କନକ ବ୍ୟୁରୋ : କନକ ନ୍ୟୁଜରେ ସାତଭାୟା ପଞ୍ଚାୟତରେ ବାଲ୍ୟ ବିବାହ ଖବର ପ୍ରସାରଣ ପରେ ରିପୋର୍ଟ ମାଗିଲେ ସରକାର । ବାଲ୍ୟ ବିବାହ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କହିଛନ୍ତି ବାଲ୍ୟ ବିବାହ ଘଟଣାକୁ ନେଇ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିଲେ ନିୟମ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାର ଅପରାଧ ରୋକିବାକୁ ସରକାର ଉଦ୍ୟମ କରିବେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେବେ, କିନ୍ତୁ ଏଥିପାଇଁ ସମାଜର ସହଯୋଗ ବି ଦରକାର ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା । 

Advertisment

ସେପଟେ ଖବର ପ୍ରସାରଣ ପରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ମଗରକନ୍ଦା ଗାଁରେ ପହଞ୍ଚି ସ୍ଥିତି ପରଖିଛନ୍ତି ଉପଜିଲ୍ଲାପାଳ । ମଗରକନ୍ଦାରେ ଗତ ୧୦ବର୍ଷ ମଧ୍ୟରେ ପିଲା ବିଦ୍ୟାଳୟ ଦେଖିନାହାନ୍ତି । ଏଠାରେ ନାବାଳକ, ନାବାଳିକା ବିବାହ ବଢ଼ୁଥିବା ନେଇ କନକନ୍ୟୁଜ ପ୍ରଥମେ ଖବର ପ୍ରସାରଣ କରିଥିଲା । ଖବର ପ୍ରସର ପରେ ଏବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପ-ଜିଲ୍ଲାପାଳ ଓ ରାଜନଗର ତହସିଲଦାର ସେହି ଗାଁ ରେ ପହଂଚି ଲୋକଙ୍କ ସହ ଆଲୋଚନା କରିଛନ୍ତି । କିପରି ଯେତେ ଶୀଘ୍ର ହୋଇପାରିବ ଏହି ଲୋକଙ୍କ ସମସ୍ୟା ଦୂର କରାଯାଇପାରିବ ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜନଗର ତହସିଲଦାର । 

ଅଧିକ ପଢ଼ନ୍ତୁ---ସମୁଦ୍ର ଗିଳିଦେଉଛି ବୋଲି ଚର୍ଚ୍ଚାରେ ରହିଛି ସାତଭାୟା; ଏବେ କିନ୍ତୁ ସାତଭାୟା ମୁଣ୍ଡରେ ଲାଗିଛି ବାଲ୍ୟବିବାହ କଳଙ୍କ

ପ୍ରକାଶ ଥାଉ କି, ସାତଭାୟାରେ ୯ ବର୍ଷ ହେବ ସ୍କୁଲ ମାଟି ମାଡ଼ିନାହାନ୍ତି ପ୍ରାୟ ୧୦୦ ଜଣ ପିଲା । ଅ ଆ ଲେଖି ଜାଣିନାହାନ୍ତି ୧୦ ବର୍ଷର ଶିଶୁ । କୁମ୍ଭୀର ସାଲୁବାଲୁ ନଈ ଡେଇଁ ପହଞ୍ଚିପାରୁନି ଶିକ୍ଷା । ଆଉ ସେପଟେ ଅଶିକ୍ଷାର ଅନ୍ଧାରରେ ବଢ଼ିଛି 'ଦାଦନ' ପ୍ରାଦୁର୍ଭାବ । କାୟା ମେଲାଇଛି ବାଲ୍ୟ ବିବାହ ଭଳି କୁପ୍ରଥା । ସାତଭାୟାର ସାଂଘାତିକ ସତ ସାମ୍ନାକୁ ଆସିବା ପରେ ତେଜିଛି ରାଜନୀତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ସାତଭାୟା ଅଞ୍ଚଳର ମଗରକନ୍ଦା ଓ ବଗପାଟିଆ ଅଞ୍ଚଳର ବିକଳ ଚିତ୍ର କନକ ନ୍ୟୁଜରେ ପ୍ରସାରଣ ପରେ, ସ୍ୱର ଶାଣିତ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ବିଜେଡି ନେତା ଧ୍ରୁବଚରଣ ସାହୁ । ଦାରିଦ୍ର୍ୟ ଓ ଜୀବୀକାର ଅଭାବକୁ ଏହାର ମୁଖ୍ୟ କାରଣ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ।