ଗୁମୁରି କାନ୍ଦୁଛି ଦନ୍ତାରି ଗାଁ: ଗାଁକୁ ରାସ୍ତା ନାହିଁ, ପକ୍କା ଘର ଖଣ୍ଡେ ନାହିଁ

Advertisment

ଆଜି ବି ଆମ ରାଜ୍ୟରେ ଏମିତି ଅନେକ ଗାଁ ଅଛି, ଯେଉଁଠି ପହଞ୍ଚିପାରିନି ସାମାନ୍ୟତମ ମୌଳିକ ସୁବିଧା । ଭାତ ହାଣ୍ଡିରୁ ଭାତଟିଏ ଭଳି, ଗଞ୍ଜାମ ଜିଲ୍ଲାରେ ଗୁମୁରି କାନ୍ଦୁଛି ଦନ୍ତାରି ଗାଁ ।  

ଆଜି ବି ଆମ ରାଜ୍ୟରେ ଏମିତି ଅନେକ ଗାଁ ଅଛି, ଯେଉଁଠି ପହଞ୍ଚିପାରିନି ସାମାନ୍ୟତମ ମୌଳିକ ସୁବିଧା । ଭାତ ହାଣ୍ଡିରୁ ଭାତଟିଏ ଭଳି, ଗଞ୍ଜାମ ଜିଲ୍ଲାରେ ଗୁମୁରି କାନ୍ଦୁଛି ଦନ୍ତାରି ଗାଁ ।  

Dantari Village

କନକ ବ୍ୟୁରୋ: ଗାନ୍ଧୀଜୀ କହିଥିଲେ ଗାଁର ବିକାଶ ବିନା ଦେଶର ବିକାଶ ଅସମ୍ଭବ । ଆଗାମୀ ୧୦ ବର୍ଷ ଭିତରେ ଓଡ଼ିଶା ଯେତେବେଳେ ଗୋଟିଏ ପଟେ ବିକଶିତ ବନିବାର ସ୍ୱପ୍ନ ଦେଖୁଛି, ସେତେବେଳେ ଅନ୍ୟପଟେ ଗ୍ରାମୀଣ ଓଡ଼ିଶା ଦୁଃଖ ଯନ୍ତ୍ରଣାର ଅନ୍ଧାରୀ ଗହ୍ୱରରେ ସଢ଼ିହେବା, ବିଡ଼ମ୍ୱନା ନୁହେଁ ତ ଆଉ କଣ ? ଆଜି ବି ଆମ ରାଜ୍ୟରେ ଏମିତି ଅନେକ ଗାଁ ଅଛି, ଯେଉଁଠି ପହଞ୍ଚିପାରିନି ସାମାନ୍ୟତମ ମୌଳିକ ସୁବିଧା । ଭାତ ହାଣ୍ଡିରୁ ଭାତଟିଏ ଭଳି, ଗଞ୍ଜାମ ଜିଲ୍ଲାରେ ଗୁମୁରି କାନ୍ଦୁଛି ଦନ୍ତାରି ଗାଁ ।
 
ଅଙ୍କାବଙ୍କା ଜଙ୍ଗଲୀ ରାସ୍ତାରେ ବୋଧେ ବାଟ ହୁଡ଼ିଯାଇଛି 'ବିକାଶ' । ପାଦଚଲା ରାସ୍ତାରେ ଚାଲି ଚାଲି ବୋଧେ ଥକି ପଡ଼ିଛି 'କଲ୍ୟାଣ'। ବିକାଶ ଓ କଲ୍ୟାଣକୁ ବଳ ଦେବା ପାଇଁ ରାଜଧାନୀରେ ତିଆରି ହେଉଛି ୩ ଲକ୍ଷ କୋଟି ଟଙ୍କାର ବଜେଟ୍ । ସେଇ ୩ ଲକ୍ଷ କୋଟିରୁ ତିଳଟିଏ ବି ଏଠି ପହଞ୍ଚନ୍ତା, ଗାଁର ଚିତ୍ର କିଛି ଅଲଗା ଏମିତି ନଥାନ୍ତା । ଗଞ୍ଜାମ ଜିଲ୍ଲାର ଧରାକୋଟ ଓ ସୋରଡ଼ା ବ୍ଲକ୍‌ ଠିକ୍ ମଝିରେ ଥିବା ସୀମାନ୍ତ ଗାଁ ଦନ୍ତାରି ନାଳ । ଗାଁକୁ ରାସ୍ତା ନାହିଁ, ପକ୍କା ଘର ଖଣ୍ଡେ ନାହିଁ, ଭଲରେ ଗଣ୍ଡେ ଖାଇବାକୁ ନାହିଁ, ପିଇବାରୁ ମୁନ୍ଦେ ସ୍ୱଚ୍ଛ ପାଣି ନାହିଁ । ନାହିଁ ନାହିଁର ଗାଁ ଦନ୍ତାରିରେ, ଅଛି କେବଳ ଦୁଃଖ ଓ ଦାରିଦ୍ର୍ୟ । ୨୦ରୁ ଅଧିକ ପରିବାର ରହୁଥିବା ଗାଁରେ ଆଜି ବି ଲୋକେ ଚାଳ ଛପର ଘରେ ଦିନ କାଟୁଛନ୍ତି, କାଖରେ ଛୁଆ, ମୁଣ୍ଡରେ ଗରା ଧରି ମହିଳା ମାନେ ପାହାଡ଼ ତଳକୁ ଓହ୍ଲାଉଛନ୍ତି, କୂଅଟିଏ ଖୋଳି ଗୋଳିଆ ପାଣିରେ ଗାଁଟା ଯାକ ଲୋକ ଶୋଷ ମେଣ୍ଟାଉଛନ୍ତି । 

ଏହା ବି ପଢ଼ନ୍ତୁ; କଣ୍ଟାପଡ଼ାରେ ଏବେଠୁ ସରଗରମ ହେଲାଣି ରାଜନୀତି; ପ୍ରାଶାସନିକ ଅଧିକାରୀଙ୍କ ବିରୋଧରେ ସ୍ୱର ଉଠାଇଲେ ଜନ ପ୍ରତିନିଧି

ଦନ୍ତାରି ନାଳରେ ଦିନର ଯାତନାକୁ ବଳିଯାଏ ରାତିର ଯନ୍ତ୍ରଣା । ସଞ୍ଜ ନଇଁଲେ ଖାଇ ଗୋଡ଼ାଏ ଅନ୍ଧାର । ଗାଁକୁ ବିଜୁଳି ଆସିନଥିବାରୁ ଡିବିରି, ଲଣ୍ଠନ ଓ ମହମବତୀରେ ପିଲାଙ୍କ ପାଠପଢ଼ା, ରୋଷେଇବାସ, ଖିଆପିଆ । ୭ କିଲୋମିଟର ଦୂରରେ ସ୍କୁଲ, ପାଠ ପଢ଼ିବାକୁ ଯାଉନାହାନ୍ତି ଅନେକ ପିଲା । ହାତୀ ଭୟରେ ରାତିରେ ତାଟିକବାଟ ପଡ଼ିଯାଏ । 

ଗଞ୍ଜାମ ଜିଲ୍ଲାର ଏଭଳି ଗାଁକୁ ଦେଖିଲେ ମନରେ ପ୍ରଶ୍ନ ଉଠେ, ଯେଉଁ ଜିଲ୍ଲା ଦେଶକୁ ରାଷ୍ଟ୍ରପତି ଦେଇଛି, ଯେଉଁ ଜିଲ୍ଲା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ ଆସନ ବନିଛି, ଯେଉଁ ଜିଲ୍ଲାରୁ ତିନି ତିନି ଜଣ ମୁଖ୍ୟମନ୍ତ୍ରୀ ବନିଛନ୍ତି, ସେ ଜିଲ୍ଲାରେ ଆଜି ବି ଏମିତି ଗାଁ କେମିତି ଅଛି ? କାହିଁକି ଏମିତି ଅନେକ ଗାଁରେ ଆଜି ବି ପହଞ୍ଚିପାରେନି ଆମ୍ୱୁଲାନ୍‌ସ ? କାହିଁକି ଆବାସ ଯୋଜନାରେ ଯୋଡ଼ି ହୋଇପାରନ୍ତିନି ଏଠାକାର ଗରିବଗୁରୁବା ? କାହିଁକି ଅପହଞ୍ଚ ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ଓ ବିଦ୍ୟୁତ୍‌ ଭଳି ମୌଳିକ ସୁବିଧା ? ପଛୁଆ ଗାଁରେ କାହିଁକି ଅଙ୍କୁରିତ ହେଉନି ବିକାଶର ବୀଜ ? ଅଛି ଅଛିର ସହରରେ ନୁହେଁ, ଏମିତି ନାହିଁ ନାହିଁର ଗାଁରେ ତିଆରି ହେଉ ବିକଶିତ ଓଡ଼ିଶାର ନୀଳନକ୍ସା ।

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe