Medical Photograph: (kanak news)
କନକ ବ୍ୟୁରୋ : ଆହୁରି କଠୋର ହେଲା ଓମ୍ସା ଆନ୍ଦୋଳନ । ଆଜିଠାରୁ ଘଣ୍ଟିକିଆ ନୁହେଁ, ବରଂ ଦୁଇ ଘଣ୍ଟା ଓପିଡି ବନ୍ଦ ନେଇ ଡାକ୍ତର ସଂଘର ନିଷ୍ପତ୍ତି । ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ଓପିଡିରେ ରୋଗୀ ଦେଖିବେନି ଡାକ୍ତର । ଏହି ସୂଚନା ଦେଇଛନ୍ତି ଓମ୍ସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଓ ସାଧାରଣ ସମ୍ପାଦକ ଡାକ୍ତର ସଞ୍ଜୀବ ପ୍ରଧାନ । ଡାକ୍ତରଙ୍କ ଦାବି ପୂରଣ ପାଇଁ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ତେଣୁ ଆନ୍ଦୋଳନ ଅବଧି ବଢ଼ାଇବା ପାଇଁ ଡାକ୍ତର ସଂଘ ବାଧ୍ୟ ହୋଇଥିବା କୁହାଯାଇଛି ।
ଏଥିପାଇଁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଓପିଡିରେ ସକାଳେ ୧ ଘଣ୍ଟା ବଦଳରେ ୨ ଘଣ୍ଟା ରୋଗୀ ଦେଖିବେନି ଡାକ୍ତର । ସକାଳ ୯ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଓପିଡି ସେବା ବର୍ଜନ କରାଯିବ । ଏହିସମୟରେ କେବଳ ଜରୁରିକାଳୀନ ସେବା ଜାରି ରହିବ । ଏହାପରେ ଆସନ୍ତା ୨୭ ତାରିଖରୁ ଓପିଡି ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଓମ୍ସା । ଏହାଛଡ଼ା ୨୬ ତାରିଖରୁ ଏନ୍ଏଚ୍ଏମ୍ ଯୋଜନାରେ ଅସହଯୋଗ ଜାରି ରହିବ ବୋଲି ଓମ୍ସା ପକ୍ଷରୁ କୁହାଯାଇଛି ।
ଅଧିକ ପଢ଼ନ୍ତୁ---ଧିମେଇବ କି ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାର ତଦନ୍ତ ? ହସ୍ତଗତ ହୋଇନି ମେଡ଼ିକାଲ ରିପୋର୍ଟ
ଓମ୍ସାର ୧୦ ମୁଖ୍ୟ ଦାବି
୧.ପଦୋନ୍ନତି: ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଡାକ୍ତରମାନଙ୍କୁ ସମୟାନୁସାରେ ପଦୋନ୍ନତି ପ୍ରଦାନ କରିବା ।
୨.କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା: ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ରୋକିବାକୁ କଡ଼ା ନିୟମ ପ୍ରଣୟନ ଏବଂ ସୁରକ୍ଷା ବାହିନୀ ନିୟୋଜନ ।
୩.ମୂଳ ଦରମା ବୃଦ୍ଧି: ଡାକ୍ତରମାନଙ୍କର ପ୍ରାରମ୍ଭିକ ମୂଳ ଦରମା ଏବଂ ଭତ୍ତାକୁ ସଂଶୋଧନ କରି ଅନ୍ୟାନ୍ୟ କ୍ୟାଡର ସହ ସମାନ କରିବା ।
୪.ସ୍ୱଚ୍ଛ ବଦଳି ନୀତି: ଡାକ୍ତରଙ୍କ ବଦଳି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଏବଂ ପତି-ପତ୍ନୀ ଆଧାରରେ ବଦଳିକୁ ଅଧିକ ପ୍ରାଧାନ୍ୟ ଦେବା ।
୫.ପଦବୀ ପୂରଣ: ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଖାଲି ପଡ଼ିଥିବା ହଜାର ହଜାର ଡାକ୍ତର ପଦବୀକୁ ତୁରନ୍ତ ପୂରଣ କରିବା ।
୬.କ୍ୟାଡର ପୁନର୍ଗଠନ: ଓଡ଼ିଶା ମେଡିକାଲ ସେବା (OMS) କ୍ୟାଡରର ପୁନର୍ଗଠନ କରି ପଦୋନ୍ନତିର ସୁଯୋଗ ବୃଦ୍ଧି କରିବା ।
୭.କର୍ପସ ଫଣ୍ଡ: କାର୍ଯ୍ୟରତ ଡାକ୍ତରଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରିବା ।
୮.ଏନ୍ପିଏ: ଡାକ୍ତରମାନଙ୍କୁ ଦିଆଯାଉଥିବା ‘ଅଣ-ଘରୋଇ ଚିକିତ୍ସା ଭତ୍ତା’କୁ କେନ୍ଦ୍ରୀୟ ହାରରେ ବୃଦ୍ଧି କରିବା ।
୯.ଉତ୍ତମ ଭିତ୍ତିଭୂମି: ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଡାକ୍ତରଙ୍କ ରହିବା ପାଇଁ ଉନ୍ନତ ଆବାସିକ ବ୍ୟବସ୍ଥା ଯୋଗାଇବା ।
୧୦.ଅତିରିକ୍ତ କାର୍ଯ୍ୟଭାର ହ୍ରାସ: ଡାକ୍ତରଙ୍କୁ କେବଳ ଚିକିତ୍ସା କାର୍ଯ୍ୟରେ ନିୟୋଜିତ କରି ସେମାନଙ୍କ ଉପରୁ ଅଣ-ଚିକିତ୍ସା କିମ୍ବା କିରାଣି କାମର ଚାପ କମାଇବା ।
Follow Us