Disability Photograph: (Kanak News)
କନକ ବ୍ୟୁରୋ : ଦିବ୍ୟାଙ୍ଗ ହେଲେ ବି ସଫଳତା ଆଣିଦେଇଛି ଦୃଢ଼ ମନୋବଳ । ଗୋଡ଼ ନଥିଲେ ବି ସେ ଜଣେ ନିପୁଣ ନୃତ୍ୟଶିଳ୍ପୀ । କେତେବେଳେ ସେ ନାଚ ପାଇଁ ସୋସିଆଲ ମିଡିଆରେ ଚହଳ ପକାନ୍ତି, କେତେବେଳେ ଫ୍ୟାସନ ସୋ' ରେ ରାମ୍ପ ୱାକ୍ କରି ସାବାସୀ ପାଆନ୍ତି । ଆମେ କହୁଛୁ ଜଣେ ଓଡ଼ିଆ ଝିଅଙ୍କ କଥା । ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ, ରାଉରକେଲାର ଜୁଲି କରଙ୍କ ପ୍ରେରଣାଦାୟୀ କାହାଣୀ ।
ବିଧାତା ଭଲରେ ଗୋଡ଼ଟିଏ ଗଢ଼ିନି ସିନା, ହେଲେ ଖୁନ୍ଦି ଖୁନ୍ଦି ଭରିଦେଇଛି ନୃତ୍ୟ ପ୍ରତିଭା । ଜୁଲି ନାଚୁଥିବା ଦେଖିଲେ, ହଠାତ୍ କେହି ଜାଣିପାରିବେନି ସେ ଜଣେ ଦିବ୍ୟାଙ୍ଗ । ଦେଖିବାକୁ ଯେତିକି ସୁନ୍ଦର, ତାଙ୍କ ନୃତ୍ୟକଳା ବି ସେତିକି ସୁନ୍ଦର । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ରାଉରକେଲାର ଜୁଲି କର, ଜନ୍ମରୁ ୭୦ ପ୍ରତିଶତ ଦିବ୍ୟାଙ୍ଗ । ଏବେ ତାଙ୍କର ଅନେକ ପରିଚୟ । ନୃତ୍ୟଶିଳ୍ପୀ, ଅଭିନେତ୍ରୀ, ମଡେଲ୍ । ସୋସିଆଲ ମିଡିଆରେ ନିଆରା ସେଲିବ୍ରିଟି । ଆଉ ଏବେ ଏକ ରିୟଲିଟି ସୋ'ରେ ଭାଗ ନେଇ ସଫଳତା ପାଇବା ସହ ଦିଲ୍ଲୀରେ ଆୟୋଜିତ ଫ୍ୟାଶନ୍ ୱିକ୍ରେ ସାଉଁଟିଛନ୍ତି ବିପୁଳ ପ୍ରଶଂସା ।
ଅଧିକ ପଢ଼ନ୍ତୁ : ଶିକୁଳିରେ ବନ୍ଧାପଡ଼ିଛି ଜୀବନ; ନାତୁଣୀର ଲାଳନପାଳନ କରୁଛନ୍ତି ଅଜା
ଦିବ୍ୟାଙ୍ଗ ଶିଶୁଟିଏ ଜନ୍ମ ନେଲେ, ତାର ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡ଼ନ୍ତି ବାପା ମାଆ । ହେଲେ ଜୁଲିଙ୍କ କାହାଣୀ ତାଠୁ ବି ଶୋଚନୀୟ । ପିଲା ବେଳୁ ମାଆଙ୍କୁ ହରାଇଲେ । ଦିବ୍ୟାଙ୍ଗ ଝିଅକୁ ପଚାରିଲେନି ବାପା । ଅଜା ଆଈଙ୍କ ପାଖରେ ବଢ଼ିଛନ୍ତି ଜୁଲି । ହେଲେ ସଂଘର୍ଷକୁ ଶକ୍ତି କରି ଦୁର୍ବଳତାକୁ ସାମର୍ଥ୍ୟ କରି ପିଲାଟି ବେଳୁ ମନରେ ପାଳିଛନ୍ତି, କିଛି କରି ଦେଖାଇବାର ଜିଦ୍ । ସ୍ନାତକ ଯାଏଁ ପଢ଼ିଥିବା ଜୁଲି ନାଚକୁ କ୍ୟାରିୟର କରିବା ପାଇଁ କେବେ ଚାକିରି ଛାଡ଼ିଛନ୍ତି, ତ ଆଉ କେବେ ଫିଙ୍ଗି ଦେଇଛନ୍ତି ନୂଆ ତିଆରିଥିବା କୃତ୍ରିମ ଗୋଡ଼ ।
ସଫଳ ବନିବାକୁ ସୁଠାମ ଶରୀର ନୁହେଁ, ଇଚ୍ଛାଶକ୍ତି ଥିବା ମନଟିଏ ଲୋଡ଼ା । ଏହାକୁ ପ୍ରମାଣିତ କରି ଅଗଣିତ ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣା ସାଜିଥିବା ଜୁଲିକୁ, ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ଶତ ଶତ ସଲାମ୍ ।
Follow Us