mayurbhanj Photograph: (kanak news)
କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ତକତପୁର ଠାରେ ରହିଛି ଜିଲ୍ଲା ଶିଳ୍ପ କେନ୍ଦ୍ର । ଶିଳ୍ପର ଉନ୍ନତି ପାଇଁ ଚିନ୍ତା କରିବାକୁ ଥିବା ଏହି କେନ୍ଦ୍ରର ଅବସ୍ଥା ଅତ୍ୟନ୍ତ ଖରାପ , କୋଠା ଭାଙ୍ଗିରୁଜି ଗଲାଣି । ଆବଶ୍ୟକ ସଂଖ୍ୟକ କର୍ମଚାରୀ ବି ନାହାଁନ୍ତି । ଫଳରେ କାମରେ ଅସୁବିଧା ହେଉଛି । ତୁରନ୍ତ ଏହାର ମରାମତି ଦିଗରେ ଧ୍ୟାନ ଦେବାକୁ ଦାବି ହୋଇଛି ।ସରକାର ଶିଳ୍ପକୁ ମଜବୁତ୍ କରିବା ପାଇଁ ସ୍ବପ୍ନ ଦେଖୁଛନ୍ତି କିନ୍ତୁ ଏଠି ମୂଳଦୁଆ ହିଁ ଦୁର୍ବଳ । ଜରାଜୀର୍ଣ୍ଣ ହୋଇପଡ଼ିଛି ମୟୂରଭଞ୍ଜ ତକତପୁର ଠାରେ ଥିବା ଜିଲ୍ଲା ଶିଳ୍ପ କେନ୍ଦ୍ର । ୧୯୬୨ରେ ନିର୍ମିତ ଏହି ଶିଳ୍ପକେନ୍ଦ୍ରର ଅବସ୍ଥା ନକହିବା ଭଲ । ତାଜା ଭାଙ୍ଗିଗଲାଣି,କାନ୍ଥ ଫାଟି ଆଁ କରିଛି। ଗେଟ୍ ସବୁ କଳଙ୍କି ଲାଗିଲାଣି । ଜାଗା ନଥିବାରୁ ପୁରୁଣା ଫାଇଲ ସବୁ ବାହାରେ ପଡ଼ି ଖତ ଖାଉଛି । ଖାଲି ସେତିକି ନୁହେଁ, ପିଇବା ପାଣି ପାଇଁ ଥିବା ମେସିନ ମଧ୍ୟ ଅଚଳ ।
ମରାମତିକୁ ଅପେକ୍ଷା କରିଥିବା ଜିଲ୍ଲାର ଏହି ଏକମାତ୍ର ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟର କ୍ଷମତା ଉପରେ ମଧ୍ୟ ଥରେ ନଜର ପଡ଼ିବା ଆବଶ୍ୟକ। ୩ ହଜାରରୁ ଅଧିକ ମାଇକ୍ରୋ ଇଣ୍ଡଷ୍ଟ୍ରି, ୪୨ଟି ସ୍ମଲ୍ ଇଣ୍ଡଷ୍ଟ୍ରି ଓ ୫ଟି ମିଡିୟମ୍ ଇଣ୍ଡଷ୍ଟ୍ରି ଏହି କାର୍ଯ୍ୟାଳୟ ଅଧୀନରେ ରହିଛି । ଏହି ଅନୁପାତରେ ଅଫିସ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା ପାଇଁ ୫୦ ଜଣ କର୍ମଚାରୀ ଆବଶ୍ୟକ । ହେଲେ ସେଥିରୁ ୨୭ ପଦବୀ ଖାଲି ପଡ଼ିଛି । ଦୁର୍ବଳ ଭିତ୍ତିଭୂମି ସାଙ୍ଗକୁ କର୍ମଚାରୀ ଅଭାବ କାମରେ ବାଧା ସୃଷ୍ଟି କରୁଛି । କେବେ ଏହି କାର୍ଯ୍ୟାଳୟର ସ୍ଥିତି ବଦଳାଇବା ସରକାର ଧ୍ୟାନ ଦେବେ ତାକୁ ହିଁ ଅପେକ୍ଷା ।
ଅଧିକ ପଢ଼ନ୍ତୁ--ମୟୂରଭଞ୍ଜ ରୋଗୀଙ୍କୁ ଭରସା କଟକ ବଡ଼ ମେଡିକାଲ
Follow Us