କନକ ବ୍ୟୁରୋ : ବିମାନ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ବିମାନରେ ପାୱାର ବ୍ୟାଙ୍କ ଚାର୍ଜ କରିବା ଏବଂ ସିଟ୍‌ର ପାୱାର ସିଷ୍ଟମ୍ ସହିତ ଏହାକୁ ସଂଯୋଗ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି DGCA । ନିକଟରେ ଲିଥିୟମ୍ ବ୍ୟାଟେରୀରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି । ଏବେ ପାୱାର ବ୍ୟାଙ୍କ କେବଳ ହ୍ୟାଣ୍ଡ ବ୍ୟାଗରେ ରଖାଯାଇପାରିବ, କିନ୍ତୁ ବିମାନ ମଧ୍ୟରେ ଏହାକୁ ଚାର୍ଜ କରିବା ସମ୍ପୂର୍ଣ୍ଣ ମନା ।

Advertisment

DGCA ଏକ ଆଡଭାଇଜରୀ ଜାରି କରି କହିଛି ଯେ ଲିଥିୟମ୍ ବ୍ୟାଟେରୀ ନିଆଁ ଲାଗିବାର ଏକ ବଡ଼ କାରଣ ହୋଇପାରେ । ବିମାନର ଓଭରହେଡ୍ ବିନ୍‌ରେ ରଖାଯାଇଥିବା ପାୱାର ବ୍ୟାଙ୍କ ପାଖକୁ ପହଞ୍ଚିବା କଷ୍ଟକର ହୋଇଥାଏ, ଯାହାଫଳରେ ନିଆଁ ଲାଗିଲେ ଠିକ୍ ସମୟରେ ପଦକ୍ଷେପ ନିଆଯାଇପାରେ ନାହିଁ । ଏହି କାରଣରୁ ବିମାନରେ ପାୱାର ବ୍ୟାଙ୍କ ଚାର୍ଜ କରିବା ଉପରେ ରୋକ୍ ଲଗାଯାଇଛି ।

ଅଧିକ ପଢ଼ନ୍ତୁ---ଡ୍ରଗ୍ସ ବାହାନାରେ ଭେନେଜୁଏଲାର ତେଲ ଉପରେ ଟ୍ରମ୍ପଙ୍କ ଆଖି ; ଭାରତ ଉପରେ ପ୍ରଭାବ ପଡ଼ିବ କି ?

ବିମାନରେ ଲିଥିୟମ୍ ବ୍ୟାଟେରୀର ସୁରକ୍ଷାକୁ ନେଇ DGCA ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି । ଏଥିରେ ଏୟାରଲାଇନ୍ସକୁ ଲିଥିୟମ୍ ବ୍ୟାଟେରୀ ନେବା ପାଇଁ ସେଫ୍ଟି ରିସ୍କ ଆସେସମେଣ୍ଟ କରିବା, ବିମାନ ମଧ୍ୟରେ ଘୋଷଣା ମାଧ୍ୟମରେ ଯାତ୍ରୀଙ୍କୁ ସଚେତନ କରିବା ଏବଂ ପାୱାର ବ୍ୟାଙ୍କ ଓ ଇଲେକ୍ଟ୍ରୋନିକ୍ ଉପକରଣରୁ ନିଆଁ ଲାଗିବା ଘଟଣାକୁ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି । କ୍ୟାବିନ୍ ବ୍ୟାଗେଜରେ ପାୱାର ବ୍ୟାଙ୍କ ଏବଂ ସ୍ପେୟାର ବ୍ୟାଟେରୀର କଡ଼ା ନଜର ରଖିବା, କ୍ୟାବିନ୍ କ୍ରୁଙ୍କ ଟ୍ରେନିଂର ସମୀକ୍ଷା ଏବଂ ଯାତ୍ରୀଙ୍କୁ କୌଣସି ଡିଭାଇସରେ ଅତ୍ୟଧିକ ଗରମ ବା ଧୂଆଁ ଦେଖାଗଲେ ତୁରନ୍ତ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି ।

ଲିଥିୟମ୍ ବ୍ୟାଟେରୀ କାହିଁକି ବିପଜ୍ଜନକ?

ଲିଥିୟମ୍ ବ୍ୟାଟେରୀରେ ନିଆଁ ଲାଗିବା ଆଶଙ୍କା ଅଧିକ ଥାଏ କାରଣ ଏହି ନିଆଁ ସହଜରେ ଲିଭି ନଥାଏ । ଖରାପ ଗୁଣବତ୍ତା, ଓଭରଚାର୍ଜିଂ ବା ସର୍ଟ ସର୍କିଟ ଯୋଗୁଁ ବ୍ୟାଟେରୀରେ ନିଆଁ ଲାଗିପାରେ । ଏହି ନିଆଁ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥାଏ ଏବଂ ଡିଭାଇସ୍ ଫାଟିଯିବାର ସମ୍ଭାବନା ମଧ୍ୟ ଥାଏ । ତେଣୁ ବିମାନରେ ଏହାର ବ୍ୟବହାର ଅତ୍ୟନ୍ତ ବିପଜ୍ଜନକ ।

ଏମିରେଟ୍ସ, ସିଙ୍ଗାପୁର ଏୟାରଲାଇନ୍ସ, କାଥେ ପାସିଫିକ୍ ଏବଂ କତାର ଏୟାରୱେଜ୍ ପରି ଅନେକ ଏୟାରଲାଇନ୍ସ ପୂର୍ବରୁ ବିମାନ ମଧ୍ୟରେ ପାୱାର ବ୍ୟାଙ୍କ ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି । ଯାତ୍ରୀଙ୍କୁ କେବଳ 100Whରୁ କମ୍ କ୍ଷମତା ବିଶିଷ୍ଟ ପାୱାର ବ୍ୟାଙ୍କ ନେବାକୁ ଅନୁମତି ଦିଆଯାଇଛି, କିନ୍ତୁ ସେଗୁଡ଼ିକୁ ଚାର୍ଜ କରିବା ସମ୍ପୂର୍ଣ୍ଣ ନିଷେଧ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏୟାରଲାଇନ୍ସଗୁଡ଼ିକ ହ୍ୟାଣ୍ଡ ବ୍ୟାଗ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଉଚିତ । ଅନେକ ସମୟରେ ଓଭରହେଡ୍ ବିନ୍ ଭର୍ତ୍ତି ହୋଇଗଲେ ହ୍ୟାଣ୍ଡ ବ୍ୟାଗକୁ କାର୍ଗୋ ହୋଲ୍ଡରେ ରଖାଯାଏ, ଯେଉଁଥିରେ ପାୱାର ବ୍ୟାଙ୍କ ଥାଇପାରେ । ଏହା ସୁରକ୍ଷା ପାଇଁ ଏକ ବଡ଼ ବିପଦ ।