କନକ ବ୍ୟୁରୋ: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଘରେ ଆୟକର ବିଭାଗର ଚଢାଉ । ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ନାଁରେ ଥିବା ଭୂତ କମ୍ପାନୀ ଓ ସମ୍ବଲପୁରର ମୋଡ଼ିପଡ଼ା ଠାରେ ଥିବା ତାଙ୍କ ପୁରୁଣା ବାସଭବନ, ହୋଟେଲ ମାଣ୍ଡାରିନ୍, ଭାଲୁପାଲି ସ୍ଥିତ ଏକ ବାରରେ ରେଡ୍‌ କରିଛି ଆୟକର ବିଭାଗ । ବିଶାଳ ଦାସଙ୍କ ସାମ୍ନାରେ କାଗଜପତ୍ର ଜାଞ୍ଚ କରିଛନ୍ତି ଆୟକର ଅଧିକାରୀ ।

Advertisment

ଲଗାତାର ୪ ଦିନ ଧରି ଆୟକର ବିଭାଗ ବେଆଇନ ଅର୍ଥନୈତିକ କାରବାର ନେଇ ଚଢାଉ କରିଛି । ସମ୍ବଲପୁର ସମେତ ଝାରସୁଗୁଡ଼ା, ସୁନ୍ଦରଗଡ଼, ଭୁବନେଶ୍ବର ଓ ଦିଲ୍ଲୀରେ ରେଡ୍ କରାଯାଇଛି । 

ଗୋଟିଏ ପରେ ଗୋଟିଏ ଦସ୍ତାବିଜ୍ ଅଣ୍ଡାଳୁଛି ଆୟକର ବିଭାଗ । ଖୋଲୁଛି ନବ ଦାସଙ୍କ ବେନାମୀ ସାମ୍ରାଜ୍ୟର ଗୁମର । ଖଣି ବ୍ୟବସାୟ, କୋଇଲା ଓ ପାଉଁଶ ପରିବହନ, ହୋଟେଲ ଓ ସପିଙ୍ଗ ମଲ୍ ପରି ବ୍ୟବସାୟ ନବ ଦାସ ଚଳାଇଥିଲେ । ନବଙ୍କ ପୁଅ ବିଶାଳ ଦାସଙ୍କ ନାଁରେ ଅଛି ପ୍ରାୟ ୧୧ଟି କମ୍ପାନି । କେତେ ଅର୍ଥ କାରବାର ହୋଇଛି, ଚେର ଖୋଜୁଛି ଆୟକର ବିଭାଗ । ନବ ଦାସଙ୍କ ସହଯୋଗୀମାନଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରହିଥିବା ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ ଓ ହାର୍ଡ ଡିସ୍କ ଜବତ କରାଯାଇଛି ।