କନକ ବ୍ୟୁରୋ : ୧୦ ତାରିଖ ସନ୍ଧ୍ୟା , ସ୍ଥାନ ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ନିକଟ ।  ଜୋରରେ ଧାଉଥିଲା ଜୀବନ । ଧାଁଧପଡ଼ ଭିତରୁ ବାହାରି କେହି ଟିକେ ଖୋଲା ପବନକୁ ଅନୁଭବ କରୁଥିଲା ତ କେହି ଘରକୁ ଫେରୁଥିଲା । ସେିତିକିବେଳେ ପାର୍କିଂ ହୋଇଥିବା କାରରେ ହେଲା ଭୟଙ୍କର ବିସ୍ଫୋରଣ । ଲାଗିଲା ଯେପରି ପୃଥିବୀ ଫାଟିଲା। ଚାରିଆଡ଼ ହୋଇଗଲା ଧୂଆଁମୟ । ଆଉ ଧୂଆଁ ଟିକେ ହଟିଲା ବେଳକୁ ରାସ୍ତାକଡ଼ରେ ଛିନଛତ୍ର ହୋଇପଡ଼ିଥିଲା ନୀରିହ ଲୋକଙ୍କ ଖଣ୍ଡବିଖଣ୍ଡିତ ଦେହ । ଚାରିଆଡ଼େ ଲୋକେ ଖାଲି ଏପଟସେପଟ ବିକଳ ହୋଇ ଦୌଡ଼ୁଥିଲେ। ଶୁଭୁଥିଲା ବିକଳ ଚିତ୍କାର  । ଆଉ କେହି ରକ୍ଷା କରିବାକୁ ଡାକ ଛାଡ଼ୁଥିଲା । କ’ଣ କରିବେ କ’ଣ ନାହିଁ କାହା ବୁଦ୍ଧି ଜୁଟୁନଥିଲା । କାରଣ ବିସ୍ଫୋରଣ ହୋଇଥିବା କାର ପାଖରେ ଥିବା ଅନ୍ୟ କାରସବୁ ବି ହୁତୁ ହୁତୁ ହୋଇ ଜଳୁଥିଲା। ପୂରା ଇଲାକାର ସେ ସ୍ଥିତି ଭାରୀ ଡରାଉଥିଲା  ।

Advertisment

ସନ୍ଦେହରେ ହୁଣ୍ଡାଇ i-20 କାର୍:

ସନ୍ଧ୍ୟା ସମୟରେ ସମସ୍ତେ ଗୋଟେ ହାଲକା ମନରେ ବୁଲୁଥିଲେ । ସେଠି ଯେ କାଳ ସାଜି ଛିଡ଼ା ହୋଇଥିଲା ଗୋଟେ ହୁଣ୍ଡାଇ i-20 କାର୍ , କାହାରି ନଜର ନଥିଲା। ସେଥିରୁ କାଳ ହଠାତ ବାହାରିଆସି ଗିଳିପକାଇଲା ଅନେକ ଜୀବନ ।  ଏକ ହୁଣ୍ଡାଇ କାରରେ ବିସ୍ଫୋରଣ ହେଲା । ତା ପାଖକୁ ପାଖକୁ ଥିବା କାର ସବୁ ଜଳୁଥିଲା । ଏବେ ଏ କାରକୁ ନେଇ ଆସୁଛି ଗୋଟେ ଗୋଟେ ଅପଡେଟ୍। ପ୍ରାଥମିକ ତଦନ୍ତ କହୁଛି , ବିସ୍ଫୋରଣର ୩ ଘଣ୍ଟା ଆଗରୁ ଏ କାରଟି ଚାନ୍ଦନୀ ଚୌକ ନିକଟ ସୁନହରୀ ମସଜିଦ୍ ପାଖରେ ଛିଡ଼ା ହୋଇଥିଲା । ଏହି ଆଧାରରେ ପୁଲିସର ସନ୍ଦେହ ଆତଙ୍କୀ ଆକ୍ରମଣକୁ ଦୃଢ଼ିଭୂତ କରୁଛି ।

ଦିଲ୍ଲୀ ଆକ୍ରମଣରେ ଡାକ୍ତରଙ୍କ କନେକ୍ସନ୍ : 

ଦିଲ୍ଲୀ ଆକ୍ରମଣର ଠିକ୍ ପୂର୍ବରୁ , ସୋମବାର ସକାଳ ସମୟରେ ଜମ୍ମୁ-କାଶ୍ମୀର ଓ ଫରିଦାବାଦରେ ପୁଲିସ ଚଳାଇଥିଲା ଜଏଣ୍ଟ ଅପରେସନ୍ । ଦୁଇଟି ସ୍ଥାନରୁ ଜବତ କରିଥିଲା ୨୯ଶହ କେଜିର IED  ବନଶିବାକୁ ଦରକାର ହେଉଥିବା କେମିକାଲ , ହତିଆର ଆଉ ଗୋଳାବାରୁଦ । ଏଥିରେ ଆତଙ୍କବାଦୀ ସଙ୍ଗଠନ ଜୈସ୍-ଏ-ମହମ୍ମଦ ସହ ଅଂସର ଗଜୱାତ୍-ଅଲ୍ ହୀନ୍ଦ୍ର ଅନ୍ତରାଷ୍ଟ୍ରୀୟ ଲିଙ୍କ ଧରାପଡ଼ିଥିଲା । ଆଉ ଏହି ଘଟଣାର କିଛି ଘଣ୍ଟା ପରେ ହେଲା ଦିଲ୍ଲୀରେ ଆକ୍ରମଣ । ଆଉ ଏହାସହ ପଦାକୁ ଆସିଲା ଆକ୍ରମଣ ସହ ଏକାଧିକ ଡାକ୍ତରଙ୍କ କନେକ୍ସନ୍ ।

ଡାକ୍ତରଙ୍କ ଲକରରେ AK-47: 

ବିସ୍ଫୋରଣ ଆଗରୁ ଘଟଣାକ୍ରମରେ ଅନନ୍ତନାଗରୁ ଡାକ୍ତର ଆଦିଲ ଅହମ୍ମଦ ରାଠରଙ୍କୁ ଗିରଫ କଲା ଜମ୍ମୁ-କାଶ୍ମୀ ପୁଲିସ । ଅନନ୍ତନାଗ ମେଡିକାଲ କଲେଜରେ କାର୍ଯ୍ୟରତ ଏହି ଡାକ୍ତରଙ୍କ ଲକରରୁ ମିଳିଲା AK-47 । ପ୍ରକୃତରେ ଡାକ୍ତର ବେଶରେ ଏ ଜଣକ ଥିଲା ଜୈସ୍ – ଏ-ମହମ୍ମଦ ଆତଙ୍କୀ ସଙ୍ଗଠନର ସକ୍ରିୟ ସଦସ୍ୟ ।

୭ ନଭେମ୍ବରରେ ବି ଜଣେ ମହିଳା ଡାକ୍ତର ସୋନ୍ଦହକୁ ଆସିଥିଲେ । ଅଲଫଲାହ ୟୁନିଭର୍ସିଟିରେ କାର୍ଯ୍ୟରତ ମହିଳା ଡାକ୍ତର ଶାହିନ ଶାହିଦଙ୍କ କାରରୁ ମିଳିଥିଲା ’କୈରୋମ୍ କକ୍’ ନାମକ ଆସଲ୍ଟ ରାଇଫଲ । 

ଅଧିକ ପଢ଼ନ୍ତୁ--ମନେପଡ଼େ ୨୦୦୮ ଆକ୍ରମଣ, ଏମିତି ବିସ୍ଫୋରଣ ଘଟାଇଥିଲେ ଆତଙ୍କୀ

ଜହର ବନାଉଥିଲା ଡାକ୍ତର : 

ନଭେମ୍ବର ୭;ରେ ଧରାପଡ଼ିଲେ ଡାକ୍ତର ଅହମ୍ମଦ ମୋହିୟୁଦ୍ଦିନ୍ । ହାଇଦ୍ରାବଦରେ ରହୁଥିଲା ଚୀନରେ ପଢ଼ିଥିଲା। ଆଉ ’ରିସିନ୍’ ନାମକ ବିଷାକ୍ତ କେମିକାଲ ବନାଉଥିଲା । କିଛି ମାସ ହେବ ଦିଲ୍ଲୀ ଆଜାଦପୁର, ଅହମଦାବାଦର କାର୍ମେଟ୍ ପ୍ଲେସ୍, ଆରଏସଏସ୍ କାର୍ଯ୍ୟାର୍ଳୟକୁ ରେକି କରୁଥିଲା । ଏସବୁ ଜଣାପଡ଼ିବା ପରେ ଦିଲ୍ଲୀ ପୁଲିସର ହୋସ୍ ଉଡ଼ିଯାଇଛି ।

ନଭେମ୍ବର ୧୦ ରେ ଧରାପଡ଼ିଲା ଆଉ ଡାକ୍ତର ମୁଝମିଲ୍ ଶକିଲ । କାଶ୍ମୀରର ଅଲ୍ ଫଲାହ ୟୁନିଭର୍ସିଟିରେ ପଢ଼ାଉଥିଲା । ହେଲେ ପାଖରୁ ମିଳିଲା ୩୬୦ କେଜି ଆମେନିୟମ୍ ନାଇଟ୍ରେଟ୍ ସହ ୨୫୬୩ କେଜି ବିସ୍ଫୋରକ । 

ଡାକ୍ତରଙ୍କ ନାଁରେ i-20 କାର୍ : 

ଏସବୁ ଭିତରେ ବିସ୍ଫୋରଣ ହୋଇଥିବା କାରକୁ ନେଇ ଆସିଛି ବିସ୍ଫୋରକ ତଥ୍ୟ । ଲାଲକିଲ୍ଲା ମେଟ୍ରୋ ପାଖରେ ଛାଡ଼ା ହୋଇଥିବା କାର୍ ପୁଲୱାମାରେ ରହୁଥିବା ଡାକ୍ତର ଉମର ମୋହମ୍ମଦଙ୍କ ନାଁରେ ଥିଲା । ଏ କାର ଏକାଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଭିତରେ କିଣାବିକା ହୋଇଛି । ଆଉ ଗିରଫ ହୋଇଥିବା ସବୁ ସନ୍ଦିଗ୍ଧ ସବୁ ଜଣେ ଜଣେ ଡାକ୍ତର । ଏବେ ଚାରିଆଡ଼େ ଭୟ । ଏବେ ଆତଙ୍କ ଆସି ଶିକ୍ଷିତ ବେଶରେ ଷଡ଼ଯନ୍ତ୍ର ରଚୁଛନ୍ତି, କିଛି ଜଣପଡ଼ୁନି ।  ଲୋକଙ୍କ ଭିତରେ ଏମିତି ଅନେକ ପ୍ରଶ୍ନ ଆତଙ୍କ ଖେଳାଇଛି । ଏବେ ସାରା ଦଶେରେ ହାଇ ଆଲର୍ଟ ।