କନକ ବ୍ୟୁରୋ : ଦୁଇ ଦୁଇ ଥର ବାତିଲ ହେଲାଣି ଟେଣ୍ଡର। ଏବେ ପୁଣି ତୃତୀୟ ଥର ହୋଇଛି। ସମୟ ଗଡ଼ି ଚାଲିଛି, ମାତ୍ର ଶ୍ରୀମନ୍ଦିର ନାଟମଣ୍ଡପରେ ଲାଗିପାରୁନି ଏସି। ଯାହା ଫଳରେ ଏବେଠୁ ଗରମରେ କଲବଲ ହେଲେଣି ଭକ୍ତ। ଶ୍ରୀମନ୍ଦିରକୁ ପ୍ରତିଦିନ ଛୁଟୁଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼। ଯାନିଯାତ୍ରା ଦିନ କଥା ଛାଡ଼ନ୍ତୁ, ସାଧାରଣ ଦିନମାନଙ୍କରେ ବି ଭିଡ଼ ଏତେ ଯେ ନାଟମଣ୍ଡପରେ ଏକା ସାଙ୍ଗରେ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହୁଛନ୍ତି। ଫଳରେ ଭିଡ଼ରେ ଅଣନିଶ୍ବାସୀ ହେଉଛନ୍ତି ଭକ୍ତ। ଶ୍ରୀମନ୍ଦିର ପରିଚାଳନା କମିଟିରେ ନାଟ ମଣ୍ଡପରେ ଏସି ନିଷ୍ପତ୍ତିରେ ବାଜିଥିଲା ମୋହର। ଖରା ଆଗରୁ କାମ ସାରିବାକୁ ନିଷ୍ପତ୍ତି ହୋଇଥିଲା। ଗତ ଜାନୁଆରୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ, ନାଟମଣ୍ଡପ ପାଇଁ ଟେଣ୍ଡର ସରିଛି, ଖୁବ୍ ଶୀଘ୍ର କାମ ହେବ। ମାତ୍ର ଏଯାବତ କାମ ଆଗେଇ ପାରିନଥିବା ବେଳେ ତୃତୀୟ ଥର ପୁଣି ଟେଣ୍ଡର ଡକାଯାଇଛି।
ଅଧିକ ପଢ଼ନ୍ତୁ : ସ୍ଥାନାନ୍ତର ହେବ ୪୨ ବର୍ଷର ଶ୍ରୀମନ୍ଦିର ନାଟମଣ୍ଡପ ହୁଣ୍ଡି : ଧାଡ଼ି ଦର୍ଶନରେ ବାଧା ସୃଷ୍ଟି ଆଶଙ୍କା କରି ନିଆଯାଉଛି ପଦକ୍ଷେପ
ନାଟମଣ୍ଡପ ଏସି ପାଇଁ ପ୍ରଥମ ଟେଣ୍ଡର ବାତିଲ ହୋଇଥିବା ବେଳେ ୮ ଡିସେମ୍ବର ୨୦୨୫ରେ ହୋଇଥିବା ଦ୍ଵିତୀୟ ଟେଣ୍ଡର ବି ଗତ ଜାନୁଆରୀ ୧୭ରେ ବାତିଲ ହୋଇଛି। ଟେକ୍ନିକାଲ ବିଡ୍ରେ ପୁଣି ଠିକାଦାର ଅଯୋଗ୍ୟ ହୋଇଛନ୍ତି। ତେଣୁ ତୃତୀୟ ଥର ପାଇଁ ସାନି ଟେଣ୍ଡର ଡକାଯାଇଥିବା ବେଳେ ୫ ବର୍ଷର ଅପରେସନ ଓ ମେଣ୍ଟେନାନ୍ସ ସହ ଏସି ଲଗାଇବାକୁ ହୋଇଛି ବିଜ୍ଞପ୍ତି। ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରହିଛି। ଏସି ବ୍ୟବସ୍ଥା ନହେଲେ ଆଗକୁ ବାହାର କାଠ ଦର୍ଶନ ସମୟରେ ପରିସ୍ଥିତି ଅଣାୟତ୍ତ ହେବା ଆଶଙ୍କା ପ୍ରକାଶ ପାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/04/a4-2026-03-04-19-20-04.jpg)