କନକ ବ୍ୟୁରୋ : ଥମୁନି ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବି। ଶନିବାର କଟକ ଗାନ୍ଧୀ ଭବନରେ ସହରର ବୁଦ୍ଧିଜୀବୀ, ଶିକ୍ଷାବିତ, ରାଜନେତା, କଲେଜର ପୂର୍ବତନ ଛାତ୍ରୀ ଓ ବର୍ତ୍ତମାନର ଛାତ୍ରୀମାନେ ଏକାଠି ହୋଇଥିଲେ। ବୈଠକରେ ଏକ ନୂଆ କମିଟି ଗଠନ କରାଯାଇଛି। ଆନ୍ଦୋଳନକୁ ନିର୍ଣ୍ଣାୟକ ସ୍ତରରେ ପହଞ୍ଚାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ଦୀର୍ଘ ୪୫ ଦିନରୁ ଅଧିକ ସମୟ ହେଲା ଶୈଳବାଳା ମହିଳା କଲେଜ ଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ଛାତ୍ରୀମାନେ ଅଟଳ ରହିଛନ୍ତି। ସେପଟେ ସୋମବାରଠାରୁ ପିଲାମାନଙ୍କର ଇଣ୍ଟରନାଲ ପରୀକ୍ଷା ଆରମ୍ଭ ହେଉଛି। ପରୀକ୍ଷା ଶେଷ ହେବା ପରେ ସରକାରଙ୍କ ସହ ଆଉ ଥରେ ଆଲୋଚନା ହେବ। ଯଦି ଆଲୋଚନା ବିଫଳ ହେବ। ତେବେ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ଅଧିକ ପଢ଼ନ୍ତୁ :ସାବତ ଅନୁଷ୍ଠାନ ଶୈଳବାଳା ମହାବିଦ୍ୟାଳୟ! ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ସରକାର କୁନ୍ଥକୁନ୍ଥ
ଶୈଳବାଳା ମହିଳା ମହାବିଦ୍ୟାଳୟର ହେଉଛି ଓଡ଼ିଶାର ପ୍ରଥମ ମହିଳା କଲେଜ। ୧୧୩ ବର୍ଷର ଏହି କଲେଜକୁ ସରକାର ଅଣଦେଖା କରୁଛନ୍ତି। କଲେଜକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପାଇଁ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ଏକ କାର୍ୟ୍ୟକ୍ରମରେ ଆଲୋଚନା କରିଛନ୍ତି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ସହିତ ମଧ୍ୟ ଏ ବିଷୟରେ ଆଲୋଚନା କରିବେ ବୋଲି ସେ କହିଛନ୍ତି। ତା ପରେ ଯଦି ସରକାର ଏହି ଦାବି ପୂରଣ ନ କରନ୍ତି ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ମହମ୍ମଦ ମୋକିମ ଚେତାବନୀ ଦେଇଛନ୍ତି। ତେବେ କେଉଁଦିନ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦିଆଯାଉଛି ତାହା ଦେଖିବାକୁ ବାକି ରହିଲା।
Follow Us