କନକ ବ୍ୟୁରୋ: ବିହାର ରାଜନୀତି ଏବେ କେବଳ ନିର୍ବାଚନ ଫଳାଫଳ ପାଇଁ ନୁହେଁ, ବରଂ ଆରଜେଡି ପରିବାର ଭିତରେ ଚାଲିଥିବା କଳି ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ପୁଣି ଥରେ ସୋସିଆଲ ମିଡିଆରେ ଏକ ଅତ୍ୟନ୍ତ ଭାବପ୍ରବଣ ଏବଂ ତିକ୍ତ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ସେ କେବଳ ନିଜ ଉପରେ ଲାଗିଥିବା ଅଭିଯୋଗକୁ ନୁହେଁ, ବରଂ ନିଜ ବାପାଙ୍କୁ ଦେଇଥିବା କିଡନୀକୁ ନେଇ ହୋଇଥିବା ଅପମାନକୁ ମଧ୍ୟ ସାମ୍ନାକୁ ଆଣିଛନ୍ତି ।

Advertisment

ରୋହିଣୀ ଦାବି କରିଛନ୍ତି ଯେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଆଯାଇଛି ଏବଂ ତାଙ୍କ ବାପାଙ୍କୁ ଦିଆଯାଇଥିବା କିଡନୀକୁ 'ଅପରିଷ୍କାର କିଡନୀ' କହି ଅପମାନିତ କରାଯାଇଛି । ସେ ଲେଖିଛନ୍ତି ଯେ ତାଙ୍କ ଉପରେ ଏହି ଅଭିଯୋଗ ମଧ୍ୟ ଲଗାଯାଇଛି ଯେ ଟିକେଟ ବଦଳରେ ସେ କୋଟି କୋଟି ଟଙ୍କା ନେଇ କିଡନୀ ପ୍ରତିରୋପଣ କରାଇଛନ୍ତି ।

ନିଜ ପୋଷ୍ଟରେ ରୋହିଣୀ ଲେଖିଛନ୍ତି, "କାଲି ମୋତେ ଗାଳିଗୁଲଜ କରି କୁହାଗଲା ଯେ ମୁଁ ଅପରିଷ୍କାର ଏବଂ ମୁଁ ମୋ ବାପାଙ୍କୁ ମୋର ଅପରିଷ୍କାର କିଡନି ଲଗାଇ ଦେଇଛି, କୋଟି କୋଟି ଟଙ୍କା ନେଲି, ଟିକେଟ ନେଲି ତା'ପରେ ଏହି ଅପରିଷ୍କାର କିଡନୀ ଲଗାଇଲି । ସମସ୍ତ ବିବାହିତ ଝିଅ-ଭଉଣୀମାନଙ୍କୁ ମୁଁ କହିବି ଯେ ଯେତେବେଳେ ଆପଣଙ୍କ ବାପଘରେ କୌଣସି ପୁଅ-ଭାଇ ଥିବ, ଭୁଲରେ ମଧ୍ୟ ନିଜ ଭଗବାନ ରୂପୀ ପିତାଙ୍କୁ ବଞ୍ଚାନ୍ତୁ ନାହିଁ, ନିଜ ଭାଇ, ସେହି ଘରର ପୁଅକୁ ହିଁ କୁହନ୍ତୁ ଯେ ସେ ନିଜର ବା ନିଜର କୌଣସି ବନ୍ଧୁର କିଡନି ଲଗାଇ ଦେଉ।"

ଆହୁରି ପଢ଼ନ୍ତୁ... ନୀତୀଶଙ୍କ ଦଳ ଜିତିଲା ୨୫ରୁ ଅଧିକ ସିଟ୍; ରାଜନୀତି ଛାଡ଼ିଦେବେ କି ପ୍ରଶାନ୍ତ କିଶୋର?

"ସମସ୍ତ ଭଉଣୀ-ଝିଅ ନିଜ ଘର ପରିବାର ଦେଖନ୍ତୁ, ନିଜ ମାତା-ପିତାଙ୍କ ଚିନ୍ତା ନକରି ନିଜ ପିଲା, ନିଜ କାମ, ନିଜ ଶାଶୁଘର ଦେଖନ୍ତୁ, କେବଳ ନିଜ ବିଷୟରେ ଭାବନ୍ତୁ । ମୋ ଦ୍ୱାରା ବଡ଼ ଭୁଲ ହୋଇଗଲା ଯେ ମୁଁ ନିଜ ପରିବାର, ନିଜ ତିନି ପିଲାଙ୍କୁ ଦେଖିଲି ନାହିଁ, କିଡନି ଦେବାବେଳେ ନା ନିଜ ସ୍ୱାମୀ, ନା ନିଜ ଶାଶୁଘରୁ ଅନୁମତି ନେଲି । ନିଜ ଭଗବାନ, ନିଜ ପିତାଙ୍କୁ ବଞ୍ଚାଇବା ପାଇଁ ତାହା କରିଦେଲି ଯାହାକୁ ଆଜି ଅପରିଷ୍କାର କୁହାଗଲା । ଆପଣ ସମସ୍ତେ ମୋ ଭଳି ଭୁଲ କେବେ ମଧ୍ୟ କରନ୍ତୁ ନାହିଁ, କୌଣସି ଘରେ ରୋହିଣୀ ଭଳି ଝିଅ ନହେଉ।"

ଏହା ପ୍ରଥମ ଥର ନୁହେଁ ଯେ ରୋହିଣୀ ପରିବାର ଏବଂ ରାଜନୀତିରୁ ଦୂରେଇ ରହିବା କଥା କହିଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ନିଜ ମନର ଦୁଃଖ ପ୍ରକାଶ କରିଥିଲେ । ଶନିବାର ଦିନ ସେ ହଠାତ୍ X ରେ ଲେଖିଥିଲେ ଯେ ସେ ରାଜନୀତି ଛାଡ଼ି ଦେଉଛନ୍ତି ଏବଂ ନିଜ ପରିବାର ସହ ସମ୍ପର୍କ ଛିନ୍ନ କରୁଛନ୍ତି । ଏହି ପୋଷ୍ଟ ଭାଇରାଲ ହୋଇଥିଲା ଏବଂ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଥିଲା ।

ଶନିବାର ଦିନ ହିଁ ରୋହିଣୀ ଏୟାରପୋର୍ଟରେ ଆଉ ଏକ ଅଭିଯୋଗ କରିଥିଲେ। ତାଙ୍କ କହିବା ଅନୁଯାୟୀ, ନିର୍ବାଚନରେ ହାରିବାର କାରଣ ପଚାରିବାରୁ ତାଙ୍କୁ ମାରିବା ପାଇଁ ଚପଲ ମଧ୍ୟ ଉଠାଯାଇଥିଲା । ଏହି ଦାବି ସାମ୍ନାକୁ ଆସିବା ପରେ ମାମଲା ଆହୁରି ସରଗରମ ହୋଇଯାଇଥିଲା । ଏହାର ପରଦିନ, ଅର୍ଥାତ୍ ଆଜି ରବିବାର ଦିନ, ରୋହିଣୀ ଆଉ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଲେଖିଥିଲେ ଯେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଆଯାଇଛି ଏବଂ ଏହି କାରଣରୁ ସେ ନିଜ ବୁଢ଼ା ମାତା-ପିତାଙ୍କୁ ଛାଡ଼ି ଯିବାକୁ ବାଧ୍ୟ ହୋଇଛନ୍ତି ।