କନକ ବ୍ୟୁରୋ : କଳା, ସଂସ୍କୃତି ଓ ଐତିହ୍ୟର ମାଟି ମୟୂରଭଞ୍ଜ । ପରମ୍ପରାକୁ ନେଇ ସ୍ବତନ୍ତ୍ର ପରିଚୟ ପାଇଥିବା ମୟୂରଭଞ୍ଜ ଏବେ ବିଭାଜନକୁ ନେଇ ଚର୍ଚ୍ଚାରେ । ନିକଟରେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ପରେ ମୟୂରଭଞ୍ଜ ବିଭାଜନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି, ଯାହା ଜିଲ୍ଲାବାସୀଙ୍କ ମନରେ ସୃଷ୍ଟି କରିଛି ଦ୍ୱନ୍ଦ୍ୱ । ବାରିପଦା, କପ୍ତିପଦା, ବାମନଘାଟି ଓ ପାଞ୍ଚପିଢ଼ ୪ଟି ଉପଖଣ୍ଡକୁ ନେଇ ଗଠିତ ମୟୂରଭଞ୍ଜ ଜିଲ୍ଲା । ୨୬ବ୍ଲକ, ୪୦୪ ପଞ୍ଚାୟତ ଓ ୯ଟି ବିଧାନସଭା ଆସନ ଥିବା ଓଡ଼ିଶାର ସର୍ବବୃହତ୍‌ ଜିଲ୍ଲା । ଜିଲ୍ଲାର ବାମନଘାଟି ଓ ପାଞ୍ଚପିଢ଼ରେ ଥିବା ୧୨ଟି ବ୍ଲକକୁ ନେଇ ରାଇରଙ୍ଗପୁରକୁ ଏକ ଜିଲ୍ଲା ଘୋଷଣା କରିବା ନେଇ ଚର୍ଚ୍ଚା ଜୋର ଧରିଛି । କିଏ ଏହାକୁ ସମର୍ଥନ କରୁଛି ତ’ ଆଉ କିଏ ଏହା ବିପକ୍ଷରେ ମତ ବାଢୁଛି । 

Advertisment

ଜିଲ୍ଲା ବିଭାଜନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ମୟୂରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ । ୧୯୪୯ ଜାନୁଆରି ୧ରେ ମାର୍ଜାର ଚୁକ୍ତିନାମା ଅନୁସାରେ ମୟୂରଭଞ୍ଜ ଏକ ଜିଲ୍ଲା ଭାବେ ଓଡ଼ିଶାରେ ସାମିଲ ହୋଇଥିଲା । ତେଣୁ ମାର୍ଜାର ଚୁକ୍ତିନାମା ଅନୁସାରେ ଜିଲ୍ଲା ବିଭାଜନ କୌଣସି ପ୍ରକାର ଗ୍ରହଣ କରାଯିବନାହିଁ ବୋଲି କହିଛନ୍ତି ମହାରାଜା । ପାଖାପାଖି ୧୦ ହଜାର ୫ଶହ ବର୍ଗ କିମି ବ୍ୟାପିଥିବା ଏହି ଜିଲ୍ଲାକୁ ବିଭାଜନର କେତେ ଆବଶ୍ୟକତା ରହିଛି ତାହା ଜିଲ୍ଲାବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ଅଧିକ ପଢ଼ନ୍ତୁ---ଅଶାନ୍ତ ହୋଇପଡ଼ିଛି ଅନୁଗୁଳ ; ବଢ଼ିଚାଲିଛି ଅପରାଧ

ତେବେ ରାଜନୈତିକ ସ୍ବାର୍ଥ ଓ ଭୋଟ ବ୍ୟାଙ୍କ ସ୍ବାର୍ଥ ରଖି ଏଭଳି ବିଭାଜନ ଉଦ୍ୟମକୁ ଆଗକୁ ବିରୋଧ କରାଯିବ ବୋଲି ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓଙ୍କ ୧୫୫ ତମ ଜୟନ୍ତୀ ଅବସରରେ ବୟାନ ରଖିଛନ୍ତି ମୟୂରଭଞ୍ଜ ରାଜମାତା । ରାଜମାତାଙ୍କ ବିରୋଧ ପରେ ପୁଣି ଉଠିଛି ମୟୂରଭଞ୍ଜ ଜିଲ୍ଲା ବିଭାଜନକୁ ନେଇ ଅସନ୍ତୋଷର ସ୍ୱର । ଏଭଳି ଉଦ୍ୟମକୁ ସଫଳ କରିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଉଭୟ ରାଜା ଓ ରାଜମାତାଙ୍କ ସମେତ ମୟୂରଭଞ୍ଜ ସିଟିଜେନ୍ ଫୋରମ୍ ।