ଦିଲ୍ଲୀ ଓ ଉତ୍ତର ଭାରତରେ ଝଡ଼ବର୍ଷା ଓ ତୁଷାରପାତ: ବରଫ ଚାଦର ତଳେ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ

Advertisment

ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ବର୍ଷା ହୋଇଥିବାବେଳେ ସିମ୍‌ଲା-ମନାଲିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ । ବିମାନ ସେବା ପ୍ରଭାବିତ ।

ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ବର୍ଷା ହୋଇଥିବାବେଳେ ସିମ୍‌ଲା-ମନାଲିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ । ବିମାନ ସେବା ପ୍ରଭାବିତ ।

Delhi rain

Delhi rain Photograph: (Google)

କନକ ବ୍ୟୁରୋ: ଦିଲ୍ଲୀ ଓ ଏନ୍‌ସିଆର୍‌ ସମେତ ଦେଶର ଅଧିକାଂଶ ଅଞ୍ଚଳରେ ଶୁକ୍ରବାର ସକାଳେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ବର୍ଷା ହୋଇଥିବାବେଳେ ସିମ୍‌ଲା-ମନାଲିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି । ଜମ୍ମୁ-କାଶ୍ମୀରର ପାହାଡ଼ିଆ ଅଞ୍ଚଳ, ବେଷ୍ଣୋଦେବୀ ମନ୍ଦିର, ଗୁଲମର୍ଗ ଅଞ୍ଚଳରେ ତୁଷାରପାତ ହୋଇଛି । ଜମ୍ମୁ- କାଶ୍ମୀର ଓ ହିମାଚଳ ପ୍ରଦେଶର ସମତଳ ଅଞ୍ଚଳରେ ବର୍ଷା ହୋଇଛି । ଖରାପ ପାଗ ଯୋଗୁ ଅନେକ ବିମାନ ବାତିଲ ହୋଇଥିବାବେଳେ ସଡ଼କ ପଥ ବନ୍ଦ ରହିଥିବାରୁ ଯାତାୟାତ ପ୍ରଭାବିତ ହୋଇଛି। କାଶ୍ମୀର ଉପତ୍ୟକାରେ ଶୁକ୍ରବାର ପ୍ରବଳ ତୁଷାରପାତ ଯୋଗୁ ପୂରା ଅଞ୍ଚଳ ବରଫ ଚାଦର ତଳେ ଆଚ୍ଛାଦିତ ହୋଇଥିବା ପରି ଦେଖାଯାଉଛି। ତୁଷାରପାତ ଯୋଗୁଁ ସଡ଼କ ଓ ଆକାଶମାର୍ଗରେ ଯାତାୟାତ ପ୍ରବାହିତ ହୋଇଛି। ସତର୍କତାମୂଳକ ପଦକ୍ଷେପ ଭାବେ ନବଯୁଗ ଟନେଲ ନିକଟରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି । 

ଅଧିକ ପଢନ୍ତୁ : ନୂଆଦିଲ୍ଳୀ ରେଳଷ୍ଟେସନରେ ଦଳାଚକଟା : ୧୮ ମୃତ, ୧୦ରୁ ଅଧିକ ଗୁରୁତର

ସକ୍ରିୟ ପଶ୍ଚିମାଝଡ଼ ପ୍ରଭାବରେ ଶୁକ୍ରବାର ଦିଲ୍ଲୀ, ଉତ୍ତର ପ୍ରଦେଶର ଗାଜିଆବାଦ, ନୋଏଡା, ହରିୟାଣାର ଗୁରୁଗ୍ରାମ ଚଳିତ ବର୍ଷର ପ୍ରଥମ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କେତେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ମଧ୍ୟ ହୋଇଛି। ସକାଳେ ଆରମ୍ଭ ହୋଇଥିବା ବର୍ଷା ମଧ୍ୟାହ୍ନ ପର୍ଯ୍ୟନ୍ତ ଲାଗି ରହିଥିବା ଯୋଗୁ ବିଭିନ୍ନ ରାସ୍ତାରେ ପାଣି ଜମି ରହି ଟ୍ରାଫିକ ସମସ୍ୟା ସୃଷ୍ଟି କରିଥିଲା। ଆଇଏମ୍‌ଡି ପକ୍ଷରୁ ଦିଲ୍ଲୀର ସମସ୍ତ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅପରାହ୍ଣରେ ବର୍ଷା ପରିମାଣ ବଢ଼ିବ ବୋଲି କୁହାଯାଇଛି । ବର୍ଷା ଯୋଗୁ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୁଧାର ଆସିଛି । ଗୁରୁବାର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୨ ରହିଥିଲା, ଯାହାକି ଗମ୍ଭୀରରୁ ଅତ୍ୟନ୍ତ ଖରାପ ଶ୍ରେଣୀକୁ ଆସିଥିଲା । ଜାନୁଆରି ୨୩ ଓ ୨୪ରେ ବାୟୁ ଗୁଣବତ୍ତା ମଧ୍ୟମ ରହିବ ବୋଲି ଆକଳନ କରାଯାଇଥିବାବେଳେ ଜାନୁଆରି ୨୫ ରେ ବାୟୁ ଗୁଣବତ୍ତା ପୁଣି ‘ଖରାପ’ ଶ୍ରେଣୀକୁ ଚାଲିଯିବ ବୋଲି କୁହାଯାଇଛି । 

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା । ଖରାପ ପାଣିପାଗ ଯୋଗୁ ଦିଲ୍ଲୀରୁ ଶ୍ରୀନଗର ବିମାନ ଯାତାୟାତ ପ୍ରଭାବିତ ହୋଇଥିଲା । ଉତ୍ତରାଖଣ୍ଡ ପାଇଁ ମଧ୍ୟ ପାଣିପାଗ ବିଭାଗ ବର୍ଷା ଓ ତୁଷାରପାତ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି। ଉତ୍ତରକାଶୀ, ଡେରାଡୁନ, ରୁଦ୍ରପ୍ରୟାଗ ଓ ଚାମୋଲିରେ ପ୍ରବଳ ବର୍ଷା ଓ ତୁଷାରପାତ ଏବଂ ବାଗେଶ୍ବର ଓ ପିଥୋରାଗଡ଼ରେ ବର୍ଷା ଓ ତୁଷାରପାତ ନେଇ ଆଲର୍ଟ ଜାରି ହୋଇଛି। ଉତ୍ତରାଖଣ୍ଡର ଅନ୍ୟ ଜିଲ୍ଲାଗୁଡ଼ିକୁ କୁଆପଥର ବର୍ଷା ଏବଂ ପବନ ବହିବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ଜଙ୍ଗଲ ନିଆଁ ଆଶଙ୍କା ହ୍ରାସ ପାଇବ ବୋଲି କୁହାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe