Ambulance Photograph: (KanakNews)
କନକ ବ୍ୟୁରୋ: ମିଳିଲାନି ଆମ୍ବୁଲାନ୍ସ । ଚିକିତ୍ସାରେ ବିଳମ୍ବ ପାଇଁ ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଖଜୁରଗୁଡା ଗାଁ ନିକଟସ୍ଥ ମାଣ୍ଡିଆ ରୁଚାରେ । ସୂଚନା ଅନୁସାରେ ଲାଞ୍ଜିଗଡ ବ୍ଳକ କୁମଖାଲ ପଞ୍ଚାୟତ ଟିମନବାଡ଼ି ଗାଁ ନିକଟରେ ଥିବା ଗ୍ରାମର ୩୫ବର୍ଷ ବୟସ୍କ ଟଙ୍କ ମାଝୀ ସାଇକେଲରେ ଗାଁରୁ ପ୍ରାୟ ମଧ୍ୟାହ୍ନ ୧୨ଟାରେ ବାହାରିଥିଲେ । ବିଶ୍ୱନାଥପୁର -ବିଜେପୁର ମୁଖ୍ୟ ରାସ୍ତା ଦେଇ ଲୁମା ଗାଁ ଛକକୁ ଯାଉଥିବା ବେଳେ ଖଜୁରଗୁଡା ଗାଁ ନିକଟସ୍ଥ ମାଣ୍ଡିଆ ରୁଚା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ ।
ସାଇକେଲରୁ ମୁଖ୍ୟ ରାସ୍ତାରେ ପଡି ଯିବା ଫଳରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ଥିଲା । ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚିଥିଲେ ସ୍ତ୍ରୀ ସୂର୍ଯ୍ୟ ମାଝୀ ଓ ଭାଉଜ । ସ୍ବାସ୍ଥ୍ୟବସ୍ଥା ବିଗୁଡୁଥିବା ଦେଖି ୧୦୨ ଓ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବାକୁ ସମ୍ପର୍କୀୟ ଚେଷ୍ଟା କରିଥିଲେ ବି କୌଣସି ସୁଫଳ ମିଳିନଥିଲା । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ବାଇକ ଆରୋହୀଙ୍କୁ ଅନୁରୋଧ କରିବା ପରେ ଆହତ ଟଙ୍କକୁ ଗାଡିରେ ୬କିଲୋମିଟର ଅଣାଯାଇ ବିଶ୍ବନାଥପୁର ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରାଥମିକ ଚିକିତ୍ସା ଚାଲିଥିବାବେଳେ ଟଙ୍କ ମାଝୀଙ୍କ ମୃତ୍ୟୁ ହୋଇଥିଲା । ଯଦି ସଠିକ ସମୟରେ ଆମ୍ବୁଲାନ୍ସ ମିଳିଥାନ୍ତା ତେବେ ଟଙ୍କ ମାଝୀଙ୍କ ଜୀବନ ବଞ୍ଚାଯାଇପାରିଥାନ୍ତା ବୋଲି ପରିବାର ଲୋକ କହିଛନ୍ତି ।
Follow Us