କନକ ବ୍ୟୁରୋ : ସରକାର ଓ ଡାକ୍ତରଙ୍କ ମଧ୍ୟରେ ବିବାଦ ତୁଟୁନି । ପେଷି ହେଉଛନ୍ତି ରୋଗୀ । ପୂର୍ବ ଘୋଷଣା ଅନୁଯାୟୀ, ଆଜି ଦୁଇ ଘଣ୍ଟିଆ ବନ୍ଦ ପାଳନ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଦୟନୀୟ ଚିତ୍ର । ଅନ୍ୟପଟେ ସର୍ଭିସ କଣ୍ଡକ୍ଟ ରୁଲ୍ ପାଠ ପଢ଼ାଇବା ସହ କାମରେ ଯୋଗଦେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

Advertisment

ଆଜିଠାରୁ ଦୁଇ ଘଣ୍ଟିଆ ଓପିଡି ସେବା ବନ୍ଦ କରିଛନ୍ତି ଡାକ୍ତର । ରାଜ୍ୟବ୍ୟାପି ଦିନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଡାକ୍ତରମାନେ ଆନ୍ଦୋଳନ କରିଛନ୍ତି । ୧୦ ଦଫା ଦାବି ପୂରଣ ନହେବାରୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି ଡାକ୍ତର । ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି, ରାଜ୍ୟରେ ୧୫, ୭୭୪ ଡାକ୍ତରୀ ପଦ ପାଇଁ ଅନୁମୋଦନ ଥିବାବେଳେ ମାତ୍ର ୬ହଜାର ଡାକ୍ତର ଅଛନ୍ତି । ଡାକ୍ତରଙ୍କ ଉପରେ ଅତ୍ୟଧିକ କାମର ଚାପ ରହୁଛି ।

ଅଧିକ ପଢ଼ନ୍ତୁ : ୨ ଘଣ୍ଟା ଓପିଡି ବନ୍ଦ କଲେ ଡାକ୍ତର ; ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ

ଡାକ୍ତରଙ୍କ ଦାବି ଯେ, ଖାଲି ଥିବା ପଦରେ ଡାକ୍ତର ନିଯୁକ୍ତି । କେନ୍ଦ୍ରୀୟ ଦରମା ଅନୁଯାୟୀ DACP, OMHS ଦରମା ସଂଶୋଧନ ଦାବି । ସମସ୍ତ ଗ୍ରେଡର ସମାନୁପାତିକ କ୍ୟାଡର୍ ପୁନର୍ଗଠନ ଭଳି ୧୦ ଦଫା ଦାବି ପୂରଣ ପାଇଁ ସରକାରଙ୍କୁ ଜଣାଛନ୍ତି ଡାକ୍ତର । ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ହନ୍ତସନ୍ତ ହୋଇଛନ୍ତି ରୋଗୀ । ଓପିଡି ବନ୍ଦ ଯୋଗୁଁ ଶୀତକାକରରେ, ଦୂରଦୂରାନ୍ତରୁ ଆସି ପଞ୍ଜୀକରଣ କରିଥିବା ରୋଗୀଙ୍କୁ ହସ୍ପିଟାଲରେ ଘଣ୍ଟା ଘଣ୍ଟା କରି ଧରି ଅପେକ୍ଷା କରିବାକୁ ପଡିଛି । ବୃଦ୍ଧ, ବୃଦ୍ଧା, ଛୋଟଛୋଟ ପିଲା ସକାଳୁ ଚିକିତ୍ସା ପାଇଁ ମେଡିକାଲକୁ ଆସିଥିଲେ ବି ଡାକ୍ତର ଆନ୍ଦୋଳନ ଯୋଗୁ ପେଷି ହୋଇଛନ୍ତି ।

ଡାକ୍ତର ଜିଦରେ ଅଟଳ ଥିବାବେଳେ ନାଲିଆଖି ଦେଖାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସରକାରୀ ଚାକିରି ଯିଏ କରୁଛି, ସେ ସରକାରଙ୍କ କଥା ମାନିବାକୁ ବାଧ୍ୟ । ସର୍ଭିସ କଣ୍ଡକ୍ଟ ରୁଲ୍ ତାହା କହୁଛି । କମିଟି ଗଠନ ହୋଇଛି, ଆଲୋଚନା ମାଧ୍ୟମରେ ଦାବି ପୂରଣ ହୋଇପାରିବ । ଆନ୍ଦୋଳନ ଛାଡ଼, କାର୍ଯ୍ୟରେ ଯୋଗଦିଅ । ପ୍ରଶ୍ନ ଉଠୁଛି, କେବେ ସ୍ୱାଭାବିକ ହେବ ଓପିଡି ସେବା ? ସରକାର ଓ ଡାକ୍ତରଙ୍କ କଳି ଭିତରେ କାହିଁକି ପେଷି ହେବେ ରୋଗୀ ?