କନକ ବ୍ୟୁରୋ : ପ୍ରଶାନ୍ତ କିଶୋର(ପିକେ)ଙ୍କ ଦଳ ଜନସୁରାଜ ବିହାର ବିଧାନସଭା ନିର୍ବାଚନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଏନେଇ ଦଳ ପକ୍ଷରୁ ଏକ ଆବେଦନ ଦାଖଲ କରାଯାଇଛି। ଆବେଦନରେ ବିଶେଷ ଭାବରେ ବିହାର ମୁଖ୍ୟମନ୍ତ୍ରୀ ମହିଳା ନିଯୁକ୍ତି ଯୋଜନାକୁ ଚ୍ୟାଲେଞ୍ଜ୍ କରାଯାଇଛି। ଅଭିଯୋଗ ହୋଇଛି ଯେ, ସରକାର ଆଦର୍ଶ ଆଚରଣ ସଂହିତା ସମୟରେ ୨୫ରୁ ୩୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ୧୦ ହଜାର ଟଙ୍କା ପଠାଇଥିଲେ। ଏହା ସହିତ ଏହି ଯୋଜନାରେ ନୂତନ ହିତାଧିକାରୀଙ୍କୁ ମଧ୍ୟ ଯୋଡିଛନ୍ତି। ପିକେଙ୍କ ଦଳ କୋର୍ଟଙ୍କୁ ଅନୁରୋଧ କରିଛି ଯେ, ନିର୍ବାଚନକୁ ପ୍ରଭାବିତ କରୁଥିବା ମାଗଣା ଉପହାର ଏବଂ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଶାସକ ଦଳ ପାଇଁ ଛଅ ମାସର ସମୟସୀମା ଧାର୍ୟ୍ୟ କରିବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ଜନସୁରାଜ ବିହାର ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଏକ ରିଟ୍ ପିଟିସନ୍ ଦାୟର କରିଛି।
ଅଧିକ ପଢ଼ନ୍ତୁ : କଂଗ୍ରେସକୁ ଯିବେ କି ପ୍ରଶାନ୍ତ କିଶୋର ?
ଶୁକ୍ରବାର ଶୁଣାଣି
ଶୁକ୍ରବାର ଦିନ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବେ। ଜନସୁରାଜ ଧାରା ୩୨ ଅନୁଯାୟୀ ଏହି ଆବେଦନ ଦାଖଲ କରିଛି। ଆଦର୍ଶ ଆଚରଣ ସଂହିତା କାର୍ୟ୍ୟକାରୀ ହୋଇଥିବାବେଳେ ମହିଳାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ଏବଂ ନୂତନ ହିତାଧିକାରୀଙ୍କୁ ଯୋଡିବା ଘୋଷଣା ଭଳି ବେଆଇନ କାର୍ୟ୍ୟ କରାଯାଇଥିବା ଆବେଦନରେ କୁହାଯାଇଛି। ଏହା ସମ୍ବିଧାନର ଧାରା ୧୪, ୨୧, ୧୧୨, ୨୦୨ ଏବଂ ୩୨୪ ଉଲ୍ଲଂଘନ କରିଛି।ଜନସୁରାଜ ଆବେଦନରେ ଲୋକ ପ୍ରତିନିଧିତ୍ୱ ଆଇନର ଧାରା ୩୨୪ ଏବଂ ଧାରା ୧୨୩ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି।
ଅଧିକ ପଢ଼ନ୍ତୁ : ବିହାର ମତଦାନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କୁ ଝଟକା, ଦୁଇଟି ସ୍ଥାନରେ ଭୋଟର କାର୍ଡ ଥିବା ନେଇ ବିଜେପି ଆଣିଲା ଅଭିଯୋଗ
ପୁଣିଥରେ ହେଉ ନିର୍ବାଚନ
ଆବେଦନରେ ଏହା ମଧ୍ୟ ଅଭିଯୋଗ ହୋଇଛି ଯେ, ନିର୍ବାଚନର ଉଭୟ ପର୍ୟ୍ୟାୟରେ ଭୋଟ ଗ୍ରହଣ କେନ୍ଦ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀ ଜୀବିକାର ୧.୮ ଲକ୍ଷ ମହିଳା ହିତାଧିକାରୀଙ୍କୁ ନିୟୋଜିତ କରିବା ବେଆଇନ। ସୁପ୍ରିମକୋର୍ଟଙ୍କ ଏକ ପୁରୁଣା ରାୟକୁ ଉଦ୍ଧୃତ କରି ଆବେଦନରେ କୁହାଯାଇଛି ବିହାର ନିର୍ବାଚନ ପୁନର୍ବାର କରାଯାଉ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/05/05bbs_44_05022026_111-2026-02-05-17-24-51.jpg)