କନକ ବ୍ୟୁରୋ: ୫ ଡିସେମ୍ବର, ୨୦୨୫ରେ ପ୍ରେକ୍ଷାଳୟରେ ରଣବୀର ସିଂଙ୍କ ଅଭିନୀତ ଚଳଚ୍ଚିତ୍ର 'ଧୁରନ୍ଧର' ମୁକ୍ତିଲାଭ କରିଛି, ଯାହାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ଆୟ ମାମଲାରେ ମଧ୍ୟ ଏହି ଫିଲ୍ମ ଅନେକ ବଡ଼ କଳାକାରଙ୍କ ଚଳଚ୍ଚିତ୍ରକୁ ପଛରେ ପକାଇ ଦେଇଛି । ଦେଶସାରା ଏହି ଫିଲ୍ମ ୪୦୦ କୋଟିରୁ ଅଧିକ ଆୟ କରିଥିବାବେଳେ ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୭୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି । କିନ୍ତୁ ଏସବୁ ମଧ୍ୟରେ, ପଡ଼ୋଶୀ ଦେଶରେ ବ୍ୟାନ୍ ହେବା ସତ୍ତ୍ୱେ ଏହି ଫିଲ୍ମ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛି ।

Advertisment

ରଣବୀର ସିଂଙ୍କ ଫିଲ୍ମ 'ଧୁରନ୍ଧର' ବକ୍ସ ଅଫିସରେ ଜବରଦସ୍ତ ହିଟ୍ ହେବା ସହିତ ଏକ ଆଶ୍ଚର୍ଯ୍ୟଜନକ ରେକର୍ଡ ମଧ୍ୟ କରିଛି । ପ୍ରକୃତରେ, ଏହା ପାକିସ୍ତାନରେ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ପାଇରେଟେଡ୍ ଫିଲ୍ମ ପାଲଟିଛି । ଯଦିଓ ପାକିସ୍ତାନରେ ଏହି ଫିଲ୍ମକୁ ଅଫିସିଆଲି ଭାବେ ବ୍ୟାନ୍ କରାଯାଇଛି, ତଥାପି ମିଡିଆ ଏବଂ ଟ୍ରେଡ୍ ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ଦର୍ଶକଙ୍କ ମଧ୍ୟରେ ରଣବୀରଙ୍କ ଏହି ଫିଲ୍ମ ପାଇଁ ପ୍ରବଳ କ୍ରେଜ୍ ଦେଖିବାକୁ ମିଳୁଛି ।

ସୂଚନା ଅନୁଯାୟୀ, 'ଧୁରନ୍ଧର'କୁ ପାକିସ୍ତାନରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଥର ବେଆଇନ ଭାବେ ଡାଉନଲୋଡ୍ କରାଯାଇଛି । ଏହି ରେକର୍ଡ ଅନେକ ଫିଲ୍ମକୁ ପଛରେ ପକାଇ ଦେଇଛି । ଏହି ଫିଲ୍ମ ପୂର୍ବରୁ ରଜନୀକାନ୍ତଙ୍କ '୨.୦' ଏବଂ ଶାହରୁଖ ଖାନଙ୍କ 'ରଇସ୍' ସବୁଠାରୁ ଅଧିକ ପାଇରେଟେଡ୍ ଫିଲ୍ମ ତାଲିକାରେ ଥିଲେ । ସୋସିଆଲ ମିଡିଆରେ ମଧ୍ୟ ପାକିସ୍ତାନର ଅନେକ ଲୋକ ଏବଂ ତାରକାମାନେ ଫିଲ୍ମ ବିଷୟରେ ନକାରାତ୍ମକ ମନ୍ତବ୍ୟ ଦେଇଥିଲେ ସୁଦ୍ଧା, ସେହି ଦେଶରେ ଲୋକେ ଏହାକୁ ଖୁବ୍ ଉତ୍ସାହର ସହ ଦେଖୁଛନ୍ତି।

ଆହୁରି ପଢ଼ନ୍ତୁ... ଅଣ୍ଡା ଦର ଶୁଣିଲେ ଲାଗୁଛି ଡର, ବଜାରରେ ଗୋଟା ଅଣ୍ଡାର ଦାମ ୯ ଟଙ୍କା

ପାକିସ୍ତାନରେ 'ଧୁରନ୍ଧର'ର ଅଫିସିଆଲ୍ ରିଲିଜ୍ ଉପରେ ରୋକ ଲଗାଯିବାର ଅନେକ କାରଣ କୁହାଯାଇଛି, ଯେଉଁଥିରେ ଫିଲ୍ମରେ ଦର୍ଶାଯାଇଥିବା ପାକିସ୍ତାନର ଲ୍ୟାରୀ ଅଞ୍ଚଳ, ଆତଙ୍କବାଦୀ ହିଂସା ଏବଂ ଗୁପ୍ତଚର ବୃତ୍ତିର କାହାଣୀ ସାମିଲ ଅଛି । ଏହି ବିଷୟଗୁଡ଼ିକୁ ନେଇ ସେଠାରେ ପୂର୍ବରୁ ହିଁ ବିବାଦ ରହିଛି, ଯେଉଁଥିପାଇଁ ସରକାର ଫିଲ୍ମ ପ୍ରଦର୍ଶନ ଉପରେ ରୋକ ଲଗାଇଛନ୍ତି । କିନ୍ତୁ ଏହି ବ୍ୟାନ୍ ଫିଲ୍ମର କ୍ରେଜ୍ କମାଇବା ପରିବର୍ତ୍ତେ ଲୋକଙ୍କ ମଧ୍ୟରେ ଅଧିକ ଉତ୍ସାହ ଏବଂ ଚାହିଦା ସୃଷ୍ଟି କରିଛି । ଲୋକମାନେ ଟୋରେଣ୍ଟ ୱେବସାଇଟ୍, ଟେଲିଗ୍ରାମ ଚ୍ୟାନେଲ ଏବଂ VPN ସେବା ମାଧ୍ୟମରେ ଏହାର ପାଇରେଟେଡ୍ କପି ସହଜରେ ଦେଖୁଛନ୍ତି।

ସୋସିଆଲ ମିଡିଆରେ 'ଧୁରନ୍ଧର' ସହ ଜଡ଼ିତ କ୍ଲିପ୍ସ, ମିମ୍ସ ଏବଂ ରିଲ୍ସ ମଧ୍ୟ ଦ୍ରୁତ ଗତିରେ ଭାଇରାଲ ହେଉଛି । କିଛି ଲୋକ ଫିଲ୍ମର ଗୀତ ଏବଂ ଆକ୍ସନକୁ ଖୁବ୍ ଶେୟାର କରୁଛନ୍ତି । ଅନେକ ୟୁଜର୍ସ ଏହାର ସଂଳାପ, ଦୃଶ୍ୟ ଏବଂ ଅଭିନୟକୁ ପ୍ରଶଂସା କରିଥିବାବେଳେ, କିଛି ସମାଲୋଚକ କାହାଣୀ ଏବଂ ନିର୍ଦ୍ଦେଶନାକୁ ନେଇ ଭିନ୍ନ ମତ ରଖିଛନ୍ତି । ଆଦିତ୍ୟ ଧରଙ୍କ ଏହି ଫିଲ୍ମର କାଷ୍ଟ ବିଷୟରେ କହିବାକୁ ଗଲେ, ରଣବୀର ସିଂଙ୍କ ବ୍ୟତୀତ ଅକ୍ଷୟ ଖାନ୍ନା, ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ ଏବଂ ଆର. ମାଧବନଙ୍କ ପରି ବଡ଼ କଳାକାରମାନଙ୍କ ନାମ ସାମିଲ ଅଛି ।