କନକ ବ୍ୟୁରୋ :ଗାଁ ଗୁଡ଼ିକର ବିକାଶ ପାଇଁ ସରକାରଙ୍କ ରହିଛି ଅନେକ ଯୋଜନା , ଏଥି ମଧ୍ୟରୁ ବସୁଧା ଯୋଜନା ଗୋଟିଏ । ବସୁଧା ଯୋଜନାରେ ଗ୍ରାମବାସୀଙ୍କୁ ଦୂଷିତ ପାଣି ବଦଳରେ ବିଶୁଦ୍ଧ ପାଣି ଯୋଗାଇବା ପାଇଁ କୋଟି କୋଟି ଖର୍ଚ୍ଚ କରାଯାଉଛି । ହେଲେ ପ୍ରାଶାସନିକ ଅବହେଳା ଯୋଗୁଁ ଆଜି ବି ଅନେକ ଦୁର୍ଗମ ଗାଁ ଗୁଡ଼ିକରେ ପାଣି ଟୋପେ ପାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି ଗ୍ରାମବାସୀଙ୍କୁ । ଆମେ କହୁଛୁ କାଲିମେଳା ବ୍ଲକର ଅତି ଦୁର୍ଗମ ଅଂଚଳ ଭାବରେ ପରିଚିତ କାନାଗୁଡ଼ା ଗାଁ କଥା । ଏହି ଗ୍ରାମରେ ବସୁଧା ଯୋଜନା ଫେଲ୍ ମାରିଥିବା ବେଳେ ଏବେ ଝରଣା ପାଣି ଭରସାରେ କାନାଗୁଡ଼ା ଗ୍ରାମବାସୀ କାଟୁଛନ୍ତି ଦିନ ।
କାନାଗୁଡ଼ା ଗ୍ରାମରେ ବାସ କରନ୍ତି ୨୦୦ରୁ ଊର୍ଦ୍ଧ୍ୱ କୋୟା ଜନଜାତିର ଲୋକ । ଏମାନଙ୍କ ପାଇଁ ଗାଁରେ ରହିଛି ମୋଟ ୬ଟି ନଳକୂପ । ସେଥି ମଧ୍ୟରୁ ଅନେକ ଦିନ ହେଲା ୪ଟି ଖରାପ ହୋଇପଡ଼ିଥିବା ବେଳେ ଦୁଇଟି ନଳକୂଅରୁ ବାହାରୁଥିବା ପାଣି ପିଇବା ଉପଯୋଗୀ ନୁହେଁ । କଳରୁ ନାଲି ଓ ଆଇରନ ମିଶା ପାଣି ବାହାରୁଥିବାରୁ ଗ୍ରାମବାସୀ ଏହାକୁ ବ୍ୟବହାର କରୁନାହାନ୍ତି । ଗାଧୋଇବା ତ ଦୂରର କଥା ବାସନକୁସନ ଧୋଇଲେ ବି ସବୁ ନାଲି ପଡ଼ିଯାଉଛି । ଏହି ସମସ୍ୟାକୁ ଦୂର କରିବାକୁ ୪ବର୍ଷ ତଳେ ବସୁଧା ଯୋଜନାରେ ଗାଁରେ ଲକ୍ଷାଧିକ ଟଙ୍କା ବ୍ୟୟରେ ୫ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଟ୍ୟାପ ଯୋଗେ ଗାଁ ସହିତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବି ପାନୀୟ ଜଳ ଯୋଗାଇ ଦିଆଯାଉଥିଲା । ହେଲେ ତା’ ବି ଦୀର୍ଘ ଅଢ଼େଇ ମାସ ଧରି ଅଚଳ । ଫଳରେ ଗାଁଲୋକଙ୍କ ସହିତ ସ୍କୁଲ ଓ ଅଂଗନବାଡ଼ିରେ ପାଠ ପଢ଼ୁଥିବା କୁନିକୁନି ପିଲା ପାଣି ଟୋପେ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଏହି ସୋଲାର ପ୍ରକଳ୍ପଟି ଅଚଳ ହୋଇପଡ଼ିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମରାମତି କରାଯାଇପାରିନାହିଁ । ଫଳରେ ଗ୍ରାମବାସୀ ଝରଣା ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।
ଅଧିକ ପଢ଼ନ୍ତୁ--୫ ବର୍ଷରେ ତିଆରି ହେଲା ପୁରୁଷୋତ୍ତମଙ୍କ ମନ୍ଦିର ; ଜାଣନ୍ତୁ ମନ୍ଦିର ଭିତରେ କ'ଣ କ'ଣ ଅଛି ?
ଗାଁ ଠାରୁ ପ୍ରାୟ ୧କିମି ଦୂରରେ ପାହାଡ଼ ତଳେ ରହିଛି ଏହି ଝରଣା । ଗ୍ରାମର ମହିଳା ଏହି ଝରଣା ପାଣି ଆଣି ରୋଷେଇ ଠାରୁ ଆରମ୍ଭ କରି ସବୁ କାମ କରୁଛନ୍ତି । କିନ୍ତୁ ଏହି ଝରଣା ପାଣି କେତେଦୂର ପାନୀୟ ଉପଯୋଗୀ ତାହା ବି ଗ୍ରାମବାସୀଙ୍କୁ ଅଜଣା । ତେଣୁ ଯଥାଶୀଘ୍ର ଗ୍ରାମରେ ପାନୀୟ ଜଳ ସୁବିଧା କରିଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ । ତେବେ ଏ ସଂପର୍କରେ RWSS ବିଭାଗର ସହକାରୀ ଯନ୍ତ୍ରୀ ପିଥ ସୋରେନଙ୍କୁ ପଚାରିବାରୁ ସେ କ୍ୟାମେରା ସାମନାରେ କିଛି କହିବାକୁ ମନା କରିଦେଇଥିଲେ ମଧ୍ୟ ତାଙ୍କ ନିକଟରେ ଏ ସଂପର୍କରେ କୌଣସି ଅଭିଯୋଗ ଆସିନି ବୋଲି କହିଛନ୍ତି । ଯଦି କାନାଗୁଡ଼ା ଗ୍ରାମରେ ସୋଲାର ଅଚଳ ହୋଇପଡ଼ିଛି ତାହାକୁ ଖୁବ ଶୀଘ୍ର ମରାମତି କରି ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଦୀର୍ଘ ଦେଢ଼ ମାସ ହେଲା କାନାଗୁଡ଼ା ଗ୍ରାମରେ ସୋଲାର ପ୍ରକଳ୍ପ ଅଚଳ ହୋଇପଡ଼ିଥିବା ବେଳେ ବିଭାଗ ପାଖରେ କିପରି ଖବର ନାହିଁ ? କେବେ ଗାଁ ଲୋକ ପିଇବାକୁ ପାଣି ପାଇବେ ? କେବେ ଏହି ଅପହଞ୍ଚ ଅଞ୍ଚଳରେ ପହଞ୍ଚିବ ସରକାରୀ ସୁବିଧା ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/25/drinking-water-2025-11-25-16-56-32.jpg)