କନକ ବ୍ୟୁରୋ: କାନ୍ଦୁଛି କଳିଙ୍ଗ ଯୁଦ୍ଧର ମୂକସାକ୍ଷୀ, ‘ଦୟା’ ଦେହରେ ଯୁଦ୍ଧର ନୁହେଁ ଲାଗିଗଲା ଦୁଷ୍କର୍ମର ଦାଗ, ନରପିଶାଚଙ୍କ ନାରକୀୟକାଣ୍ଡ ପରେ ଶାନ୍ତିସ୍ତୂପକୁ ଦେଖି ସକେଇ ହୋଇ କାନ୍ଦୁଛି ଦୟା ନଦୀ । ଦିନେ ଯୁଦ୍ଧ ପାଇଁ ରକ୍ତରଞ୍ଜିତ ହୋଇଥିବା ଦୟା ଆଜି ଦେହର ଭୋକିଲା କୁକୁରଙ୍କ କ୍ରୁରତାକୁ ଦେଖିଛି । ଯେଉଁ ଧଉଳି ଠାରୁ ଶାନ୍ତିର ବାର୍ତ୍ତା ସାରା ସଂସାରକୁ ଯାଉଛି, ସେ ଧଉଳି ଠାରେ ଧସିଯାଇଛି ବିଶ୍ବାସ, ଭାଙ୍ଗିଯାଇଛି ଭରସା । କାରଣ ସେହି ଶାନ୍ତିର ମାଟିରେ ସଇତାନ ମାନେ ଜଣେ ନାବାଳିକାକୁ ଝୁଣି ଖାଇଯାଇଛନ୍ତି ।  

Advertisment

ମହର୍ଷି ଦଧିଚୀଙ୍କ ନାଁରେ ହୋଇଥିବା ଦୟା ନଦୀ ଇତିହାସରେ ମଣିଷର ଅତି ନିର୍ମମ ରୂପ ଦେଖିଥିଲା । ସେ ଯୁଦ୍ଧ ପରେ ଅଶୋକଙ୍କ ହୃଦୟ ବି ତରଳି ଯାଇଥିଲା କିନ୍ତୁ ଶତାବ୍ଦୀ ପରେ ବି ସେହି ‘ଦୟା’ କୂଳରେ ଦୟା ଦେଖାଇଲେନି କାମନାରେ ଜଳୁଥିବା କୁକୁର । ଧଉଳିର ଶାନ୍ତ, ପବିତ୍ର ପରିବେଶରେ ଝିଅଟି ସହ ଘଟିଥିବା ଏହି ଜଘନ୍ୟ ଅପରାଧ ଶିକ୍ଷିତ ସମାଜକୁ ଆଇନା ଦେଖାଇଦେଉଛି । ଏହା କୌଣସି ଯୁଦ୍ଧ ନଥିଲା, ତଥାପି ଏଠାରେ ମାନବିକତା ହାରିଗଲା, ପାଶବିକତା ଜିତିଗଲା ।

ଆହୁରି ପଢ଼ନ୍ତୁ : ଧଉଳି ଗଣଦୁଷ୍କର୍ମ ଲଜ୍ଜା : ପୁରୁଷ ବନ୍ଧୁ ମୁହଁରେ ଲୋମଟାଙ୍କୁରା କାହାଣୀ

ହଁ ପର୍ଯ୍ୟଟନ ଋତୁ ବେଳେ ଧଉଳି ପରି ଐତିହାସିକ ସ୍ଥଳୀ ନିକଟରେ ଏଭଳି ଘଟଣା କେବଳ ରାଜଧାନୀ ପାଇଁ ନୁହେଁ ସାରା ରାଜ୍ୟ ପାଇଁ ଲଜ୍ଜାର ବିଷୟ । ଯଦି ଯୁଦ୍ଧ ଦେଖିଥିବା ଦୟା ନଦୀ କଥା କହିପାରନ୍ତା, ତା’ ହେଲେ ସେ ପ୍ରଶ୍ନ କରିଥା’ନ୍ତା “ କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ ଅଶୋକ ବଦଳିଯାଇଥିଲେ ହେଲେ ଆଜିର ମଣିଷ କାହିଁକି ନୁହେଁ? ସେଦିନ ସିନା ଯୁଦ୍ଧ ବେଳେ ଶତ୍ରୁଙ୍କର ହତ୍ୟା ହୋଇଥିଲା, ଆଜି ଏଠାରେ ହତ୍ୟା ହୋଇଛି ନ୍ୟାୟ, ନିରାପତ୍ତା ଓ ମାନବିକତାର । ଶାନ୍ତିସ୍ତୂପ ପାଖରେ ଯଦି ନାବାଳିକା ସୁରକ୍ଷିତ ନୁହେଁ, ତେବେ ସେଇ ଶାନ୍ତି କାହା ପାଇଁ? ଦୟା ନଦୀ କୂଳରେ ହୋଇଥିବା ଯୁଦ୍ଧ ସିନା ମଣିଷକୁ ମାନବିକତାର ଆଇନା ଦେଖାଇଥିଲା । ହେଲେ ଆଜି ସେ ଆଇନାରେ ଆମେ ଦେଖୁଛୁ... ନରପଶୁ, ନିରବ ପ୍ରଶାସନ, ଓ ନ୍ୟାୟ ମିଳିବା ପୂର୍ବରୁ ମା’ ଆଖିର ଶୁଖିଯାଉଥିବା ସେ ଲୁହ ।