Photograph: (kanaknews)
କନକବ୍ୟୁରୋ : ରାସ୍ତା ସମ୍ପ୍ରସାରଣ ନା ରେ ଯେଉଁଠି ପାରିଲେ ସେଇଠି ରାମ୍ପି ପକାଇଲେ । ଦୋକାନ ଘର ବି ଭାଙ୍ଗିଦେଲେ । ପ୍ରତିଶ୍ରୁତିର ପାହାଡ଼ରେ ଗରିବ ବ୍ୟବସାୟୀଙ୍କୁ ପୋତି ପକାଇଲେ ସରକାରୀ ବାବୁ । ଏବେ ଦିନ ଗଡ଼ିଲା ପରେ ନା ରାସ୍ତା ଚଉଡ଼ା ହେଉଛି। ନା ବ୍ୟବସାୟୀ ହୋଇପାରୁଛି ।
କିପରି ରାସ୍ତାର ଉଭୟ ପାଖରେ ଥିବା ଦୋକାନ, ସବୁ ଭଙ୍ଗା ଯାଉଛି । ଏହି ଚିତ୍ର ହେଉଛି ବର୍ଷେ ତଳର । ଉଦ୍ଦେଶ୍ୟ ଥିଲା ରାସ୍ତା ସମ୍ପ୍ରସାରଣ ହେବ । ଟ୍ରାଫିକ ସମସ୍ୟା ଦୂର ହେବ । ସେଥିପାଇଁ ତରବରିଆ ଭାବେ ସବୁ ଭାଙ୍ଗି ପକାଇଲା ପ୍ରଶାସନ । ହେଲେ ବର୍ତ୍ତମାନର ଅବସ୍ଥା କେହି ଦେଖୁନାହାନ୍ତି । ପୁରା ରାସ୍ତା ଶୋଚନୀୟ । ପାଣି ପାଇପ୍ ଓ ବିଦ୍ୟୁତ ତାର ଓ ଖୁଣ୍ଟ ସବୁ ରାସ୍ତା ଉପରେ । ଅବଧି ସରିଲାଣି ହେଲେ ସରୁନି ଜୟପୁର ସହରର ମାହାତ୍ମାଗାନ୍ଧୀ ରୋଡ୍ର ସମ୍ପ୍ରସାରଣ କାମ । ଅନ୍ୟପଟେ କାମ ସରୁନଥିବାରୁ ରୋଜଗାର ନକରି ହାତବାନ୍ଧି ବସିଛନ୍ତି ବ୍ୟବସାୟୀ । ଉଚ୍ଛେଦ ସମୟରେ ପ୍ରଶାସନ ଦେଇଥିବା ପ୍ରତ୍ୟେକଟି ପ୍ରତିଶ୍ରୁତି ପାଣିର ଗାର ପରି ମିଳେଇ ଯାଇଛି ।
ଅଧିକ ପଢନ୍ତୁ... ଗାଁରେ ପହଞ୍ଚିପାରିନି ସରକାରଙ୍କ ବସୁଧା ଯୋଜନା ; ପାଣି ପାଇଁ ଡହଳବିକଳ କାନାଗୁଡ଼ାର ଲୋକେ
ରାସ୍ତା ସମ୍ପ୍ରସାରଣ ପାଇଁ ୫ କୋଟି ୩୪ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି । ୬ ମାସ ଭିତରେ କାମ ସରିବା କଥା କିନ୍ତୁ ବର୍ଷେ ହେଲା କାମ ସରୁନି । ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ଆନ୍ତରିକତା ଅଭାବ ଯୋଗୁଁ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିଥିବା ସ୍ଥାନୀୟ ବାସିନ୍ଦା କହୁଛନ୍ତି । ଜୟପୁର ପୌରପାଳିକା ଅଧ୍ୟକ୍ଷ ଏଥିପାଇଁ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଓ ଟାଟା ପାୱାର ମୁଣ୍ଡରେ ଦୋଷ ଲଦିଛନ୍ତି ।
ତେବେ ପରସ୍ପରକୁ ଦୋଷ ଲଦାଲଦି ଭିତରେ ବଳି ପଡ଼ିଛନ୍ତି ସାଧାରଣ ଜନତା । କେବେ ସରିବ ରାସ୍ତା କାମ ? ବନ୍ଦ ପଡ଼ିଥିବା ବ୍ୟବସାୟ ପାଇଁ ଦାୟୀ କିଏ ? ଏସବୁ ଉତ୍ତରକୁ ଅପେକ୍ଷା ।
Follow Us