Road Problem Photograph: (KanakNews)
କନକ ବ୍ୟୁରୋ: ନିମ୍ନ ମାନର କାର୍ଯ୍ୟ ଯୋଗୁଁ ବାରିପଦା ସହରରେ ରାସ୍ତାଘାଟ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଏହାରି ଭିତରେ ଜିଲ୍ଲା ଠିକାଦାର ସଂଘର ଖୋଦ୍ ଜିଲ୍ଲା ପିଡବ୍ଲ୍ୟୁଡି ସରକାରୀ କାର୍ଯ୍ୟାଳୟ ଭିତରେ ଏକ ପୋଷ୍ଟର ଲଗାଇ ଜିଲ୍ଲା ବାହାର ଠିକାଦାରଙ୍କୁ ଜିଲ୍ଲାରେ କାମ କରିବାକୁ ବାରଣ କରିବା ନେଇ ଉଲ୍ଲେଖ ରହିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ମୟୂରଭଞ୍ଜ ଜିଲ୍ଲା ପିଡ୍ବ୍ଲ୍ୟୁଡି ସରକାରୀ କାର୍ଯ୍ୟାଳୟ ଭିତରେ ପୋଷ୍ଟର ଲାଗିଛି। ଜିଲ୍ଲା ବାହାର ଠିକାଦାର ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇପାରିବେନି, ନେଲେ ଜିଲ୍ଲା ଠିକାଦାର ସଂଘ ଏହାର ବିରୋଧ କରିବ। ନିୟମ ଅନୁସାରେ, ପୂର୍ତ୍ତ ବିଭାଗଠାରୁ ଲାଇସେନ୍ସ ପାଇଥିବା ଠିକାଦାର ରାଜ୍ୟର ଯେକୌଣସି ଅଞ୍ଚଳରେ ଟେଣ୍ଡର ପ୍ରକ୍ରିୟାରେ ଭାଗନେଇ କାମ କରିପାରିବ। ତେଣୁ ଏହି ପୋଷ୍ଟର୍ ବେଆଇନ୍ ଏବଂ ଆଞ୍ଚଳିକତାବାଦ୍କୁ ପ୍ରଶୟ ପାଇଁ ଉଦ୍ୟମ ବୋଲି ମତ ପ୍ରକାଶ କରିଛନ୍ତି ଆଇନଜୀବୀ। ସରକାରୀ କାର୍ଯ୍ୟାଳୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।
ଅଧିକ ପଢନ୍ତୁ: ମଣ୍ଡିରୁ ଉଠୁନି ଧାନ : ସାଂସଦଙ୍କ ଉଦଘାଟନ ଫଳକ ଭାଙ୍ଗି ପ୍ରତିବାଦ ଜଣାଇଲେ କଂଗ୍ରେସ ନେତା...
ବାରିପଦା ସହରର ବିଭିନ୍ନ ପ୍ରମୁଖ ସ୍ଥାନର ରାସ୍ତାଘାଟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ସ୍ଥାନେ ସ୍ଥାନେ ଖାଲଖମା ଦେଖିବାକୁ ମିଳୁଛି। ଫଳରେ ଦୁର୍ଘଟଣା ବଢ଼ୁଛି। ଅନ୍ୟପଟେ ବିଭାଗୀୟ ବାବୁ ଠିକାଦାରଙ୍କ ଦ୍ଵାରା ହେଉଥିବା କାମର ସଠିକ୍ ଭାବେ ଯାଞ୍ଚ କରୁନାହାନ୍ତି। ଫଳରେ କାମ ନିମ୍ନମାନର ହେଉଥିବା ଅଭିଯୋଗ ଆସିଛି । ଯାହା ସରକାରୀ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଭିତିରି ବୁଝାମଣାର ସନ୍ଦେହକୁ ବଢ଼ାଇଛି । ପିସି କାରବାର ଓ ଭିତିରି ବୁଝାମଣା ଦ୍ଵାରା ନିମ୍ନମାନର କାମ କରି ଠିକାଦାର ଓ ଯନ୍ତ୍ରୀ ଲାଭବାନ ବେଳେ ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକ ।
Follow Us