କନକ ବ୍ୟୁରୋ: ଦୋହରିଲା ଦାନ ମାଝୀ କାହାଣୀ । ଓଡିଶା ଦେଖିଲା ଆଉ ଏକ ଦୁଃଖଦ ଚିତ୍ର । ରୋଗୀକୁ ଚିକିତ୍ସା ପାଇଁ ହସ୍ପିଟାଲ ଯିବାକୁ ଆମ୍ବୁଲାନ୍ସଟିଏ ମିଳିଲାନି, ସେହି ରୋଗୀର ଜୀବନ ଚାଲିଯିବା ପରେ ଆମ୍ବୁଲାନ୍ସରେ ଶବ ଘରକୁ ଯାଉଛି । ସ୍ୱାସ୍ଥ୍ୟସେବା ଓ ସଚେତନା ଭିତରେ କେତେ ବଡ଼ ଫାଙ୍କ ରହିଛି ଆଜିର ଟ୍ରଲିରେ ରୋଗୀ ବୁହା ଘଟଣାରୁ ସ୍ପଷ୍ଟ ବାରି ହୋଇଯାଉଛି । ଆଉ ସେହି ଫାଙ୍କରେ ବଳି ପଡ଼ିଯାଇଛନ୍ତି ବୃଦ୍ଧା ମହିଳା । ଘଟଣାଟି ଯେତେ ଦୁଃଖଦାୟକ, କାହାଣୀଟି ସେତିକି ସମ୍ବେଦନଶୀଳ ।
ରୋଗୀ ହୋଇ ଆସିଥିଲେ, ଶବ ହୋଇ ଫେରିଗଲେ । ଟ୍ରଲିରେ ରୋଗୀ ବୁହା ହେବାର କରୁଣ କାହାଣୀ ଦେଖିଲା ଓଡିଶା । ପୁରୀ ସାକ୍ଷୀଗୋପାଳରୁ କଟକ ଏସସିବି ମେଡ଼ିକାଲ । ଟଙ୍କା ନଥିବାରୁ ସ୍ତ୍ରୀକୁ ଏକ ଟ୍ରଲିରେ ବସାଇ ଚିକିତ୍ସା ପାଇଁ ଧାଇଁ ଆସିଥିଲେ କବିର୍ ଭୋଇ । ପତ୍ନୀଙ୍କ ପେଟ ଫୁଲିବା ସହ ହାତଗୋଡ ଥରୁଥିବାରୁ ପ୍ରଥମେ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ କବିର୍ । ସେଠାରେ ୫ ଦିନ ଚିକିତ୍ସା କରିବା ପରେ ଡାକ୍ତର ଏସସିବି ନେବାକୁ ପରାମର୍ଶ ଦେଇଥିଲେ । ଏହାପରେ କବିର ଆମ୍ବୁଲାନ୍ସ ଖୋଜିଥିଲେ, ହେଲେ ଆମ୍ବୁଲାନ୍ସ ଯିବାକୁ ମନା କରିଥିଲା, ଅଟୋ କଟକ ଯିବା ପାଇଁ ୧୨ ଶହ ଟଙ୍କା ମାଗିଥିଲା । କିଛି ଉପାୟ ନପାଇ ବାଧ୍ୟହୋଇ କବିର ଏକ ଟ୍ରଲିରେ ସ୍ତ୍ରୀକୁ ବସାଇ କଟକ ଆସିଥିଲେ ।
ଟ୍ରଲି ଠେଲି ଠେଲି ପୁରୀରୁ କଟକ ପହଂଚିବା ପରେ କଟକରେ କିଛି ସାମାଜିକ କର୍ମୀଙ୍କ ନଜର ପଡ଼ିଥିଲା କବିରଙ୍କ ଶୋଚନୀୟ ଅବସ୍ଥା ଉପରେ । ଆଉ ଏହି ସାମାଜିକ କର୍ମୀମାନେ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ କବିରଙ୍କ ସ୍ତ୍ରୀ ଆଖି ବୁଜି ଦେଇଛନ୍ତି ।
ବଡ଼ କଥା ହେଉଛି, ଘଟଣା କୌଣସି ଉପାନ୍ତ ଅଂଚଳରେ ଘଟିନି । ପତ୍ନୀର ଚିକିତ୍ସା ପାଇଁ ରାଜଧାନୀର ଛାତି ଉପର ଦେଇ ପୁରୀରୁ କଟକ ଯାଇଛି, ଜଣେ ଅସହାୟ ବୃଦ୍ଧ । ହେଲେ ରାସ୍ତାରେ ଥରେ କେହି ପଚାରି ବୁଝିବାକୁ ଚେଷ୍ଟା କରି ନାହାଁନ୍ତି । ନା ପ୍ରଶାସନ ନା ସହରୀ ମଣିଷ । କେହି ହୁଏତ କହି ନାହାଁନ୍ତି ଯେ, ରୋଗୀଙ୍କ ପାଇଁ ମାଗଣା ଆମ୍ବୁଲାନ୍ସ ବ୍ୟବସ୍ଥା ବି ରହିଛି ।