables Photograph: (KanakNews)
କନକ ବ୍ୟୁରୋ; କୃଷି ବହୁଳ ନବରଙ୍ଗପୁର ଜିଲ୍ଲାର ପରିବା ଚାଷୀଙ୍କ ପାଇଁ ଖୁସି ଖବର । ଜିଲ୍ଲାର ଉମରକୋଟ, ରାଇଘର ଅଞ୍ଚଳରୁ ଉତ୍ପାଦନ ହେଉଥିବା ପରିବା ପ୍ରଥମ ଥର ପାଇଁ ବିଦେଶକୁ ରପ୍ତାନୀ ହୋଇଛି । ଦେଶୀ ପରିବା ଦୁବାଇ ଭଳି ଦେଶରେ ବିକ୍ରି ହେବା ସହ ବିଦେଶୀ ଲୋକଙ୍କୁ ବେଶ ପସନ୍ଦ ଆସୁଛି । ଦେଶୀ ପନିପରିବାର ଚାହିଦା ଦୁବାଇରେ ଭଲ କ୍ରେଜ୍ ରହିଛି ତେଣୁ ରପ୍ତାନି କରି ଚାଷୀ ବେଶ ଖୁସି ଅଛନ୍ତି। ଉମରକୋଟର ୪ ଜଣ ଓ ରାଇଘରର ଜଣେ ଏହିଭଳି ୫ ଜଣ ଚାଷୀ ଦୁବାଇ ଭଳି ଦେଶରେ ନିଜ ପରିବା ବିକ୍ରି କରି ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧ ହଜାର କେଜି ପରିବା ଉମରକୋଟରୁ ବସ୍ ଯୋଗେ ଭୁବନେଶ୍ୱର ଯାଇଥିଲା । ଭୁବନେଶ୍ୱରରେ ଭିଲାମାର୍ଟ ନାମକ ସଂସ୍ଥା ଦ୍ୱାରା ପରିବା ଗୁଡିକୁ ସ୍ଵତନ୍ତ୍ର ପ୍ୟାକିଙ୍ଗ କରି ବିମାନରେ ଦୁବାଇ ପଠାଇଥିଲେ ଚାଷୀ ।
ଅଧିକ ପଢନ୍ତୁ: ପରିବା ଚାଷୀଙ୍କ ଉପରେ କରୋନା ମାଡ । କ୍ଷେତରେ ଖତ ହେଲା ସବୁଜ ପରିବା, ଅମଳ ଫସଲ ବିକ୍ରି କରିପାରୁନି ଚାଷୀ, ବିଲରେ ଶୁଖୁଛି ତରଭୁଜ
ପରିବା ମଧ୍ୟରେ ଫ୍ରେଞ୍ଚ ବିନସ୍, କୁନ୍ଦୁରି, ଛୋଟ ଆଳୁ, ପୋଟଳ, ରସୁଣ ଓ କଞ୍ଚା ଅମୃତଭଣ୍ଡା ରହିଥିଲା । ଆଗକୁ ଫୁଲକୋବି, ଟମାଟୋ, ଲଙ୍କା ମରିଚ, ଭେଣ୍ଡି, ଜହ୍ନି, ଲାଉ ଓ କାକୁଡ଼ି ଭଳି ପରିବା ଦୁବାଇକୁ ରପ୍ତାନୀ ପାଇଁ ଲକ୍ଷ୍ୟ ରହିଛି । ଆଗାମୀ ଦିନରେ ସପ୍ତାହକୁ ଦୁଇ ଥର ପଠାଯିବ ବୋଲି କହିଛନ୍ତି ଚାଷୀ। ସ୍ଥାନୀୟ ବଜାର ଠାରୁ ତିନିଗୁଣ ଅଧିକ ଦାମ୍ରେ ବିଦେଶରେ ବିକ୍ରି ହେଉଛି ପରିବା। ଦୁବାଇରେ ପରିବା କିଲୋପିଛା ୩୦୦ ରୁ ୩୫୦ ଟଙ୍କାରେ ବିକ୍ରି ହେଉଛି। ଭୁବନେଶ୍ୱର ଠାରୁ ଦୁବାଇ ଯିବା ପାଇଁ ବିମାନ ଭଡ଼ା କିଲୋ ପିଛା ପ୍ରାୟ ୬୦ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଦୁବାଇକୁ ପଠାଇବାକୁ ହେଲେ ପରିବାର ମାନ ଭଲ ରହିବା ସହ ପରିବା ଉପରେ କୌଣସି ଚିହ୍ନ ନଥିବା ଆବଶ୍ୟକ ବୋଲି କହିଛନ୍ତି ଚାଷୀ। ସ୍ଥାନୀୟ ଚାଷୀ ଉନ୍ନତ ମାନର ଚାଷ କରି ଅମଳ ପରିବା ଦୁବାଇ ପଠାଇଥିଲେ । ସେମାନେ ଭଲ ଲାଭ ମଧ୍ୟ ପାଇଛନ୍ତି । ଆଗାମୀ ଦିନରେ ଆହୁରି କିଛି ପରିବା ମଧ୍ୟ ଯିବ ତେଣୁ ଉଦ୍ୟାନ ବିଭାଗ ପକ୍ଷରୁ ଯାହା ସହଯୋଗ କରାଯିବା କଥା ଆମେ କରିଛୁ ବୋଲି କହିଛନ୍ତି ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ।
ରପ୍ତାନି ପାଇଁ ଯେଉଁ ନିୟମ ରହିଛି ତାକୁ ଧ୍ୟାନ ରଖି ଚାଷ କରିବା ସହ ବିଦେଶକୁ ପଠାଇଲେ ଅନ୍ୟ ଯୁବଚାଷୀ ମଧ୍ୟ ଭଲ ରୋଜଗାର କରିପାରିବେ । ଭୁବନେଶ୍ୱରରୁ ଦୁବାଇ ରପ୍ତାନି କରିବା ପାଇଁ ସରକାରଙ୍କ ତରଫରୁ ସବସିଡି ମିଳୁଛି କିନ୍ତୁ ଉମରକୋଟରୁ ଭୁବନେଶ୍ୱର ଯିବା ପାଇଁ ଯେଉଁ ଖର୍ଚ୍ଚ ହେଉଛି ସେଥିରେ ଯଦି ସରକାର କିଛି ବ୍ୟବସ୍ଥା କରନ୍ତେ ଭଲ ହୁଅନ୍ତା ବୋଲି କହିଛନ୍ତି ଚାଷୀ ।
Follow Us