କନକ ବ୍ୟୁରୋ : ଓଡ଼ିଶା ବିକାଶ ପାଇଁ ରାଜ୍ୟ ସରକାରଙ୍କ ରୋଡମ୍ୟାପ୍ । ଜୁନ୍ ସୁଦ୍ଧା ୬୫ ହଜାର ସରକାରୀ ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମସ୍ତ ବିବାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୧୫ ସୂତ୍ରୀ ନିର୍ଦ୍ଦେଶ ପାଳନ ନେଇ ବିଭାଗୀୟ ସଚିବ କଣ ସବୁ ଯୋଜନା କରିଛନ୍ତି, ସେନେଇ ରିପୋର୍ଟ ଦେବାକୁ କହିଛନ୍ତି ଅନୁ ଗର୍ଗ । ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ସଚିବମାନଙ୍କୁ ନେଇ ଗତ ଜାନୁଆରି ୧ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଲୋକ ସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଅର୍ଥନୈତିକ ପ୍ରଗତି ଏବଂ ପ୍ରଶାସନିକ ସଂସ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୫-ସୂତ୍ରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଉପେ ଗୁରୁତ୍ୱ ଦିଆଯାଇଥିଲା ।  

Advertisment

ନିଯୁକ୍ତି ଓ ପ୍ରାଶାସନିକ ସଂସ୍କାର, ଅର୍ଥନୈତିକ ଲକ୍ଷ୍ୟ ଓ ଭିତ୍ତିଭୂମି ବିକାଶ, ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର, ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ନେଇ ଅଣ୍ଟା ଭିଡିଛନ୍ତି ସରକାର । ଏହାକୁ କାର୍ଯ୍ୟକାରୀ ଦିଗରେ ଯାହା ସବୁ ପଦକ୍ଷେପ ଗ୍ରହଣ କରାଯାଇଛି, ତାକୁ ସରକାରୀ ୱେବ୍‌ସାଇଟ୍‌ରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ହୋଇଛି । 

ଅଧିକ ପଢ଼ନ୍ତୁ---ଖବର ବାଜିବା ପରେ ଚେତିଲା ପ୍ରଶାସନ ; ବନ୍ଧସାହିରେ ଅବକାରୀ ବିଭାଗର ଚଢ଼ାଉ

  • ଆସନ୍ତା ଜୁନ୍ ୨୦୨୬ ସୁଦ୍ଧା ରାଜ୍ୟରେ ଖାଲି ପଡ଼ିଥିବା ୬୫,୦୦୦ ସରକାରୀ ପଦବୀ ପୂରଣ ହେବ ଏବଂ ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ସଂଖ୍ୟାକୁ ୧.୫ ଲକ୍ଷକୁ ବୃଦ୍ଧି କରାଯିବ ।
  • ପ୍ରଶାସନକୁ ସ୍ୱଚ୍ଛ କରିବା ପାଇଁ ଅକର୍ମଣ୍ୟ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
  • ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
  • ୨୦୨୭ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗାଁକୁ ବିଦ୍ୟୁତ୍, ସ୍ୱଚ୍ଛ ପାନୀୟ ଜଳ ଏବଂ ସବୁଦିନିଆ ପକ୍କା ରାସ୍ତା ଯୋଗାଇ ଦିଆଯିବ ।
  • ବ୍ଲକ ସ୍ତରରୁ ସଚିବାଳୟ ପର୍ଯ୍ୟନ୍ତ ସମସ୍ତ ସରକାରୀ ଚିଠିପତ୍ର ଓ ବିଜ୍ଞପ୍ତିରେ ଓଡ଼ିଆ ଭାଷାର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।
  • ମାର୍ଚ୍ଚ ୮ ସୁଦ୍ଧା ସମସ୍ତ ଅଙ୍ଗନବାଡ଼ି, ସ୍କୁଲ ଓ କଲେଜରେ ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ କରାଯିବ ।
  • ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ।
  • ୧୦ ଦିନରୁ ଅଧିକ ସମୟ ଧରି ପଡ଼ି ରହିଥିବା ଜନସାଧାରଣଙ୍କ ଅଭିଯୋଗ ପାଇଁ ସ୍ୱୟଂଚାଳିତ ‘ଆଲର୍ଟ’ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।
  • ସରକାରୀ କର୍ମଚାରୀଙ୍କୁ ଅଧିକ ଦାୟିତ୍ୱବାନ କରିବା ପାଇଁ ଏକ ସ୍ୱତନ୍ତ୍ର ‘ପ୍ରଶିକ୍ଷଣ କ୍ୟାଲେଣ୍ଡର’ ପ୍ରସ୍ତୁତ କରାଯିବ ।
  • ସଚିବ ଓ ବରିଷ୍ଠ ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରିବେ ଏବଂ ଜାନୁଆରୀ ୧୫ ସୁଦ୍ଧା ସମସ୍ତ ବିକାଶ କାମର ଅଗ୍ରଗତି ରିପୋର୍ଟ ଅନଲାଇନ ଡ୍ୟାସବୋର୍ଡରେ ଅପଲୋଡ୍ କରିବେ ।