କନକ ବ୍ୟୁରୋ : ଦେଶର ସୀମା ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଲଦାଖ ଗସ୍ତ ସମୟରେ ସେ ଭାରତୀୟ ସେନାକୁ ଏକ ବଡ଼ ଭେଟି ପ୍ରଦାନ କରି ବହୁ ପ୍ରତୀକ୍ଷିତ ‘ଶ୍ୟୋକ୍ ଟନେଲ୍’ର ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ସୀମା ସଡ଼କ ସଂଗଠନ ଦ୍ୱାରା ନିର୍ମିତ ମୋଟ ୧୨୫ଟି ରଣନୈତିକ ଭିତ୍ତିଭୂମି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।
ରାଜନାଥ ସିଂହ ଉଦଘାଟନ କରିଥିବା ଏହି ଶ୍ୟୋକ୍ ଟନେଲର ଲମ୍ବ ୯୮୨ ମିଟର । ଏହା ଦରବୁକ୍-ଶ୍ୟୋକ୍-ଦୌଲତ୍ ବେଗ୍ ଓଲ୍ଡି ରୋଡ୍ରେ ଅବସ୍ଥିତ । ଏହି ଟନେଲର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ରଣନୈତିକ ଗୋପନୀୟତା । ଏହି ଟନେଲକୁ ଉପଗ୍ରହ ବା ସାଟେଲାଇଟ୍ ଦ୍ବାରା ମଧ୍ୟ ଠାବ କରାଯାଇପାରିବ ନାହିଁ, ଯାହା ଶତ୍ରୁପକ୍ଷର ନଜରରୁ ସେନାର ଗତିବିଧିକୁ ଲୁଚାଇ ରଖିବାରେ ସହାୟକ ହେବ । କେବଳ ସୁରକ୍ଷା ବାହିନୀ ନୁହେଁ, ସାଧାରଣ ଲୋକଙ୍କ ଯାତାୟାତ ପାଇଁ ମଧ୍ୟ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ।
ଅଧିକ ପଢ଼ନ୍ତୁ--ଭାରତ ନୂଆ ବାୟୁ ପ୍ରତିରକ୍ଷା ନୀତି ଏବଂ ଯୁଦ୍ଧନୀତି ଆପଣାଉଛି : ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ
ଏହି ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ମୋଟ ୧୨୫ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏଥିମଧ୍ୟରେ ୨୮ଟି ରାସ୍ତା ଏବଂ ଅନ୍ୟାନ୍ୟ ୯୩ଟି ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଓ ସଂଯୋଗକାରୀ ପଥ ସାମିଲ ରହିଛି । ଏହି ସମସ୍ତ ପ୍ରକଳ୍ପ ସୀମାନ୍ତ ଅଞ୍ଚଳରେ ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା ସହ ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ମଜଭୁତ କରିବ ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଏସବୁର ଉଦଘାଟନ କରିବାର ଥିଲା । କିନ୍ତୁ ଖରାପ ପାଗ ଯୋଗୁଁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମ ସ୍ଥଳ ପରିବର୍ତ୍ତନ କରାଯାଇଥିଲା । ଫଳରେ ଲେହର ରିଞ୍ଚେନ ଅଡିଟୋରିୟମରୁ ହିଁ ରାଜନାଥ ସିଂହ ଏହି ସମସ୍ତ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଭାରତର ସୀମା ସୁରକ୍ଷା ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ବୋଲି ବିବେଚନା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/07/shyok-tunnel-2025-12-07-15-07-46.jpg)