କନକ ବ୍ୟୁରୋ : ଗ୍ରାମ ପଞ୍ଚାୟତରୁ ଏନ୍‌ଏସି ହେଲେ ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ ହେବ । ବିଜ୍ଞପିତ ଅଞ୍ଚଳରେ ଅଧିକ ସୁବିଧା ମିଳିବ । ହେଲେ ସେମିତି କିଛି ହେଲା ନାହିଁ । ସମସ୍ୟା ସମାଧାନ ହେବା ତ ଦୂରର କଥା, ମୌଳିକ ସୁବିଧା ବି ମିଳୁନାହିଁ । ବର୍ଷ ବର୍ଷ ଧରି ସମସ୍ୟା ସହ ଜୁଝି ହେବା ପରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୫ ନମ୍ବର ୱାର୍ଡବାସୀ ।

Advertisment

ହାତରେ ଦାବିପତ୍ର ଧରି ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗକାରୀ । ନିଜ ଅଞ୍ଚଳର ସମସ୍ୟା ସଂପର୍କରେ ଗୋଟି ଗୋଟି କରି କହିଲେ । ଆଉ ତୁରନ୍ତ ସମାଧାନ ନକଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୫ ନଂ ୱାର୍ଡର ତେନ୍ତୁଳିଆପଡ଼ାବାସୀ । ଏଠାରେ ଆଦିବାସୀଙ୍କ ସମେତ ବହୁ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ଦୀର୍ଘଦିନ ହେଲା ପିଇବା ପାଣି, ବିଦ୍ୟୁତ୍‌, ରାସ୍ତା, ଶିକ୍ଷା ଏବଂ ପରିମଳ ଅବ୍ୟବସ୍ଥାରେ ଛନ୍ଦି ହୋଇପଡ଼ିଥିବା କହିଛନ୍ତି ଅଞ୍ଚଳବାସୀ । 

ଅଧିକ ପଢ଼ନ୍ତୁ--ବାରମ୍ବାର ତାରିଖ ବଦଳୁଛି; ଏଫ୍‌ସିଆଇ ଗୋଦାମକୁ ଆସୁନି ଚାଉଳ

ତେନ୍ତୁଳିଆପଡ଼ାରେ ଥିବା ପ୍ରାଥମିକ ବିଦ୍ୟାଳୟରେ ବାଲ୍‌ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ୮ଟି ଶ୍ରେଣୀରେ ପଢ଼ାଇବାକୁ ଅଛନ୍ତି ମାତ୍ର ୪ଜଣ ଶିକ୍ଷକ । ଫଳରେ ଶିକ୍ଷାଦାନ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି । ଗ୍ରାମ ପଞ୍ଚାୟତରୁ ଏନ୍‌ଏସି ହେଲେ ଅଞ୍ଚଳର ଉନ୍ନତି ହେବ । ଅନେକ ସମସ୍ୟାର ସମାଧାନ ହେବ । ଏମିତି କେତେ ସ୍ୱପ୍ନ ଦେଖିଥିଲେ ସ୍ଥାନୀୟ ବାସିନ୍ଦା । କିନ୍ତୁ କିଛି ହେଲା ନାହିଁ ବୋଲି ଅଭିଯୋଗ କରି ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ତ ହୋଇଛନ୍ତି ୱାର୍ଡବାସୀ । କେନ୍ଦ୍ର, ରାଜ୍ୟ ଓ ଧର୍ମଗଡ଼ ନଗରରେ ବିଜେପି ଶାସନ ଥିବା ବେଳେ ଅଞ୍ଚଳବାସୀ ଏବେ ବି ମୌଳିକ ସୁବିଧାରୁ  ବଞ୍ଚିତ ରହିବା ପରିତାପର ବିଷୟ ।