କନକ ବ୍ୟୁରୋ : ସ୍ବାୟତ୍ତ ଶାସନ ଦିବସ ଅବସରରେ ଘୋଷଣା ହୋଇଥିବା ନୂଆ ଏନ୍ଏସି ଓ ମ୍ୟୁନିସିପାଲିଟିକୁ ନେଇ ଜୋରଦାର ହୋଇଛି ବୟାନବାଜି । ଏହି ଘୋଷଣା ପଛରେ ରାଜନୀତିର ଗନ୍ଧ ବାରି ବର୍ଷିଛି ବିଜେଡି । ବିଜେଡି ସରକାର ସମୟରେ ନିୟମ ଅନୁସାରେ ଘୋଷଣା ହୋଇଥିବା ଏନ୍ଏସି ଗୁଡ଼ିକୁ କାଟି ଦିଆଯାଇଥିବା ଅଭିଯୋଗ କରିଛନ୍ତି ବିଜେଡି ନେତା । କିନ୍ତୁ ବିଜେଡିର ଅଭିଯୋଗକୁ ଖଣ୍ଡନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଏସବୁ ଭିତରେ ଚଣ୍ଡିଖୋଲ, ବୋରିଗୁମ୍ମା, ସାଲେପୁର ସମେତ ଆଉ କେତେକ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଯାଇଛି ଶ୍ରେୟ ରାଜନୀତି । ଅନ୍ୟପଟେ ଯେଉଁ ସବୁ ଅଞ୍ଚଳ ଘୋଷଣାରୁ ବାଦ୍ ପଡ଼ିଛି ସେଠି ଅସନ୍ତୋଷ ତେଜିଛି ।
ଜଳେଶ୍ବର, କାକଟପୁର, ବୋଲଗଡ଼, ବେଗୁନିଆ ଭଳି ଅଞ୍ଚଳରେ ବିରୋଧୀ ଶାସକ ଦଳକୁ ଘେରିଛନ୍ତି । ପୁନଃବିଚାର ନକଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଦିବସରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ରାଜ୍ୟ ସରକାର ୧୨ଟି ଏନ୍ଏସି ପାଇଁ ଡ୍ରାଫ୍ଟ ପ୍ରକାଶ କରିଥିଲେ । ତା’ପରେ ଚାରିଆଡ଼ୁ ଏନ୍ଏସି ଦାବି ଉଠିଥିଲା । ବିଭିନ୍ନ ଆଡ଼ୁ ଦାବି ଆସିବା ପରେ ରବିବାର ୧୬ଟି ନୂଆ ଏନ୍ଏସି ଓ ୭ଟି ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।