କନକବ୍ୟୁରୋ : ରାସ୍ତା ସମ୍ପ୍ରସାରଣ ନା ରେ ଯେଉଁଠି ପାରିଲେ ସେଇଠି ରାମ୍ପି ପକାଇଲେ ।  ଦୋକାନ ଘର ବି ଭାଙ୍ଗିଦେଲେ ।  ପ୍ରତିଶ୍ରୁତିର ପାହାଡ଼ରେ ଗରିବ ବ୍ୟବସାୟୀଙ୍କୁ ପୋତି ପକାଇଲେ ସରକାରୀ ବାବୁ । ଏବେ ଦିନ ଗଡ଼ିଲା ପରେ ନା ରାସ୍ତା ଚଉଡ଼ା ହେଉଛି। ନା ବ୍ୟବସାୟୀ ହୋଇପାରୁଛି ।  

Advertisment

କିପରି ରାସ୍ତାର ଉଭୟ ପାଖରେ ଥିବା ଦୋକାନ, ସବୁ ଭଙ୍ଗା ଯାଉଛି । ଏହି ଚିତ୍ର ହେଉଛି ବର୍ଷେ ତଳର । ଉଦ୍ଦେଶ୍ୟ ଥିଲା ରାସ୍ତା ସମ୍ପ୍ରସାରଣ ହେବ ।  ଟ୍ରାଫିକ ସମସ୍ୟା ଦୂର ହେବ ।  ସେଥିପାଇଁ ତରବରିଆ ଭାବେ ସବୁ ଭାଙ୍ଗି ପକାଇଲା ପ୍ରଶାସନ ।  ହେଲେ ବର୍ତ୍ତମାନର ଅବସ୍ଥା କେହି ଦେଖୁନାହାନ୍ତି   ।   ପୁରା ରାସ୍ତା ଶୋଚନୀୟ ।    ପାଣି ପାଇପ୍‌ ଓ ବିଦ୍ୟୁତ ତାର ଓ ଖୁଣ୍ଟ ସବୁ ରାସ୍ତା ଉପରେ ।    ଅବଧି ସରିଲାଣି ହେଲେ ସରୁନି ଜୟପୁର ସହରର ମାହାତ୍ମାଗାନ୍ଧୀ ରୋଡ୍‌ର ସମ୍ପ୍ରସାରଣ କାମ ।  ଅନ୍ୟପଟେ କାମ ସରୁନଥିବାରୁ ରୋଜଗାର ନକରି ହାତବାନ୍ଧି ବସିଛନ୍ତି ବ୍ୟବସାୟୀ । ଉଚ୍ଛେଦ ସମୟରେ ପ୍ରଶାସନ ଦେଇଥିବା ପ୍ରତ୍ୟେକଟି ପ୍ରତିଶ୍ରୁତି ପାଣିର ଗାର ପରି ମିଳେଇ ଯାଇଛି ।  

ଅଧିକ ପଢନ୍ତୁ... ଗାଁରେ ପହଞ୍ଚିପାରିନି ସରକାରଙ୍କ ବସୁଧା ଯୋଜନା ; ପାଣି ପାଇଁ ଡହଳବିକଳ କାନାଗୁଡ଼ାର ଲୋକେ

ରାସ୍ତା ସମ୍ପ୍ରସାରଣ ପାଇଁ ୫ କୋଟି ୩୪ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି  ।   ୬ ମାସ ଭିତରେ କାମ ସରିବା କଥା କିନ୍ତୁ ବର୍ଷେ ହେଲା କାମ ସରୁନି ।  ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ଆନ୍ତରିକତା ଅଭାବ ଯୋଗୁଁ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିଥିବା ସ୍ଥାନୀୟ ବାସିନ୍ଦା କହୁଛନ୍ତି  ।  ଜୟପୁର ପୌରପାଳିକା ଅଧ୍ୟକ୍ଷ ଏଥିପାଇଁ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଓ ଟାଟା ପାୱାର ମୁଣ୍ଡରେ ଦୋଷ ଲଦିଛନ୍ତି । 

ତେବେ ପରସ୍ପରକୁ ଦୋଷ ଲଦାଲଦି ଭିତରେ ବଳି ପଡ଼ିଛନ୍ତି ସାଧାରଣ ଜନତା । କେବେ ସରିବ ରାସ୍ତା କାମ ? ବନ୍ଦ ପଡ଼ିଥିବା ବ୍ୟବସାୟ ପାଇଁ ଦାୟୀ କିଏ ? ଏସବୁ ଉତ୍ତରକୁ ଅପେକ୍ଷା ।