କନକ ବ୍ୟୁରୋ: ଧଉଳି ଗଣଦୁଷ୍କର୍ମ ଘଟଣା ପରେ ପୁଣି ପଦାରେ ପଡିଛି ପର୍ଯ୍ୟଟନ ସ୍ଥଳୀର ଢ଼ିଲା ସୁରକ୍ଷା ବ୍ୟବସ୍ଥା। ଗୋପାଳପୁର ଘଟଣା ପରେ ସବୁ ପର୍ଯ୍ୟଟନସ୍ଥଳୀରେ ସୁରକ୍ଷାକୁ କଡ଼ାକଡ଼ି କରିବାକୁ ସରକାର ଘୋଷଣା କରିଥିଲେ ବି ସୁଧାର ଆସିନି । ଆଉ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।
- ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ
- ବୁଲିବାକୁ ଯିବାକୁ ଲାଗିଲାଣି ଡର
ଗୋପାଳପୁର ବିଚରେ ଗତ ଜୁନ୍ ୧୫ ତାରିଖରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଜଣେ ୨୦ ବର୍ଷିୟା ଛାତ୍ରୀ। ମାମଲାର ଗୁରୁତ୍ବ ଦୃଷ୍ଟିରୁ ଓଡ଼ିଶା ପୁଲିସ୍ ଏହାକୁ ରେଡ ଫ୍ଲାଗ୍ ଶ୍ରେଣୀଭୁକ୍ତ କରିବା ସହ ୧୦ଜଣଙ୍କୁ ବାନ୍ଧିଥିଲେ। ସେହିପରି ସେପ୍ଟେମ୍ବର ମାସରେ ପୁରୀ ବାଲିହରଚଣ୍ଡୀ ବିଚ୍ରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ୧୯ ବର୍ଷୀୟ କଲେଜ ଛାତ୍ରୀ। ଏହାପରେ ତମ୍ବିତୋଫାନ ପରେ ବନ୍ଧା ହୋଇଥିଲେ ଅଭିଯୁକ୍ତ। ଖାଲି ସେତିକି ନୁହେଁ, ଜୁଲାଇ ମାସରେ ବାଲେଶ୍ବର ଡୋଗରା ବିଚ୍ରେ ସ୍ବାମୀଙ୍କ ଆଗରେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ ଦୁବୃର୍ତ୍ତ।
ଆହୁରି ପଢ଼ନ୍ତୁ : ନଦୀ ପଠାରେ ଗଣଦୁଷ୍କର୍ମ! ଛାତି ଥରାଇଲା ‘ଧଉଳି’ କାଣ୍ଡ
ଏହି ସବୁ ଘଟଣା ପରେ ଆମେରିକା ତାର ନାଗରିକଙ୍କ ସତର୍କ କରିଥିଲା। ଚାରିଆଡେ ଓଡ଼ିଶା ନିନ୍ଦିତ ହେବା ପରେ ସବୁ ପର୍ଯ୍ୟଟନସ୍ଥଳୀର ସୁରକ୍ଷାକୁ ବଢ଼ାଇବାକୁ ଘୋଷଣା କରିଥିଲେ ସରକାର। ହେଲେ, ରାଜଧାନୀ ଉପକଣ୍ଠ ଧଉଳିରେ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ପରେ ପୁଲିସର ପାରିବାପଣିଆ ପଦାରେ ପଡ଼ିଛି। ବିରୋଧୀ ଦଳ ନେତା ନବୀନ ଏକ୍ସରେ ପୋଷ୍ଟ କରି ଘଟଣାକୁ ନିନ୍ଦା କରିବା ସହ ଚିନ୍ତା ପ୍ରକଟ କରିଛନ୍ତି। ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରାଯାଇଛି। ସେପଟେ ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ରାଜନୀତି ନକରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ୍ସରେ ପୋଷ୍ଟ କରିଛନ୍ତି। ଆଇନମନ୍ତ୍ରୀ କହିଛନ୍ତି, ସରକାର ଅପରାଧକୁ ବିଚାର କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତ୍ବରିତ ନ୍ୟାୟ ଦେବା ପାଇଁ ଚେଷ୍ଟା କରୁଛନ୍ତି। ରାଜନୈତିକ ବୟାନବାଜି ଭିତରେ ପ୍ରଶ୍ନ ଉଠୁଛି କେବେ ସୁରକ୍ଷିତ ହେବ ପର୍ଯ୍ୟଟନସ୍ଥଳୀ? କେବେ ନାରୀଙ୍କୁ ମିଳିବ ସମ୍ମାନ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/16/crime-in-tourist-place-2025-12-16-19-45-36.jpg)