କନକ ବ୍ୟୁରୋ : ରାତି ପାହିଲେ କୃଷି ଭିତ୍ତିକ ଗଣପର୍ବ ମକର । ସେଥିପାଇଁ ସରିଛି ଆୟୋଜନ, ଉତ୍ସବମୁଖର ହେଲାଣି ଗାଁରୁ ସହର । କେଉଁଠି ମନ ମୋହିବ ମକର ଚାଉଳର ମହକ, ତ ଆଉ କେଉଁଠି ମନ ଉଚ୍ଛନ୍ନ କରିବ ମେଳା ବୁଲା । ଆନମନା କରିବ ଗୁଡ଼ି ଓ ଖୋକା ଭାଇଙ୍କ ସେଇ ଚିର ସବୁଜ ଗୀତ ।

Advertisment

ମକର ଆସିଲେ ଆପେ ଆପେ ଦୂର ଆକାଶକୁ ଲମ୍ୱିଯାଏ ଆଖି । ଭସା ବଉଦ ମେଳରେ ଭାସି ଉଠେ ମନ । ରୋମାଞ୍ଚ ଭରେ ଝୁଲି ଝୁଲି ଉଡ଼ୁଥିବା ରଙ୍ଗ ବେରଙ୍ଗର ଗୁଡ଼ି । ଆନମନା କରେ ଖୋକା ଭାଇଙ୍କ ସେଇ କାଳଜୟୀ ଗୀତ 'ଯାଆରେ ଉଡ଼ି ଏ ମୋର ଗୁଡ଼ି' । ଆସନ୍ତାକାଲି ମକର ସଂକ୍ରାନ୍ତି । ସୂର୍ଯ୍ୟଙ୍କ ଉତ୍ତରାୟଣ ସହ ବଢ଼ିବ ତେଜ, ବଡ଼ ହେବ ଦିନ । ଆଉ ରାତି ପାହିଲେ ଉତ୍ସବ ମୁଖର ହୋଇ ଉଠିବ ପୁରପଲ୍ଲୀ । ଫଳମୂଳ ସହ ମକର ଚାଉଳ ଭୋଗ । ପିଠା ପଣା, ନୂଆ ଲୁଗା, ଆନନ୍ଦ ଉଲ୍ଲାସ । ଗାଁରୁ ସହର ଦେଖିବାକୁ ମିଳିବ ନାନାଦି ନିଆରା ପରମ୍ପରା । ଓଡ଼ିଶାର ବିଭିନ୍ନ ସ୍ଥାନରେ ବସିବ ମକର ମେଳା ।

ଅଧିକ ପଢ଼ନ୍ତୁ : ମକର ପୂର୍ବରୁ କେନ୍ଦୁଝରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି; ୧୭ଶହ ୮କୋଟି ଟଙ୍କା ପ୍ରକଳ୍ପର କଲେ ଶିଳାନ୍ୟାସ

ମୟୂରଭଞ୍ଜ ଜିଲ୍ଲାରେ ଗଣପର୍ବ ମକର ପାଇଁ ସଜେଇ ହୋଇଛି ଆଦିବାସୀ ଗାଁ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ବେଶ ଉତ୍ସାହ ଆଡ଼ମ୍ବରରେ ପାଳନ କରିଥାନ୍ତି ଏହି ପର୍ବ । ଏଠି ଆକର୍ଷଣ ସାଜିବ ଟୁସୁ ମିଳନ । ଢୋଲ ମାଦଳର ତାଳେ ତାଳେ ଟୁସୁ ଗୀତ ଗାଇ ମଜ୍ଜିଯିବେ ଲୋକେ । ସେପଟେ ବାଲେଶ୍ୱର ନୀଳଗିରି ସମେତ ବହୁ ଅଞ୍ଚଳରେ ରହିଛି ତିଳଉର ପ୍ରଚଳନ । ମକରରେ ଏହାର ବିଶେଷ ଚାହିଦା । ଭଦ୍ରକ ଧାମରାର ଧାମରାଇ ପୀଠ ଓ ବଡ଼ମ୍ୱା ସିଂହାନାଥ ପୀଠ ବି ମେଳା ପାଇଁ ପ୍ରସ୍ତୁତ ଥିବା ବେଳେ, ଅଟ୍ରିରେ ସ୍ଥାପିତ ହୋଇଛି ଶୁଭଖୁଣ୍ଟି । ଦକ୍ଷିଣ ଓଡ଼ିଶାରେ ବି ଏହା ପାଳିତ ହୁଏ ଖୁବ୍ ଆଡ଼ମ୍ୱର ସହକାରେ ।

ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ରହିଛି । ଏହା ପୂର୍ବରୁ ଆଜି ୧୬ ହାତ ଲମ୍ୱର ମାଳ ପିନ୍ଧି ବଡ଼ ସିଂହାରରେ ନବାଙ୍କ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।