କନକ ବ୍ୟୁରୋ : ୨୯ ଜାନୁଆରି ୨୦୨୩। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ ପୁଲିସ କନେଷ୍ଟବଳ ଗୋପାଳ ଦାସ। ବେଶ କିଛି ଦିନର ହଟଚମଟ, ପ୍ରକୃତ ଦୋଷୀକୁ ଧରିବାକୁ ବିରୋଧୀଙ୍କ ହୋହଲ୍ଲା ଓ ତଦନ୍ତକାରୀ ଦଳର ତନାଘନା ଭିତରେ ଧୀରେ ଧୀରେ ପ୍ରାସଙ୍ଗିକତା ହରାଇଥିଲା ନବ ଦାସଙ୍କ ହତ୍ୟାକାଣ୍ଡ ମାମଲା। ଏହା ଭିତରେ ୩ ବର୍ଷ ବିତିଛି, ହେଲେ କେବଳ ଶ୍ରାଦ୍ଧ ବାର୍ଷିକୀ ଛାଡିଦେଲେ ନବ ଦାସଙ୍କୁ କେହି ମନେ ପକାଇବାର ନଜିର ନାହିଁ। ପରିବାରବର୍ଗ, ପୁଲିସ, ସରକାର ଓ ଗଣମାଧ୍ୟମ, ସମସ୍ତଙ୍କର ଆଭିମୁଖ୍ୟ ସମାନ। ନବଙ୍କୁ ନ୍ୟାୟ ଦେବାକୁ ଯେପରି କାହାରି ବି ଆନ୍ତରିକତା ନାହିଁ।
ଅଧିକ ପଢ଼ନ୍ତୁ : ନବ ଦାସଙ୍କ ହତ୍ୟାକୁ ପୂରିଲାଣି ୩ ବର୍ଷ, ଏପର୍ଯ୍ୟନ୍ତ ରହସ୍ୟ ଘେରରେ ହତ୍ୟାର କାରଣ
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀରେ ମନେ ପକାଇଛନ୍ତି ଝିଅ ଦୀପାଳି ଦାସ। ବାପାଙ୍କ ସ୍ମୃତିକୁ ମନେ ପକାଇ ଝାରସୁଗୁଡାବାସୀ ପ୍ରିୟ ନେତାଙ୍କୁ ହରାଇଥିବା କହିଛନ୍ତି। ହେଲେ ୩ ବର୍ଷ ଧରି ପରିବାରବର୍ଗଙ୍କ ନୀରବତା, ନବଙ୍କ ହତ୍ୟା ରହସ୍ୟର ଉନ୍ମୋଚନ ପାଇଁ ସେତେଟା ଆଗ୍ରହ ଦେଖାଉନଥିବାର ସଂକେତ ଦେଉଛି। ହେଲେ ଶ୍ରାଦ୍ଧବାର୍ଷିକୀରେ ବାପାଙ୍କୁ ମନେ ପକାଇ ଝିଅ ଦୀପାଳି ଯେଉଁ ବୟାନ ରଖିଛନ୍ତି ତାହା ସନ୍ଦେହ ବଢାଇବା ସହ ପୁଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଛି। ବାପା ୧୨ଟା ୨୭ରେ ଫୋନ୍ କରିଥିଲେ। ୧୨ଟା ୪୫ରେ ବାପାଙ୍କୁ ଗୁଳିମାଡ଼ ହେଲା। ହେଲେ ପୁଲିସ ଏଫଆଇଆରରେ ନବଙ୍କୁ ଗୁଳିମାଡର ସମୟ ୧୨ଟା ୧୫ ବୋଲି ଉଲ୍ଲେଖ ରହିଛି। ପ୍ରଶ୍ନ ଉଠୁଛି, ପୁଲିସ ଏଫଆଇଆର୍ ଓ ଦୀପାଳିଙ୍କ ବୟାନ ମଧ୍ୟରୁ କେଉଁଟା ସତ? କାହିଁକି ଏତେ ଦିନ ଧରି ମୁହଁ ଖୋଲିନଥିଲେ ଦୀପାଳି? ତଦନ୍ତକାରୀ ଦଳକୁ ଏ ବାବଦରେ କହିଛନ୍ତି ତ ଦୀପାଳି?
ଅଧିକ ପଢ଼ନ୍ତୁ : ନବ ଦାସଙ୍କ ବିଭିନ୍ନ ଠିକଣାରେ ଆୟକର ଯାଞ୍ଚ ଜାରି, ପୁଅ ବିଶାଳ ଦାସଙ୍କ ଆଗରେ ଜରୁରୀ କାଗଜ ପତ୍ରର ଚାଲିଛି ଯାଞ୍ଚ
ଦୀପାଳିଙ୍କ ବୟାନ ଅନେକ ପ୍ରଶ୍ନକୁ ଜନ୍ମ ଦେଇଥିବା ବେଳେ ପୁଣି ସେହି ତଦନ୍ତ ଆଳ ଦେଇ ସମୟ ଗଡାଇବାକୁ ଚାହିଛନ୍ତି ଆଇନମନ୍ତ୍ରୀ। ଷଡଯନ୍ତ୍ର ଓ ସମ୍ପୃକ୍ତିକୁ ନେଇ ଆମୂଳଚୂଳ ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଖୁବଶୀଘ୍ର ନିର୍ୟାସ ବାହାରିବ ବୋଲି ଆଶ୍ବସ୍ତ କରିଛନ୍ତି ପୃଥ୍ବୀରାଜ। ହେଲେ ପ୍ରଶ୍ନ ଉଠୁଛି, ବିରୋଧୀ ଦଳରେ ଥାଇ ନବଙ୍କ ହତ୍ୟାକାରୀକୁ ଧରିବାକୁ ଯେଉଁ ଆଭିମୁଖ୍ୟ ବିଜେପି ଦେଖାଇଥିଲା ସରକାରକୁ ଆସିବା ପରେ ତାହା କାହିଁକି ଶିଥିଳ ପଡ଼ିଯାଇଛି? ଅନ୍ୟପଟେ ସିବିଆଇ ତଦନ୍ତ ଦାବି କରି ବିଜେପି ସରକାରର କୋର୍ଟକୁ ବଲ ଗଡାଇଛି ବିଜେଡି। ନବ ହତ୍ୟାକାଣ୍ଡର ତଦନ୍ତ କେତେ ବାଟ ଗଲା ତାହା କାହାକୁ ଜଣାନାହିଁ। ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ତଦନ୍ତର ନିଷ୍କର୍ଷ ଯଦି ଏତେ ବିଳମ୍ବିତ ତେବେ ସାଧାରଣ ଲୋକଙ୍କ କ୍ଷେତ୍ରରେ ତଦନ୍ତ କେତେ ତ୍ବରିତ୍ବ ବେଗରେ ହେଉଥିବ, ତାହା ସବୁଠୁ ବଡ଼ ପ୍ରଶ୍ନ।
Follow Us