କନକ ବ୍ୟୁରୋ : ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା । ଗାଁଠୁ ସହର ସବୁଠି ଜମୁଛି ଦୋଳ ମେଲଣ । କେଉଁଠି ରାଧା-କୃଷ୍ଣ, ତ କେଉଁଠି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମା ବିମାନରେ ବିରାଜମାନ ହୋଇ ଗାଁ ଗାଁ ବୁଲୁଛନ୍ତି । ଏବଂ ନିଜ ଭକ୍ତଙ୍କ ଘରେ ଭୋଗ ଖାଇ ରଙ୍ଗବେରଙ୍ଗର ଅବିର ଖେଳିଥାନ୍ତି ପ୍ରଭୁ ଦୋଳଗୋବିନ୍ଦ। ଏହି ଅବସରରେ ଉତ୍ସବମୁଖର ହୋଇଉଠିଛି ସାରା ରାଜ୍ୟ ।
ଭକ୍ତର ଭଗବାନଙ୍କ ପ୍ରତି ଥିବା ବିଶ୍ବାସ ଯୋଗୁଁ ଜମିଛି ହଜାର ହଜାର ଭକ୍ତଙ୍କ ଭିଡ଼ । ହରିବୋଲ, ହୁଳୁହୁଳିରେ କମ୍ପୁଛି ପରିବେଶ । ଉତ୍କଳୀୟ ପରମ୍ପରାର ଏକ ଝଲକ ଗଜପତି ପାରଳାଖେମୁଣ୍ଡିର ଦୋଳ ମେଳଣ । ପ୍ରତିଦିନ ସନ୍ଧ୍ୟାରେ ରାମସ୍ବାମୀ ମନ୍ଦିରରୁ ରାଧାକୃଷ୍ଣଙ୍କୁ ନଗର ପରିକ୍ରମା କରି ଦୋଳ ମଣ୍ଡପରେ ପୂଜାର୍ଚ୍ଚନା କରାଯାଉଛି । ୬ଦିନ ଧରି ଚାଲିଥିବା ଏହି ପର୍ବର ପଞ୍ଚମ ଦିନରେ ପାଳିତ ହୋଇଛି ମଘାପୋଡ଼ି ବା ହୋଲିକା ଦହନ ଉତ୍ସବ । ପରମ୍ପରା କୁହେ, ଏହି ଦିନ ହର ଓ ହରିଙ୍କ ଅପୂର୍ବ ମିଳନ ହୋଇଥାଏ । ଯାହାକୁ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଲୋକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମିନାବଜାରର ମଧ୍ୟ ଆୟୋଜନ କରାଯାଇଛି ।
ଅଧିକ ପଢ଼ନ୍ତୁ---କୁନି ପୁଅକୁ ରୋଗ ଯନ୍ତ୍ରଣା ; ଅଭାବରୁ ଅଟକି ଯାଇଛି ଚିକିତ୍ସା
ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୁଲାଡ଼ ଠାରେ ମଧ୍ୟ ବେଶ ଧୂମଧାମରେ ପାଳନ କରାଯାଉଛି ଦୋଳ ପର୍ବ। ଭଞ୍ଜରାଜାଙ୍କ ସମୟରୁ ଚାଲିଆସୁଥିବା ଏହି ପରମ୍ପରାରେ ପ୍ରଥମେ ରାଜଗୁରୁଙ୍କୁ ସବାରୀରେ ମେଳଣ ମଣ୍ଡପକୁ ଅଣାଯାଇଥାଏ। ପରେ ଚାରିଦିଗରୁ ଆସିଥାନ୍ତି ଚାରି ଠାକୁର। ନଦୀ ପାରହୋଇ ନାରାୟଣାପାଟଣା ଗାଁରୁ ନାରାୟଣ ଓ ଗୋପିନାଥ ଠାକୁର ଆସୁଥିବା ବେଳେ ବଡ଼ଦାଣ୍ଡରୁ ଜଗନ୍ନାଥ ଓ ଅନ୍ୟ ଏକ ସାହିରୁ ଆସିଥାନ୍ତି ରଘୁନାଥ ଠାକୁର। ପର୍ବ ପାଳନ ପରେ ନଦୀ ପାର ହୋଇ ସମସ୍ତ ଠାକୁର ବିମାନରେ ଯାଇଥାନ୍ତି। ଠାକୁରଙ୍କୁ ନିଜ ଘର ପାଖରେ ପାଇ ଭକ୍ତ ବି ବେଶ ଉତ୍ସାହିତ। ଓଡ଼ିଆ ୧୨ମାସରେ ତେର ପର୍ବ ପାଳନ କରନ୍ତି। ସବୁ ପର୍ବର ସ୍ବତନ୍ତ୍ରତା ରହିଛି। ବିଶ୍ବାସ ଓ ଉତ୍ସାହର ମିଳନ ଦୋଳ ମେଳଣ। ସମୟ ବଦଳିଛି କିନ୍ତୁ ବଦଳିପାରିନି ଭକ୍ତଙ୍କ ଉତ୍ସାହ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/03/dolapurnima-2026-03-03-18-29-17.png)