କନକ ବ୍ୟୁରୋ : ଦିନ ଗଡ଼ୁଛି, ଦୁଃଖ ବଢ଼ୁଛି...ସହି ହେଉନି ଯନ୍ତ୍ରଣା । କହି ହେଉନି ବେଦନା । ବୟସ ମାତ୍ର ୮ କିନ୍ତୁ ରୋଗ ବହୁତ ବଡ଼ । ବୋନ୍‌ ମ୍ୟାରୋ ଭଳି ଅସାଧ୍ୟ ରୋଗରେ ପୀଡ଼ିତ କୁନି ପୁଅ। ଚିକିତ୍ସା ପାଇଁ ୫୦ ଲକ୍ଷ ଆବଶ୍ୟକ । ଏମିତି ଘରକୁ ଆଉ ଏ ଅଭାବୀ ପରିବାର । ଯେଉଁଠି ଓଳିଏ ଖାଇବା କଷ୍ଟସାଧ୍ୟ, ଛୋଟ କୁଡ଼ିଆରେ ଜୀବନ ବିତୁଛି। ସେଠି ୫୦ ଲକ୍ଷ, ଏତେ ଟଙ୍କା କେଉଁଠୁ ଆଣିବେ ବାପା । ପୁଅକୁ ଦେଖି ଲୁହ ଗଡ଼ାଇବା ଛଡ଼ା ଅସହାୟ ମା’ ବାପାଙ୍କ ପାଖେ ଅନ୍ୟ କୌଣସି ଉପାୟ ନାହିଁ ।

Advertisment

ଗଜପତି ଜିଲ୍ଲା ମୋହନା ବ୍ଲକ ବାଙ୍କିଝୋଳୀ ଗାଁର କାଶୀନାଥ ନାୟକ। ଘର ଆର୍ଥିକ ସ୍ଥିତି ଠିକ୍‌ ନଥିବାରୁ ପୁଅ ଧନଞ୍ଜୟକୁ ମାମୁ ଘରେ ରହି ପଢ଼ିବାକୁ ଛାଡ଼ିଥିଲେ। ସେ ତୃତୀୟ ଶ୍ରେଣୀରେ ଭଲ ପାଠ ମଧ୍ୟ ପଢୁଥିଲା। ହଠାତ କିଛି ଦିନ ତଳେ ଟିଉସନରେ ଧନଞ୍ଜୟଙ୍କ ପାଟି ଫିଟିଲାନି କି ଆଉ କଥା କହି ପାରିଲେନି। ଡାକ୍ତରଖାନା ନେବାରୁ ଜଣାପଡ଼ିଲା ପୁଅ ବୋନ୍‌ମ୍ୟାରୋ  ରୋଗରେ ଆକ୍ରାନ୍ତ । ଡାକ୍ତର କହୁଛନ୍ତି ପାଖାପାଖି ୫୦ ଲକ୍ଷ ଖର୍ଚ୍ଚ କଲେ ରୋଗ ଭଲ ହେବ । କୁଲି ମଜୁରୀ ଲାଗି ଚଳୁଥିବା ପରିବାର ଏତେ ଟଙ୍କା କେଉଁଠୁ ଆଣିବେ । ଫଳରେ ପୁଅକୁ ନେଇ ଗାଁକୁ ଚାଲିଆସିଛନ୍ତି ବାପା, ମା’। ସରକାର ଯଦି କୁନିପୁଅକୁ ଚିକିତ୍ସା ଯୋଗାଇ ଦିଅନ୍ତି ତାହା ହେଲେ ପୁଣି ଥରେ ଧନଞ୍ଜୟ ସୁସ୍ଥ ହୋଇ ପାଠ ପଢ଼ିବେ ବୋଲି ଆଶା ରଖିଛନ୍ତି ବାପା ମା’। କୌଣସି ବଦାନ୍ୟ ବ୍ୟକ୍ତି କିଛି ସାହାଯ୍ୟର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି । 

ଅଧିକ ପଢ଼ନ୍ତୁ---ଆଦର୍ଶ ବିଦ୍ୟାଳୟ ପାଚେରୀ ନିର୍ମାଣରେ ଅନିୟମିତତା! ନିମ୍ନମାନର କାମ କରି ଟଙ୍କା ଖାଉଛନ୍ତି ଠିକାଦାର!